ଭୁବନେଶ୍ବର: ରାସ୍ତା ସଂଯୋଗ ନଥିବା ଗ୍ରାମଗୁଡ଼ିକ ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା କରିବା ଲାଗି ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ ଆଣିଥିଲେ। କିନ୍ତୁ ତାହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଇନଥିବାରୁ ଯୋଜନାର ସୁଫଳ ମିଳିପାରିନଥିଲା ବୋଲି ସିଏଜି କହିଛନ୍ତି। 
ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ୨୦୧୫-୧୬ରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆରମ୍ଭ କରିଥିଲେ। ୨୦୧୭-୧୮ରୁ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଯୋଜନା ପାଇଁ ୧୮୮୮.୭୪ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଥିଲା। ସେଥିରୁ ୧୫୭୩.୦୩ କୋଟି ଟଙ୍କା ବିନିଯୋଗ କରାଯାଇଥିଲା। ଏହି ସମୟରେ ୮୦୮ଟି ପ୍ରକଳ୍ପ ଅନୁମୋଦନ ଲାଭ କରିଥିବା ବେଳେ କେବଳ ୩୫୯ଟି ସମ୍ପୂର୍ଣ କରାଯାଇପାରିଥିଲା। ରାସ୍ତା ସଂଯୋଗ ଯୋଗାଇଦେବା ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲାସ୍ତରୀୟ କମିଟି ୩୨୩୫ଟି ରାସ୍ତା ସଂଯୋଗ ନଥିବା ଗ୍ରାମ୍ୟ ଜନବସତିକୁ ଚିହ୍ନଟ କରିଥିଲେ।  ୨୦୧୮-୧୯ରେ ମାତ୍ର ୧୨୩୮ଟି ବସତିକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ କୌଣସି କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରିନଥିଲେ। ୨୦୧୭-୧୮ରୁ ୨୦୨୧-୨୨ ପର୍ଯ୍ୟନ୍ତ କୌଣସି ନୂତନ ରାସ୍ତା ପ୍ରକଳ୍ପ ହାତକୁ ନେଇନଥିଲେ। ଯେଉଁଥିପାଇଁ ଅବଶିଷ୍ଟ ୨୦୫୭ଟି ଜନବସତିକୁ ଯୋଜନା ଅଧିନରେ ସବୁଦିନିଆ ରାସ୍ତା ଉପଲବ୍ଧ କରାଯାଇନଥିଲା। 

Advertisment

 ସର୍ଭେ ଓ ଅନୁସନ୍ଧାନରେ ତ୍ରୁଟି ହେତୁ, ଡିପିଆର ପ୍ରସ୍ତୁତିରେ ତ୍ରୁଟି ଥିବା ଲକ୍ଷ୍ୟ କରାଯାଇଥିଲା। ୧୪୫ ପ୍ରକଳ୍ପରେ ଡିପିଆର ପ୍ରସ୍ତୁତି ସମୟରେ ସରକାରୀ ଜମିର ଉପଲବ୍ଧତା କିମ୍ବା ବେସରକାରୀ ଜମିର ଆବଶ୍ୟକତା ବିଷୟ ବିଚାରକୁ ନିଆଯାଇ ନଥିଲା। ପାଞ୍ଚଟି ରାସ୍ତା ବେସରକାରୀ ଜମିର ଆବଶ୍ୟକତା ହେତୁ ସମ୍ପୂର୍ଣ ହୋଇପାରିନଥିଲା। ନଅଟି ରାସ୍ତା ପ୍ରକଳ୍ପ ଜମି ବିବାଦ ଓ ଜଙ୍ଗଲ ଅନୁମତି ନମିଳିବାରୁ ୬.୪୦ କୋଟି ଟଙ୍କା ବ୍ୟୟ ହେବା ପରେ ଅଧାରୁ ବନ୍ଦ କରିଦିଆଯାଇଥିଲା। ରାସ୍ତାର ଦୈର୍ଘ୍ୟର ଆକଳନ ସଠିକ ନଥିଲା। ୪୩ଟି ରାସ୍ତା ପ୍ରକଳ୍ପରେ ୫୩ଟି ଜନବସତିକୁ ରାସ୍ତା ସଂଯୋଗ ପାଇଁ ୧୫୭.୦୨ କିମି ରାସ୍ତାର ଆବଶ୍ୟକତା ଥିବା ବେଳେ ତା’ଠାରୁ ଅଧିକ ଅର୍ଥାତ ୨୩୭.୨୦ କିମି ରାସ୍ତା ତିଆରି କରାଯାଇଥିଲା। ଯେଉଁଥିପାଇଁ ଅଯଥାରେ ୨୮.୮୯ କୋଟି ଟଙ୍କା ବ୍ୟୟ କରାଯାଇଥିଲା। 

୩୪ଟି ରାସ୍ତା କାମ ପାଇଁ କାର୍ଯ୍ୟସ୍ଥଳର ନିକଟବର୍ତ୍ତୀ ଅଞ୍ଚଳରୁ ଇସ୍ପାତ ସଂଗ୍ରହ କରିବା ପରିବର୍ତ୍ତେ ଦୂରବର୍ତ୍ତୀ ଅଞ୍ଚଳରୁ ସଂଗ୍ରହ କରାଯାଇଥିଲା। ସେଥିପାଇଁ ୦.୨୪ କୋଟି ଟଙ୍କା ବ୍ୟୟ ହୋଇଥିଲା। ୨୫ଟି ପ୍ରକଳ୍ପରେ ରାସ୍ତାଗୁଡ଼ିକର ନିର୍ଦ୍ଦିଷ୍ଟତା ଆଇଆରସି ସଂହିତା ମୁତାବକ ନଥିଲା। କଙ୍କ୍ରିଟ୍‌ର ମୋଟେଇ ଅଧିକ କରାଯିବାରୁ ୧.୮୨ କୋଟି ଟଙ୍କା ଅତିରିକ୍ତ ବ୍ୟୟ ହୋଇଥିଲା। ଖନନ କରାଯାଇଥିବା ୨.୧୬ ଲକ୍ଷ ଘନ ମିଟର ମାଟିକୁ ସଂପୃକ୍ତ କାର୍ଯ୍ୟରେ ବିନିଯୋଗ କରାଯାଇ ନଥିଲା ବରଂ ଦୂରବର୍ତ୍ତୀ ଅଞ୍ଚଳରୁ ମାଟି ପରିବହନ କରାଯିବା ଫଳରେ ୧.୯୨ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ହୋଇଥିଲା। ସେହିପରି ଖନନ କରାଯାଇଥିବା ୧.୮୩ କୋଟି ଟଙ୍କା ମୂଲ୍ୟର ୦.୯୭ ଲକ୍ଷ ଘନ ମିଟର ପଥର ସଂପୃକ୍ତ କାର୍ଯ୍ୟରେ ବିନିଯୋଗ କରାଯାଇନଥିଲା। ବାହାରୁ ସେଥିପାଇଁ ପଥର ଅଣାଯାଇଥିଲା। ଠିକାଦାରମାନଙ୍କଠାରୁ ୧.୭୫ କୋଟି ଟଙ୍କାର ଜରିମାନା ଅସୁଲ କରାଯାଇନଥିଲା। ୨୫୩ଟି  ରାସ୍ତା ମଧ୍ୟରୁ ୧୧୦ଟି ରାସ୍ତାର ରକ୍ଷଣାବେକ୍ଷଣ ବାର୍ଷିକ ଭିଭିରେ କରାଯାଇନଥିଲା। ରାସ୍ତାଗୁଡ଼ିକର ଗୁଣାବତ୍ତ‌ାକୁ ତୃତୀୟ ପକ୍ଷ ଦ୍ବାରା ନିରୀକ୍ଷଣ କରାଯାଇନଥିଲା ବୋଲି ସିଏଜି ଜଣାଇଛନ୍ତି।