ଭୁବନେଶ୍ବର: ଓଡ଼ିଶା କେବଳ ଏକ ନିବେଶ ସ୍ଥଳ ନୁହେଁ। ମୁଁ ଆପଣମାନଙ୍କୁ କେବଳ ନିବେଶ ପାଇଁ ଡାକୁନାହିଁ। ରାଜ୍ୟର ଅଭିବୃଦ୍ଧି ଯାତ୍ରାରେ ଗୁରୁତ୍ବପୂର୍ଣ୍ଣ ସାଥୀ ହେବାକୁ ମୁଁ ଆପଣମାନଙ୍କୁ ଆମନ୍ତ୍ରଣ କରିବାକୁ ଚାହୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଶକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ପ୍ରତି ନିବେଶକଙ୍କୁ ଆମେ ଜଣେ ଜଣେ ମୂଲ୍ୟବାନ ସାଥୀ ଭାବେ ଦେଖୁଛୁ। ଯେକୌଣସି ପ୍ରକାର ସଫଳତା କାହାଣୀ, ଆହ୍ବାନ କିମ୍ବା ଆପତ୍ତି ବିଷୟରେ ଆଲୋଚନା କରିବା ଲାଗି ମୋ ଦ୍ବାର ସବୁବେଳେ ଖୋଲାରହିଛି ବୋଲି ସେ କହିଛନ୍ତି। ଓଡ଼ିଶାରେ ଶିଳ୍ପାୟନ କେବଳ କାରଖାନା ଓ ଭିତ୍ତିଭୂମିରେ ନୁହେଁ, ବରଂ ରାଜ୍ୟବାସୀଙ୍କ ପାଇଁ ନିବେଶ କରିବା ବୋଲି ସେ କହିଛନ୍ତି। ଏହି ଲକ୍ଷ୍ୟକୁ ପୂରଣ କରିବା ଲାଗି ରାଜ୍ୟରେ ନିବେଶ କରିବାକୁ ସେ ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି।
ସୋମବାର ସନ୍ଧ୍ୟାରେ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ୨୦୨୫ର ଜାତୀୟ ଶିଳ୍ପ ସହଯୋଗୀ ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ସହଯୋଗରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଓଡ଼ିଶା ଏବେ ପୂର୍ବର ଏକ ଉଦୀୟମାନ ତାରକା। ଶିଳ୍ପ କ୍ଷେତ୍ରରେ ଏହାର ପ୍ରମୁଖ ଭୂମିକା ରହିଛି। ଉଭୟ ଦେଶ ଓ ବିଦେଶର ନିବେଶକମାନଙ୍କ ଲାଗି ଓଡ଼ିଶାକୁ ନିବେଶର ଏକ ପ୍ରମୁଖ ସ୍ଥଳରେ ପରିଣତ କରିବାକୁ ଆମର ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ନିଜ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି ଯେ ରାଜ୍ୟର ଯୁବପିଢ଼ିଙ୍କ ସମେତ ସମସ୍ତ ଲୋକଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବା ହେଉଛି ମୋର ପ୍ରାଥମିକ ଲକ୍ଷ୍ୟ। ଆମେ ଏଭଳି ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଚାହୁଛୁ ଯେଉଁଠାରେ ସମେସ୍ତ ଲାଭବାନ ହେବେ। ଶିଳ୍ପ ପାଇଁ ନିବେଶ ହାସଲ କରିବା, ନିଯୁକ୍ତି ସୃଷ୍ଟି କରିବା ଏବଂ ରାଜ୍ୟବାସୀଙ୍କ ପାଇଁ ସ୍ଥାୟୀ ଅଭିବୃଦ୍ଧି ବଜାୟ ରଖିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।
କ୍ୟାରିୟର କେନ୍ଦ୍ର ଖୋଲିବାକୁ ସିଆଇଆଇ ଯୋଜନା
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ହାସଲ କରିବା ଲାଗି ସରକାରଙ୍କ ରହିଥିବା ରଣନୀତି ସମ୍ପର୍କରେ ସେ କହିଛନ୍ତି ଯେ ଦୃଢ଼ ଶିଳ୍ପ ଭିତ୍ତିଭୂମି ବିକାଶ କରିବା, ସହଜ ବ୍ୟବସାୟ ବାତାବରଣର ଚାମ୍ପିଅନ୍ ହେବା ଏବଂ ବିପୁଳ ନିଯୁକ୍ତି ସୃଷ୍ଟି କରିବା ପ୍ରତି ଧ୍ୟାନ ଦିଆଯାଉଛି। ବଜେଟ୍ରେ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଲାଗି ପାଣ୍ଠି ଦିଆଯାଇଛି। ରାଜ୍ୟରେ ଶିଳ୍ପ ସ୍ଥାପନ କରିବାକୁ ଚାହୁଥିବା କମ୍ପାନିଙ୍କ ଲାଗି ପ୍ଲଗ୍-ଆଣ୍ଡ୍-ପ୍ଲେ ବ୍ୟବସ୍ଥା ବିକାଶ କରାଯାଇଛି। ଶିଳ୍ପ ଅନୁମୋଦନ ଓ ମଞ୍ଜୁରି ପ୍ରକ୍ରିୟାକୁ ସଂଗଠିତ କରାଯାଇଥିବା ସେ କହିଛନ୍ତି। ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ୨୦୨୫ର ଉଦ୍ଘାଟନୀ ସମାରୋହରେ ଯୋଗଦେବା ଲାଗି ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ସହଯୋଗ ଲାଗି କୃତଜ୍ଞତା ଜଣାଇଛନ୍ତି। ଓଡ଼ିଶାକୁ ମୋଦୀ ବହୁତ ଭଲ ପାଉଛନ୍ତି। ରାଜ୍ୟ ପ୍ରତି ସେ ଗଭୀର ଭାବେ ଧ୍ୟାନ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି ଯେ ଓଡ଼ିଶା ଗ୍ରିନ୍ ହାଇଡ୍ରୋଜେନ୍ ଓ ଅକ୍ଷୟ ଶକ୍ତିରେ ଅଗ୍ରଣୀ ଭାବେ ଉଭା ହୋଇଛି। ସିଆଇଆଇର ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି ଯେ ରାଜ୍ୟରେ ସିଆଇଆଇ ମଡେଲ୍ କ୍ୟାରିୟର ସେଣ୍ଟର ସ୍ଥାପନ କରିବାକୁ ଯୋଜନା ରଖିଛି। ବଡ଼ କମ୍ପାନିଗୁଡ଼ିକ ଏମ୍ଏସ୍ଏମ୍ଇ ଓ ଉଦୀୟମାନ ଉଦ୍ୟୋଗୀଙ୍କୁ ତାଲିମ ଦେବା ଉପରେ ଧ୍ୟାନ ଦେବେ। ଦେଶର ଦକ୍ଷିଣ ଓ ପଶ୍ଚିମ ଭାଗରେ ଏହି ମଡେଲ୍କୁ ସଫଳତାର ସହ ଲାଗୁ କରାଯାଇଛି। ଏଥି ସହିତ ଷ୍ଟାର୍ଟଅପ୍ଙ୍କୁ ନଜରରେ ରଖି ଅନୁଷ୍ଠାନ ଓ ଲଜିଷ୍ଟିକ୍ସ ଉତ୍କର୍ଷ କେନ୍ଦ୍ର ସ୍ଥାପନର ରହିଥିବା ସମ୍ଭାବନାକୁ ମଧ୍ୟ ସିଆଇଆଇ ଅନ୍ବେଷଣ କରୁଥିବା ସେ କହିଛନ୍ତି। ଏହି ଅବସଳରରେ ସିଆଇଆଇର ସଭାପତି ସଞ୍ଜୀବ ପୁରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।