ନୂଆଦିଲ୍ଲୀ: ବିଶ୍ବର ଦ୍ବିତୀୟ ବଡ଼ ଧନୀ ତଥା ଟେସ୍‌ଲା, ଟ୍ବିଟର ଓ ସ୍କେସ୍‌ଏକ୍ସ ଭଳି ସଂସ୍ଥାର ମାଲିକ ଏଲନ୍‌ ମସ୍କଙ୍କ ପିଲାଦିନ ଏତେଟା ଭଲରେ କଟିନଥିଲା। ପାଠପଢ଼ିବା ଲାଗି ତାଙ୍କୁ ମଧ୍ୟ ସଂଘର୍ଷ କରିବାକୁ ପଡ଼ିଥିଲା। ଯଦିଓ ଏକ ଅପେକ୍ଷାକୃତ ସ୍ବଚ୍ଛଳ ପରିବାରରେ ତାଙ୍କର ଜନ୍ମ ହୋଇଥିଲା, କିନ୍ତୁ ହାଇସ୍କୁଲ ପାଠପଢ଼ା ଶେଷ ହେବା ପରେ ତାଙ୍କୁ ବାପାଙ୍କଠାରୁ ବିଶେଷ ଆର୍ଥିକ ସହାୟତା ମିଳିନଥିଲା। ପିଲାଦିନ ଭଲରେ କଟିନଥିଲା ବୋଲି ମସ୍କ ନିଜେ କହିଛନ୍ତି। ଟ୍ବିଟରରେ ନିଜ ଜୀବନ କାହାଣୀର କିଛି ଅଂଶକୁ ବର୍ଣ୍ଣନା କରି ସେ ଜଣାଇଛନ୍ତି ଯେ ମୁଁ ଏଭଳି ଏକ ପରିବାରରେ ଜନ୍ମ ହୋଇଥିଲି ଯାହା ନିମ୍ନ ମଧ୍ୟବିତ୍ତ ପରିବାର ଥିଲା ଓ ଉଚ୍ଚ ମଧ୍ୟବିତ୍ତ ବର୍ଗ ଆଡ଼କୁ ଗତି କରୁଥିଲା। ମୋତେ ପରିବାରରୁ କିଛି ବି ମିଳିନାହିଁ। ମୋତେ କେହି କେବେବି କିଛି ବଡ଼ ଆର୍ଥିକ ଉପହାର ଦେଇନାହାନ୍ତି ବୋଲି ମସ୍କ କହିଛନ୍ତି। ମୋତେ ପଦାର୍ଥ ବିଜ୍ଞାନ, ଇଞ୍ଜିନିୟରିଂ ଓ ବିନିର୍ମାଣ ପଢ଼ାଇବାର ଶ୍ରେୟ ନିଶ୍ଚିତ ରୂପେ ବାପାଙ୍କର ଯାହା ଯେକୌଣସି ଟଙ୍କପଇସାଠାରୁ ଅଧିକ ମୂଲ୍ୟବାନ। କିନ୍ତୁ ହାଇସ୍କୁଲ ପାଠପଢ଼ା ଶେଷ ହେବା ପରେ ମୋ ବାପା ମୋତେ ଆର୍ଥିକ ସ୍ତରରେ ସହାୟତା ଦେଇନଥିଲେ ବୋଲି ସେ କହିଛନ୍ତି।

Advertisment

ସେ ଜଣାଇଛନ୍ତି ଯେ ମୋ ବାପାଙ୍କର ଏକ ଛୋଟ ଇଲେକ୍ଟ୍ରିକାଲ୍/ ମେକାନିକାଲ୍‌ ଇଞ୍ଜିନିୟରିଂ କଂପାନି ଥିଲା ଯାହା ୨୦-୩୦ ବର୍ଷ ପର୍ଯ୍ୟନ୍ତ ସଫଳତାର ସହ ଚାଲିଥିଲା। ଏହା ପରେ କଠିନ ସମୟ ଆସିଥିଲା। ପରବର୍ତ୍ତୀ ୨୫ ବର୍ଷ କଂପାନି ଦେବାଳିଆ ସ୍ଥିତିରେ ଥିଲା। ସେଥିପାଇଁ ମୋ ବାପା ମୋତେ ଓ ମୋ ଭାଇକୁ ଆର୍ଥିକ ସହୟତା ମାଗୁଥିଲେ। ନିଜ ବ୍ୟବହାର ଠିକ୍ ରଖିଲେ ସହାୟତା ଦେବୁ ବୋଲି ମୁଁ ଓ ମୋ ଭାଇ ବାପାଙ୍କୁ କହିଥିଲୁ। କିନ୍ତୁ ତାଙ୍କ ବ୍ୟବହାରରେ ବିଶେଷ ସୁଧାର ଘଟିନଥିଲା। ମାତ୍ର ଅନ୍ୟମାନେ ତାଙ୍କ ଉପରେ ନିର୍ଭରଶୀଳ ଥିବାରୁ ଆମେ ସାହାଯ୍ୟ କରୁଥିଲୁ। ତାଙ୍କର ଏକ ପନ୍ନା ଖଣି ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ମସ୍କ ଖଣ୍ଡନ କରିଛନ୍ତି। ଖଣି ଥିଲେ ବାପା ଆମକୁ ସାହାଯ୍ୟ ମାଗୁନଥାନ୍ତେ ବୋଲି ସେ ଜଣାଇଛନ୍ତି। ଜାମ୍ବିଆରେ ଏକ ଖଣିରେ ସେୟାର ଥିବା ବିଷୟରେ ବାପା ମୋତେ ନିଜେ କହିଥିଲେ। କିଛି ଦିନ ପାଇଁ ମୁଁ ତାହାକୁ ବିଶ୍ବାସ ମଧ୍ୟ କରିଥିଲି। କିନ୍ତୁ ସେଭଳି କିଛି ଖଣି ରହିଛି ବୋଲି ଆଜି ପର୍ଯ୍ୟନ୍ତ କିଛି ପ୍ରମାଣ ମିଳିନାହିଁ ବୋଲି ମସ୍କ କହିଛନ୍ତି।

ଏଲନ୍‌ ମସ୍କଙ୍କ ମା’ ମାୟେ ମସ୍କ କହିଛନ୍ତି ଯେ ୧୯୮୯ରେ ସେମାନେ ଟରଣ୍ଟୋ ଚାଲିଆସିଥିଲେ। ପ୍ରଥମେ ଗୋଟିଏ ବଖରା ବିଶିଷ୍ଟ ଆପାର୍ଟମେଣ୍ଟ୍‌ରେ ରହିଥିଲେ। ଏହା ପରେ ଯେଉଁ ଭଡ଼ା ଘର ମିଳିଥିଲା ତାହାକୁ ସଫା କରିବା ଲାଗି ତିନି ଦିନ ସମୟ ଲାଗିଥିଲା। ତଥାପି ସମସ୍ତେ ଖୁସିଥିଲେ ଓ କାମ କରୁଥିଲେ। ପନ୍ନା ଖଣି ବିଷୟରେ ସେ ୧୦ ବର୍ଷ ପୂର୍ବେ ଟ୍ବିଟରରେ ସୂଚନା ପାଇଥିବା କହିଛନ୍ତି।