ଅନ୍‌ଲାଇନ୍‌ରେ ମିଳୁଛି ଛତିଶଗଡ଼ ମହିଳାଙ୍କ ଦ୍ବାରା ଗୋବରରେ ପ୍ରସ୍ତୁତ ସାମଗ୍ରି

ନୂଆଦିଲ୍ଲୀ: ଅନ୍‌ ଲାଇନ୍‌ରେ କିଣାବିକା ଏବେ ସହଜ ହୋଇଗଲାଣି। ଯେକୌଣସି ଜିନିଷ ବିକ୍ରି କରିବା ପାଇଁ ଇ-କମର୍ସ ପ୍ଲାଟଫର୍ମରେ ସୁବିଧା ମଧ୍ୟ ହେଉଛି। ଛତିଶଗଡ଼ର ରାଜନନ୍ଦଗାଁ ଜିଲ୍ଲାର ମହିଳାମାନଙ୍କ ଦ୍ବାରା ଗୋବରରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରି ଏବେ ଅନ୍‌ ଲାଇନ୍‌ରେ ମିଳୁଛି। ରାଜନନ୍ଦଗାଁ ଜିଲ୍ଲାର ୩୫୪ଟି ଏସ୍‌ଏଚ୍‌ଜି (ସ୍ବୟଂ ସହାୟକ ଗୋଷ୍ଠୀ)ର ଅନ୍ୟୂନ ୪ ହଜାର ମହିଳା ଗୋବରରୁ ପ୍ରସ୍ତୁତ କରୁଥିବା ସାର, ଘସି (ଜାଳେଣି ପାଇଁ ବ୍ୟବହୃତ), ଦୀପ, ଫୁଲଦାନୀ ଆଦି ସ୍ଥାନୀୟ ପ୍ରଶାସନର ସହାୟତାରେ ଅନ୍‌ ଲାଇନ୍‌ରେ ବିକ୍ରି ହେଉଛି। ଏହା କିଣିବା ପାଇଁ ଲୋକଙ୍କ ଆଗ୍ରହ ମଧ୍ୟ ରହିଛି ବୋଲି ପ୍ରଶାସନ ଦାବି କରିଛି।

ରାଜନନ୍ଦଗାଁ ହେଉଛି ରାଜ୍ୟର ପ୍ରଥମ ଜିଲ୍ଲା, ଯିଏକି ଅନ୍‌ ଲାଇନ୍‌ରେ ୫ କୋଟିରୁ ଅଧିକ ମୂଲ୍ୟର ଗୋବରରୁ ପ୍ରସ୍ତୁତ ସାମଗ୍ରି ବିକ୍ରି କରିଛି। କିଛି ମାସ ପୂର୍ବେ ପ୍ରଥମେଅନ୍‌ ଲାଇନ୍‌ରେ ବିକ୍ରି କରିବାକୁ ଉଦ୍ୟମ ହୋଇଥିଲା। ପ୍ରଥମେ ୧ ଲକ୍ଷ ଟଙ୍କାର ବିକ୍ରି ହୋଇଥିଲା। ଏହାପରେ ଅଧିକ ବିକ୍ରି ହେବା ଲକ୍ଷ୍ୟ ରଖି ମାର୍କେଟିଂ କରାଗଲା। ଧିରେଧିରେ ଡିମାଣ୍ଡ ବଢ଼ିବାକୁ ଲାଗିଲା। ବାହାର ରାଜ୍ୟରେ ଏସବୁ ପ୍ରଡକ୍ଟର ଭଲ ଚାହିଦା ରହିଛି। ଗରିବ ମହିଳାମାନେ ଭଲ ଦି ପଇସା ରୋଜଗାର କରିବାକୁ ସମର୍ଥ ହୋଇଛନ୍ତି ବୋଲି ରାଜନନ୍ଦଗାଁ ଜିଲ୍ଲାପାଳ ତରନ ପ୍ରକାଶ ସିହ୍ନା କହିଛନ୍ତି।

ଜିଲ୍ଲାପାଳ କହିଛନ୍ତି, ୩୬୫ ଗୋ-ଶାଳାରୁ ପ୍ରତିଦିନ ବାହାରୁଥିବା ୬୬,୪୦୦ କ୍ବିଣ୍ଟାଲ ଗୋବରକୁ ନେଇ ରାଜ୍ୟ ସରକାର ଚଳିତ ବର୍ଷ ଏକ ସ୍ବତନ୍ତ୍ର ଯୋଜନା ତିଆରି କରୁଛନ୍ତି। ପୂର୍ବରୁ ରାଜ୍ୟ ସରକାର ‘ଗୋଧନ ନ୍ୟାୟ ଯୋଜନା’ରେ ଗୋଚାଷୀମାନଙ୍କଠାରୁ କିଲୋଗ୍ରାମ ପିଛା ୨ ଟଙ୍କାରେ ଗୋବର କିଣୁଥିଲେ। ଗୋଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ଏହି ଯୋଜନା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ୫୩,୦୦୦ କ୍ବିଣ୍ଟାଲ ଗୋବରଖତ ଯାହାର ମୂଲ୍ୟ ୧.୫ କୋଟି ବିକ୍ରି କରାଯାଇଛି। ପୂର୍ବରୁ କେବଳ ଗୋଶଳାରେ ହିଁ କଖତ ବିକ୍ରି ହେଉଥିଲା। ହେଲେ ଏହା ଆମାଜନରେ ଉପଲବ୍ଧ ହେବା ପରେ ବାହାର ରାଜ୍ୟ ଅର୍ଥାତ୍‌ ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଏହାର ଚାହିଦା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର