ଶ୍ରେଷ୍ଠ ବ୍ୟାଙ୍କଙ୍କୁ ମିଳିବ ‘ମୁଖ୍ୟମନ୍ତ୍ରୀ ପୁରସ୍କାର’, ତିନିଟି ବର୍ଗରେ ପୁରସ୍କାର ଦିଆଯିବ

ପ୍ରଥମ ବି‌ଜେତାଙ୍କୁ ୫ ଲକ୍ଷ ଟଙ୍କା ମିଳିବ

ଭୁବନେଶ୍ବର: ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନ କରିବାରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାର ପୁରସ୍କୃତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କୁ ପ୍ରତିବର୍ଷ ‘ମୁଖ୍ୟମନ୍ତ୍ରୀ ପୁରସ୍କାର’ ପ୍ରଦାନ କରାଯିବ। ତିନିଟି ବର୍ଗରେ ଏହି ପୁରସ୍କାର ଦିଆଯିବ। ଚାଷୀ, କ୍ଷୁଦ୍ର ଉଦ୍ୟୋଗୀ ଓ ମହିଳା ଏସ୍‌ଏଚ୍‌ଜିଗୁଡ଼ିକ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ବ୍ୟାଙ୍କଗୁଡ଼ିକୁ ଚାମ୍ପିଅନ୍‌ ବ୍ୟାଙ୍କ ପୁରସ୍କାର ପ୍ରଦାନ କରାଯିବ। ଅର୍ଥ ବିଭାଗ ସୂଚନା‌ ଅନୁଯାୟୀ, ପ୍ରତି ବର୍ଗରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଭଳି ତିନିଟି ପୁରସ୍କାର ପ୍ରଦାନ କରାଯିବ। ପ୍ରଥମ ପୁରସ୍କାର ବିଜେତାଙ୍କୁ ୫ ଲକ୍ଷ ଟଙ୍କା, ଦ୍ବିତୀୟକୁ ୩ ଲକ୍ଷ ଟଙ୍କା ଓ ତୃତୀୟ ପୁରସ୍କାର ବିଜେତାଙ୍କୁ ୨ ଲକ୍ଷ ଟଙ୍କାର ନଗଦ ରାଶି ପୁରସ୍କାର ବାବଦରେ ପ୍ରଦାନ କରାଯିବ। ରାଜ୍ୟରେ କାର୍ଯ୍ୟ କରୁଥିବା ସରକାରୀ, ଘରୋଇ, ସମବାୟ ଓ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କଗୁଡ଼ିକ ଏହି ପୁରସ୍କାର ପ୍ରକ୍ରିୟାରେ ସାମିଲ ହୋଇପାରିବେ।

ଏକ ସ୍ବତନ୍ତ୍ର କମିଟି ଜରିଆରେ ଚାମ୍ପିଆନ୍ ବ୍ୟାଙ୍କଗୁଡ଼ିକୁ ଚୟନ କରାଯିବ। ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଗଠନ ହେବାକୁ ଥିବା ଏହି କମିଟିରେ ଅର୍ଥ, କୃଷି, ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ, ମିଶନ ଶକ୍ତିର କମିସନର, ରିଜର୍ଭ ବ୍ୟାଙ୍କର ପ୍ରତିନିଧି, ନାବାର୍ଡର ସିଜିଏମ୍, ୟୁକୋ ବ୍ୟାଙ୍କର ଇଡି ଓ ସଂସ୍ଥାଗତ ଫାଇନାନ୍ସର ନିର୍ଦେଶକ ସଦସ୍ୟ ରହିବେ। ପ୍ରତିବର୍ଷ ଜୁଲାଇ ସୁଦ୍ଧା ଏହି କମିଟି ସରକାରଙ୍କୁ ଏହାର ସୁପାରିସ୍ ପ୍ରଦାନ କରିବ। ଅର୍ଥ ବିଭାଗ ତରଫରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ଏହି ପୁରସ୍କାରଗୁଡ଼ିକୁ ବଣ୍ଟନ କରାଯିବ।
ହିତାଧିକାରୀ ସଂଖ୍ୟା, ଋଣର ପରିମାଣ ଓ ସୁଧ ଛାଡ଼ ପରିମାଣ ଆଦି ମାନଦଣ୍ଡ ଆଧାରରେ ବିଜେତା ବ୍ୟାଙ୍କ ଚୟନ କରାଯିବ। ଚୟନ ପ୍ରକ୍ରିୟାରେ ରିଜର୍ଭ ବ୍ୟାଙ୍କ, ଲାଇନ୍ ବିଭାଗ ଓ ଜିଲ୍ଳାପାଳଙ୍କ ମତକୁ ମଧ୍ୟ ବିଚାରକୁ ନିଆଯିବ।

ସମ୍ବନ୍ଧିତ ଖବର