ଚୀନ୍-ଆମେରିକା ବାଣିଜ୍ୟ ଲଢ଼େଇ: ଏବେ ଚାପରେ ଭାରତ

ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟ ଲଢ଼େଇ ଜୋରଦାର ହେବାରେ ଲାଗିଛି। ଚୀନରୁ ଆମେରିକାକୁ ରପ୍ତାନି ହେଉଥିବା ୨୦୦ ବିଲିଅନ ଡଲାର ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ୧୦ ପ୍ରତିଶତରୁ ୨୫ ପ୍ରତିଶତକୁ ଆମେରିକା ବଢ଼ାଇ ସାରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ନେଇ ଧମକ ଦେବାର ଦିନକ ପରେ ଆମେରିକା ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରିଛି। ଚୀନ ଆମେରିକାକୁ ବର୍ଷକୁ ପ୍ରାୟ ୩୦୦ ବିଲିଅନ ଡଲାରର ସାମଗ୍ରୀ ରପ୍ତାନି କରିଥାଏ। ଚୀନର ସମସ୍ତ ଆମଦାନୀ ଉପରେ ଶୁଳ୍କ ବଢ଼ାଇବାକୁ ଟ୍ରମ୍ପ କହିଥିବାରୁ ଆଗାମୀ ଦିନରେ ୩୦୦ ବିଲିଅନ ଡଲାର ମୂଲ୍ୟର ଚୀନର ରପ୍ତାନି ଉପରେ ଆମେରିକା ଶୁଳ୍କ ଲଗାଇପାରେ। ଆମେରିକାର ଏହି ପଦକ୍ଷେପକୁ ଚୀନ୍ ଦୃଢ଼ ବିରୋଧ କରିବା ସହିତ ଯେସାକୁ ତେସା ନୀତିରେ ଆମେରିକାର ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢ଼ାଇବା ଆଶଙ୍କା ରହିଛି। ବିଶ୍ବର ଦୁଇ ବୃହତ୍ ଅର୍ଥନୀତି ଯଦି ଏଭଳି ବାଣିଜ୍ୟ ଲଢ଼େଇରେ ବ୍ୟାପୃତ ରହୁନ୍ତି ତାହେଲେ ଏହାର ବଡ଼ ପ୍ରଭାବ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ଉପରେ ପଡ଼ିବ।

ଚୀନର ରପ୍ତାନି ଉପରେ ଆମେରିକା ତୁରନ୍ତ ଆମଦାନୀ ଶୁଳ୍କ ଲାଗୁ କରିଥିବାରୁ ଆମେରିକାରେ ଚୀନ କମ୍ପାନିମାନେ ବିକ୍ରି କରୁଥିବା ସାମଗ୍ରୀର ଦର ୧୫୦ ପ୍ରତିଶତ ମହଙ୍ଗା ହୋଇଯିବ। ଗତବର୍ଷ ଚୀନର ସାମଗ୍ରୀ ଉପରେ ଆମେରିକା ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିବା ପରେ ଏହା ହେଉଛି ସର୍ବବୃହତ୍ ଶୁଳ୍କ ବୃଦ୍ଧି। ଚୀନ କମ୍ପାନିଙ୍କ ପାଇଁ ଆମେରିକା ବଜାର ମହଙ୍ଗା ହେବା କାରଣରୁ ଏହି ଦେଶର କମ୍ପାନି ଗୁଡ଼ିକ ଏବେ ଭାରତମୁହାଁ ହେବାର ସମ୍ଭାବନା ରହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ ଆମେରିକାର ଶୁଳ୍କ ବୃଦ୍ଧି ଫଳରେ ଚୀନ୍ କମ୍ପାନି ଗୁଡ଼ିକ ଆମେରିକାରେ ଯେତିକି ବ୍ୟବସାୟ ହରାଇବେ ତାହାର ଅଧିକାଂଶ କ୍ଷତିଭରଣା ଭାରତ ଭଳି ବଜାରରେ କରିବାକୁ ପ୍ରଚେଷ୍ଟା କରିବେ। ଭାରତ ବଜାରରେ ଭାରତୀୟ କମ୍ପାନିଙ୍କ ପାଇଁ ଏହା ଅସୁବିଧା ସୃଷ୍ଟି କରିବ। କେବଳ ସେତିକି ନୁହେଁ, ଚୀନ ପରେ ଆମେରିକା ଏବେ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିବ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବାରମ୍ବାର ଭାରତ ବିରୋଧରେ ଅଧିକ ଶୁଳ୍କ ଲାଗୁ କରୁଥିବା ଅଭିଯୋଗ କରି ଆସୁଛନ୍ତି। ବିଶେଷକରି ହାର୍ଲି ଡେଭିଡସନ ବାଇକଠାରୁ ଆରମ୍ଭ କରି କାଗଜ ଆଦି ଉତ୍ପାଦର ଉଦାହରଣ ମଧ୍ୟ ସେ ଦେଉଛନ୍ତି। ନିକଟରେ ଭାରତ ଗସ୍ତରେ ଆସିଥିବା ଆମେରିକାର ବାଣିଜ୍ୟ ସଚିବ ୱିଲବର ରସ୍ ଭାରତର ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ସହ ଆଲୋଚନା କରି ଫେରିଛନ୍ତି। ଭାରତ ସହିତ ଆଲୋଚନାବେଳେ ନୂଆଦିଲ୍ଲୀ ଆମେରିକୀୟ କମ୍ପାନିଙ୍କ ପାଇଁ ଶୁଳ୍କ ହ୍ରାସ ନିଶ୍ଚିତ କରିବା ଉଚିତ ବୋଲି ମତ ଦେଇଥିଲେ। ଏସବୁକୁ ଦେଖିଲେ ଭାରତର ଚାପ ଏବେ ବଢ଼ିଯାଇଛି। ଅତୀତରେ ଆମେରିକା ଭାରତର ଆଲୁମିନିୟମ ଏବଂ ଇସ୍ପାତ ଭଳି ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିସାରିଛି। ଯେସାକୁ ତେସା ନୀତିରେ ଭାରତ ମଧ୍ୟ ଆମେରିକାର ୨୯ଟି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବ ବୋଲି ଘୋଷଣା କରିସାରିଛି। କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ବାରମ୍ବାର ଏ ନେଇ ଭାରତ ତାରିଖ ଘୁଞ୍ଚାଉଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହି ତାରିଖକୁ ଶେଷଥର ପାଇଁ ଚଳିତମାସରେ ଭାରତ ଘୁଞ୍ଚାଇଛି।

ଚୀନ ସାମଗ୍ରୀ ଉପରେ କେବେଠାରୁ ଟିକସ
୨୦୧୮ ଏପ୍ରିଲରୁ ଆମେରିକା ଚୀନର ୫୦ ବିଲିଅନ ଡଲାର ମୂଲ୍ୟର ରପ୍ତାନି ଉପରେ ୨୫ ପ୍ରତିଶତ ଆମଦାନୀ ଶୁଳ୍କ ପ୍ରଥମେ ଲାଗୁ କରିଥିଲା। ଏହାପରେ ଗତବର୍ଷ ସେପ୍ଟେମ୍ବରରେ ଆମେରିକା ଚୀନର ୨୦୦ ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ ଉପରେ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିଥିଲା। ଗତ ଶୁକ୍ରବାରଠାରୁ ଏହି ଶୁଳ୍କକୁ ୨୫ ପ୍ରତିଶତକୁ ବୃଦ୍ଧି କରିଛି।

ସମ୍ବନ୍ଧିତ ଖବର