ନୂଆଦିଲ୍ଲୀ: କିଛି ମାସ ପୂର୍ବରୁ ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଦେଶଗୁଡ଼ିକ ମଧ୍ୟରେ ଶୀର୍ଷ ସ୍ଥାନରେ ଥିଲା ଭାରତ। ମାତ୍ର ଜିଡିପି ଅଭିବୃଦ୍ଧିରେ କ୍ରମାଗତ ହ୍ରାସ ଘଟୁଥିବାରୁ ଏହା ଏବେ ଚାରି ନମ୍ବର ସ୍ଥାନକୁ ଖସିଆସିଛି। ଗତ ମାର୍ଚ୍ଚ ତ୍ରୟମାସରେ ଭାରତ ଏହାର ଏକ ନମ୍ବର ସ୍ଥାନକୁ ହରାଇଥିଲା ଓ ଚୀନ୍ ପୁଣି ଥରେ ବିଶ୍ବର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ହୋଇଯାଇଥିଲା। ଜୁନ୍ ତ୍ରୟମାସରେ ଭାରତର ଅଭିବୃଦ୍ଧି ୫%କୁ ଖସିଯିବା ପରେ ଏହା ଫିଲିପାଇନ୍ସ ଓ ଇଣ୍ଡୋନେସିଆ ତଳକୁ ମଧ୍ୟ ଖସିଯାଇଛି। ଇଣ୍ଡୋନେସିଆର ଅଭିବୃଦ୍ଧି ଭାରତ ଠାରୁ ସାମାନ୍ୟ ଅଧିକ ୫.୦୫% ରହିଛି। ଫିଲିପାଇନ୍ସର ଅଭିବୃଦ୍ଧି ୫.୫% ରହିଥିବା ଜଣାପଡ଼ିଛି।
ବର୍ତ୍ତମାନ ସ୍ଥିତିରେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଚୀନ୍ ଏକ ନମ୍ବର ସ୍ଥାନରେ ଥିବା ବେଳେ ଫିଲିପାଇନ୍ସ ଦ୍ବିତୀୟ, ଇଣ୍ଡୋନେସିଆ ତୃତୀୟ ଓ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଭାରତର ଅଭିବୃଦ୍ଧି ହାର କ୍ରମାଗତ ଭାବେ ବିଗତ ୧୫ ମାସ ହେଲାଣି ହ୍ରାସ ପାଉଛି। ସେଥିପାଇଁ ଦେଶର ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିଥିବା ସନ୍ଦେହ କରାଯାଉଛି। ଘରୋଇ କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ୁନାହିଁ ଏବଂ କାରଖାନାରେ ଜିନିଷପତ୍ର ଉତ୍ପାଦନ କମିଛି। ସେବା କ୍ଷେତ୍ରର ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ରହିବା ଯୋଗୁ ଜିଡିପି ଅଭିବୃଦ୍ଧି ହ୍ରାସ ପାଉଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ମାର୍ଚ ତ୍ରୟମାସରେ ଭାରତର ଅଭିବୃଦ୍ଧି ୫.୮% ଥିଲା। ସେହି ସମୟରେ ୬.୨% ବେଗରେ ଆଗକୁ ବଢ଼ିବାରୁ ଚୀନ୍ ଏକ ନମ୍ବର ସ୍ଥାନକୁ ଫେରିଥିଲା। ଏହା ପୂର୍ବରୁ ଅନେକ ମାସ ପର୍ଯ୍ୟନ୍ତ ଭାରତ ଏକ ନମ୍ବର ସ୍ଥାନରେ ମଜବୁତ ସ୍ଥିତିରେ ରହିଥିଲା।