ଟେସଲା ଭଳି ବଡ କମ୍ପାନିକୁ ଏବେ ଜୋରଦାର ଟକ୍କର ଦେଉଛି ଚୀନର ଏହି ଛୋଟ କମ୍ପାନି

ନୂଆଦିଲ୍ଲୀ: ଇଲେକ୍ଟ୍ରିକ କାର କଥା କହିବାକୁ ଗଲେ ଟେସଲା ର ନାମ ପ୍ରଥମେ ଆସିଥାଏ | ସାରା ବିଶ୍ୱରେ ଟେସଲାର ଇଲେକ୍ଟ୍ରିକ କାରକୁ ସମସ୍ତେ ପସନ୍ଦ କରୁଥିବାବେଳେ ଏବେ ଚୀନର ଏକ କମ୍ପାନୀ ଏମିତି କାର ବଜାରକୁ ଆଣିଛି ଯାହାକି ଟେସଲାକୁ କଡା ଟକ୍କର ଦେଉଛି | ଚୀନର ଗାଡି ନିର୍ମାତା କମ୍ପାନୀ ସାଇଆକର ଛୋଟ ଇଲେକ୍ଟ୍ରିକ କାର ହଙ୍ଗଗୁଆଙ୍ଗ ଗତ କିଛି ମାସ ଧରି ଟେସଲାକୁ କଡା ଟକ୍କର ଦେଉଛି | କେବଳ ଏତିକି ନୁହେଁ ବିକ୍ରି ମାମଲାରେ ଏହା ଟେସଲାକୁ ପଛରେ ପକାଇଦେଇଛି | ହଙ୍ଗଗୁଆଙ୍ଗ ମିନି ଇଭି ଜାନୁୟାରୀ ଓ ଫେବୃୟାରୀ ମାସରେ ସର୍ବାଧିକ ବିକ୍ରି ହୋଇଥିବା କାର ତାଲିକାରେ ନିଜକୁ ସାମିଲ କରିଥିବାବେଳେ ଏହି କାରଟି ଟେସଲାର ମୋଡେଲ ୩ ଇଲେକ୍ଟ୍ରିକ କାରକୁ ମଧ୍ୟ ପଛରେ ପକାଇଦେଇଛି |

ବିକ୍ରି ତଥ୍ୟ ଉପରେ ନଜର ପକାଇଲେ ଜାନୁୟାରୀ ୨୦୨୧ ମସିହାରେ ହଙ୍ଗଗୁଆଙ୍ଗ ସମୁଦାୟ ୩୬ ହଜାର ୟୁନିଟ ବିକ୍ରି ହୋଇଥିବାବେଳେ ଟେସଲା ମୋଡେଲ ୩, ୨୧୫୦୦ଟି ୟୁନିଟ ବିକ୍ରି ହୋଇଥିଲା | ଫେବୃୟାରୀ ମାସରେ ହଙ୍ଗଗୁଆଙ୍ଗ ୨୦ ହଜାରଟି ୟୁନିଟ ବିକ୍ରି ହୋଇଥିବାବେଳେ ଟେସଲାର ୧୩୭୦୦ଟି କାର ବିକ୍ରି ହୋଇଛି |

ତେବେ ହଙ୍ଗଗୁଆଙ୍ଗର ଏହି ସଫଳତା ପଛରେ ସବୁଠାରୁ ବଡ କାରଣ ହେଉଛି ଏହାର ଦାମ | ହଙ୍ଗଗୁଆଙ୍ଗ ଥରେ ଚାର୍ଜରେ ୧୭୦ କିଲୋମିଟର ଯିବାକୁ ସକ୍ଷମ ଥିବାବେଳେ ଟେସଲା ମୋଡେଲ ୩ କାର ଥରେ ଚାର୍ଜରେ ୪୦୧ କିଲୋମିଟର ଯାଇଥାଏ | ହଙ୍ଗଗୁଆଙ୍ଗ କାରର ମୂଲ୍ୟ ୩ ଲକ୍ଷ ୨୦ ହଜାର ଟଙ୍କା ରହିଥିବାବେଳେ ଟେସଲା ମୋଡେଲ ୩ର ମୂଲ୍ୟ ୨୭ ଲକ୍ଷ ୭୨ ହଜାର ଟଙ୍କା ରହିଛି |

ସମ୍ବନ୍ଧିତ ଖବର