ନୂଆଦିଲ୍ଲୀ: ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବା ପାଇଁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୋଏଡ଼ାର ସେକ୍ଟର ୧୨୬ସ୍ଥିତ ଏଚ୍ସିଏଲ୍ ଟେକ୍ କ୍ୟାମ୍ପସ୍ ପରିଦର୍ଶନ କରିଛନ୍ତି। ଓଡ଼ିଶାରେ କିଭଳି ଏଚ୍ସିଏଲ୍ ଟେକ୍ ନିବେଶ ଓ ବିସ୍ତାର କରିବ ସେ ନେଇ ଶ୍ରୀ ମାଝୀ କଂପାନିର ବରିଷ୍ଠ ଅଧିକାରୀମାନଙ୍କ ସହିତ ବିଚାରବିମର୍ଶ କରିଥିଲେ। କ୍ୟାମ୍ପସ୍ ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଲେ, ଏଚ୍ସିଏଲ୍କୁ ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରାଯାଇଛି। ଏଚ୍ସିଏଲ୍ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ସକାରାତ୍ମକ ରହିଛି। ଓଡ଼ିଶାରେ ଏହାର ଏକ କ୍ୟାମ୍ପସ୍ ସହ ଏକ ବିଶ୍ବବିଦ୍ୟାଳୟ ପାଇଁ ପ୍ରସ୍ତାବ ଦିଆଯାଇଛି। ଖୁବ୍ ଶୀଘ୍ର ଏଚ୍ସିଏଲ୍ କର୍ତ୍ତୃପକ୍ଷ ଓଡ଼ିଶା ଆସିବା ସଙ୍କେତ ଦେଇଛନ୍ତି। ଆଶା କରାଯାଉଛି ସେମାନେ ଖୁବ୍ ଶୀଘ୍ର ଓଡ଼ିଶା ଆସିବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏଚ୍ସିଏଲ୍ ଟେକ୍ ସହ ଆଲୋଚନା କରାଯିବ।
ଏଥି ସହିତ ଏଚ୍ସିଏଲ୍ ଟେକ୍ କର୍ତ୍ତୃପକ୍ଷଙ୍କୁ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପାଇଁ ସେ ନିମନ୍ତ୍ରଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ମଧ୍ୟ ଏଚ୍ସିଏଲ୍ ଟେକ୍ ପରିଦର୍ଶନ କରିଥିଲେ। ଏହାର ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିବା ପରେ ଉଭୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ଶିଳ୍ପମନ୍ତ୍ରୀ ଶ୍ରୀ ସ୍ବାଇଁ କ୍ୟାମ୍ପସ୍ ପରିସରରେ ବୃକ୍ଷରୋପଣ କରିଥିଲେ। ସୂଚନାଯୋଗ୍ୟ ଯେ ଏଚ୍ସିଏଲ୍ ଟେକ୍ ଏକ ଗ୍ଲୋବାଲ୍ ଟେକ୍ନୋଲୋଜି କଂପାନି। ବିଶ୍ବର ୬୦ଟି ଦେଶର ୨ ଲକ୍ଷ ୨୦ ହଜାର ବ୍ୟକ୍ତି ଏଥିରେ କାର୍ଯ୍ୟ କରୁଛନ୍ତି। ଏହା ଡିଜିଟାଲ୍ ଇଂଜିନିୟରିଂ, କ୍ଲାଉଡ୍ ଓ କୃତ୍ରିମ ବୁଦ୍ଧିମତା (ଏଆଇ) ଓ ଉତ୍ପାଦ କ୍ଷେତ୍ରରେ ଖ୍ୟାତି ଲାଭରହିଛି। ପ୍ରଯୁକ୍ତି ଓ ସୃଜନଶୀଳତା ସମନ୍ବୟରେ ରାଜ୍ୟର ଶିଳ୍ପ ପରିଧିକୁ ବଢ଼ାଇବା ପାଇଁ ଓଡ଼ିଶା ସରକାର ପ୍ରୟାସ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଏଚ୍ସିଏଲ୍ ଟେକ୍ କ୍ୟାମ୍ପସ୍ ପରିଦର୍ଶନ କରିବା ବିଶେଷ ମହତ୍ତ୍ବ ବହନ କରୁଛି।