ନୂଆଦିଲ୍ଲୀ: ଆଧାରକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ ଓ ଇନ୍ଫୋସିସ୍ର ପ୍ରତିଷ୍ଠାତା ନାରାୟଣମୂର୍ତ୍ତିଙ୍କ ମଧ୍ୟରେ ଗରମାଗରମ ବିତର୍କ ଦେଖିବାକୁ ମିଳିଛି। ଯେଉଁ ଭଳି ଭାବେ ସରକାର ସବୁ କାମରେ ଆଧାର ଲିଙ୍କ୍ କରାଇବାକୁ ଚାହୁଁଛନ୍ତି ତାହାକୁ ଚିଦମ୍ବରମ୍ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ କୌଣସି ଲୋକର ଆଧାରକୁ ବ୍ୟବହାର କରି ହ୍ୟାକର୍ କିମ୍ବା ସରକାର ହାସଲ କରିବା ଠିକ ନୁହେଁ। ମୋର ଏହା ଉପରେ ଆପତ୍ତି ରହିଛି ବୋଲି ସେ କହିଛନ୍ତି। ସେହି ସମୟରେ ନାରାୟଣମୁର୍ତି କହିଛନ୍ତି ଯେ ଆଧାରକୁ ଆମେ ବାଜେ ଜିନିଷ ବୋଲି କହିପାରିବା ନାହିଁ। ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ଆମର ସାଂସଦମାନେ କାହିଁକି ଗୋପନୀୟତା ନିୟମ ଆଣୁନାହାନ୍ତି ବୋଲି ନାରାୟଣମୂର୍ତି ପ୍ରଶ୍ନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୁଁ କେଉଁ ଔଷଧ କିଣୁଛି? କେଉଁ ସିନେମା ଦେଖୁଛି? କେଉଁ ହୋଟେଲ୍ରେ ରହୁଛି? ଏସବୁ କଥା ସରକାର କାହିଁକି ଜାଣିବ ବୋଲି ଚିଦମ୍ବରମ୍ ପ୍ରଶ୍ନ କରିଛନ୍ତି। ଯଦି ମୋ ସରକାରରେ ଥାଆନ୍ତି ତେବେ ଏସବୁ ବିଷୟରେ ଜାଣିବାକୁ ଚାହିଁ ଥାଆନ୍ତି ବୋଲି ସେ କହିଛନ୍ତି। ଏହାର ଜବାବରେ ନାରାୟଣମୂର୍ତ୍ତ କହିଥିଲେ ଯେ ମୁଁ ଆପଣଙ୍କ ସହିତ ଏକମତ ହୋଇପାରୁନି। ଆପଣ ଯେଉଁ ସବୁ ପ୍ରଶ୍ନ କରିଛନ୍ତି ତାହାର ଉତ୍ତର ଗୁଗୁଲ୍ରେ ରହିଛି।
ଚିଦମ୍ବରମ୍ କହିଛନ୍ତି ଯେ କୌଣସି ଲୋକ ସ୍ୱେଚ୍ଛାକୃତ ଭାବେ ଆଧାର ଲିଙ୍କ କରୁନାହାନ୍ତି। ବିପୁଳ ପରିମାଣର ଏସ୍ଏମ୍ଏସ୍ ଇ-ମେଲ୍ ଅସ୍ତ୍ର ଭାବେ ସେଥିପାଇଁ ବ୍ୟବହାର କରାଯାଉଛି। ଯେଉଁଠାରେ ସବ୍ସିଡି ହସ୍ତାନ୍ତର କରାଯାଉନାହିଁ ସେହି ସବୁ କାମରେ ଆଧାର ଲିଙ୍କ୍ କରିବାର କୌଣସି ଆବଶ୍ୟକତା ନାହିଁ। ଏହି ସରକାର ବଧିର ହୋଇଯାଇଛି ବୋଲି ଚିଦମ୍ବରମ୍ କହିଛନ୍ତି। ଏହାର ଜବାବରେ ନାରାୟଣମୂର୍ତ୍ତି କହିଛନ୍ତି ଯେ ଆଧାର କିଛି ନୁହେଁ ବରଂ କୌଣସି ବ୍ୟକ୍ତିର ଏକ ସାଧାରଣ ପରିଚୟ ଯାଞ୍ଚ। ଏହା ଡ୍ରାଇଭିଂ ଲାଇସେନ୍ସ ଭଳି। ଏହା ଦ୍ୱାରା କୌଣସି ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଘଂନ ହେଉନାହିଁ ବୋଲି ନାରାୟଣମୂର୍ତି କହିଛନ୍ତି।