ଭୁବନେଶ୍ବର: ଚଳିତ ମାସ ୨୫ରେ ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାର ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ପ୍ରାକ୍ ବଜେଟ୍ ଆଲୋଚନା କରିଛନ୍ତି। ଏଥିରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ପ୍ରମୁଖ ଶାସନ ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷରେ ଉପସ୍ଥାପନ ହେବାକୁ ଥିବା ବଜେଟ୍‌ ଓ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପରେ ଆଲୋଚନା ହୋଇଥିଲା। ଅର୍ଥ ବିଭାଗ ଶ୍ରୀ ମାଝୀଙ୍କ ପାଖରେ ଥିବାରୁ ସେ ଏଥର ରାଜ୍ୟ ବଜେଟ୍‌ ଉପସ୍ଥାପନ କରିବେ। କିଛି ଦିନ ପୂର୍ବେ ସେ ବଜେଟ୍‌ ଲାଗି ଜନ ସାଧାରଣଙ୍କ ମତାମତ ଲୋଡ଼ିଥିଲେ। ସେଥିପାଇଁ ହ୍ବାଟସ୍‌ଆପ୍, ଇ-ମେଲ୍‌, ଏସ୍‌ଏମ୍ଏସ୍‌ ଆଦି ସୁବିଧା ପ୍ରଦାନ କରାଯାଇଥିଲା।

Advertisment

ରାଜ୍ୟର ନୂଆ ସରକାର ନିଜକୁ ଲୋକଙ୍କ ସରକାର କହୁଥିବାରୁ ଏଥର ବଜେଟ୍‌ରେ ସାଧାରଣ ଜନତାଙ୍କ କଲ୍ୟାଣ ନେଇ କିଛିଟା ଘୋଷଣା ହେବା ଆଶା କରାଯାଉଛି। ଏହା ବ୍ୟତୀତ ଯେଉଁ ସବୁ ପ୍ରତିଶ୍ରୁତି ଦେଇ ବିଜେପି ନିର୍ବାଚନରେ ବିଜୟୀ ହୋଇଛି ତାହାର ପ୍ରତିଫଳନ ମଧ୍ୟ ବଜେଟ୍‌ରେ ଦେଖିବାକୁ ମିଳିବ। ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। କେନ୍ଦ୍ର ସରକାର ଧାନ ଏମ୍ଏସ୍‌ପିକୁ ୨୩୦୦ ଟଙ୍କାକୁ ବୃଦ୍ଧି କରିଥିବାରୁ ରାଜ୍ୟ ସରକାରଙ୍କୁ ଏହି ପ୍ରତିଶ୍ରୁତି ପୂରଣ କରିବା ଲାଗି କ୍ବିଣ୍ଟାଲ ପିଛା ୮୦୦ ଟଙ୍କାର ବୋନସ୍ ଦେବାକୁ ପଡ଼ିବ। ଏହା ବ୍ୟତୀତ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ଦେବାର ପ୍ରତିଶ୍ରୁତି ମଧ୍ୟ ରହିଛି। ଦେଢ଼ ଲକ୍ଷ ପାଖାପାଖି ସରକାରୀ ପଦ ପୂରଣ କରିବା ପ୍ରତିଶ୍ରୁତିକୁ ମଧ୍ୟ ସରକାରଙ୍କୁ ପାଳନ କରିବାକୁ ପଡ଼ିବ। ସେଥିପାଇଁ ମୋଟା ଅଙ୍କର ବ୍ୟୟବରାଦ ଆବଶ୍ୟକ।

ପୂର୍ବ ସରକାରଙ୍କ ଅମଳରେ ସ୍ବତନ୍ତ୍ର କୃଷି, ଲିଙ୍ଗ ଓ ଜଳବାୟୁ ପରିବର୍ତ୍ତନ ବଜେଟ୍ ଉପସ୍ଥାପନ କରାଯାଉଥିଲା। ଏଥର ସେହି ଧାରା ଜାରି ରହିବ ନା ନାହିଁ ତାହା ବଜେଟ୍ ଉପସ୍ଥାପନ ବେଳେ ଜଣାପଡ଼ିବ। ଗତ ଫେବ୍ରୁଆରିରେ ପୁରୁଣା ସରକାର ୧.୧୮ ଲକ୍ଷ କୋଟି ଟଙ୍କାର କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ।