ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଲଗାଇଥିବା ପାଲଟା ଶୁଳ୍କକୁ ବିଭିନ୍ନ ପର୍ଯ୍ୟାୟରେ କୋହଳ କରୁଛନ୍ତି। ଗତକାଲି ସେ ସ୍ମାର୍ଟଫୋନ୍, କମ୍ପ୍ୟୁଟର ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀଗୁଡ଼ିକୁ ଶୁଳ୍କରୁ ବାଦ ଦେଇଛନ୍ତି। ଆମେରିକା ଏହାର ପାଲଟା ଶୁଳ୍କ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରୁ ବୋଲି ଚୀନ୍ ଦାବି କରିଛି। ଚୀନ୍ ବାଣିଜ୍ୟ ମନ୍ତ୍ରଣାଳୟର ଜଣେ ପ୍ରବକ୍ତା କହିଛନ୍ତି ଯେ ପାଲଟା ଟିକସକୁ ଆମେରିକା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନିଜେ କରିଥିବା ବଡ଼ ଭୁଲ୍କୁ ସୁଧାରୁ ଏବଂ ପାରସ୍ପରିକ ସମ୍ମାନର ସଠିକ୍ ପଥକୁ ପୁଣି ଫେରିଆସୁ। ତେବେ ଇଲେକ୍ଟ୍ରୋନିକ୍ସ ଶୁଳ୍କ ପ୍ରତ୍ୟାହାରକୁ ଆମେରିକା ସାମୟିକ ପଦକ୍ଷେପ କହିଛି।
ମାସକ ଭିତରେ ନୂଆ ଶୁଳ୍କ ଘୋଷଣା କରାଯିବ ବୋଲି ଆମେରିକା ବାଣିଜ୍ୟ ସଚିବ ହାୱାର୍ଡ ଲୁଟ୍ନିକ୍ କହିଛନ୍ତି। ଅନ୍ୟ ପକ୍ଷରେ ଶୁଳ୍କକୁ ନେଇ ଆମେରିକାରେ ଟ୍ରମ୍ପଙ୍କ ବିରୋଧରେ ଜନମତ ସୃଷ୍ଟି କରିବା ଲାଗି ଚୀନ୍ ଭିନ୍ନ ପନ୍ଥା ଆପଣାଇଛି। ଏହା ଟ୍ରମ୍ପଙ୍କୁ ଟାର୍ଗେଟ୍ ନ କରି ନିଜ କଥା ସିଧାସଳଖ ଆମେରିକୀୟ ନାଗରିକଙ୍କୁ ଜଣାଉଛି। ଆମେରିକାବାସୀଙ୍କୁ ଚୀନ୍ କହିଛି ଯେ ଟ୍ରମ୍ପ ପ୍ରଶାସନ ଲଗାଉଥିବା ଶୁଳ୍କ ପ୍ରକୃତରେ କୌଣସି ବିଦେଶୀ ଦେଶ ଉପରେ ନୁହେଁ, ବରଂ ନିଜ ଦେଶର ନାଗରିକଙ୍କ ଉପରେ ଲାଗୁଛି। କାରଣ ଆମେରିକା ଅନେକ ଜିନିଷ ପାଇଁ ବାହାର ଦେଶ ଉପରେ ନିର୍ଭରଶୀଳ। ସେହି ଜିନିଷଗୁଡ଼ିକୁ ମଗାଇବା ମହଙ୍ଗା ହେବ। ଯଦି କମ୍ପାନିଗୁଡ଼ିକ ଅଧିକ ଦାମ୍ରେ ଜିନିଷ କିଣିବେ, ତେବେ ନିଶ୍ଚିତ ରୂପେ ସେମାନେ ତାହାକୁ ଅଧିକ ଦାମରେ ଗ୍ରାହକଙ୍କୁ ବିକିବେ। ଶେଷରେ ଲଗାଯାଇଥିବା ଶୁଳ୍କର ବୋଝ ଆମେରିକୀୟ ନାଗରିକଙ୍କୁ ମୁଣ୍ଡାଇବାକୁ ପଡ଼ିବ ବୋଲି ଚୀନ୍ କହିଛି।