୨୮ ବର୍ଷରେ ପ୍ରଥମ ଥର ଖସିଲା ଚୀନ୍ ଅର୍ଥନୀତି, ଜିଡିପି ବୃଦ୍ଧି ୬.୮ ପ୍ରତିଶତ କମିଗଲା

ବେଜିଂ: ଚୀନ୍ ଅର୍ଥନୀତି ଉପରେ କରୋନାର ଜୋରଦାର ପ୍ରଭାବ ପଡ଼ିଛି। ଚୀନ ଏହାର ତ୍ରୟମାସିକ ଜିଡିପି ଅଭିବୃଦ୍ଧିର ରେକର୍ଡ ୧୯୯୨ରେ ରଖିବା ଆରମ୍ଭ କରିଥିଲା। ସେବେଠାରୁ ଅର୍ଥାତ୍ ଗତ ୨୮ ବର୍ଷ ଭିତରେ ପ୍ରଥମ ଥର ପାଇଁ ଚୀନ୍ ଅର୍ଥନୀତି ନିମ୍ନମୁଖୀ ହୋଇଛି। ୨୦୨୦ର ପ୍ରଥମ ତ୍ରୟମାସ (ଜାନୁଆରି-ମାର୍ଚ)ରେ ବିଶ୍ବର ଏହି ଦ୍ବିତୀୟ ବୃହତ୍ ଅର୍ଥନୀତିର ଜିଡିପି ୬.୮ ହ୍ରାସ ପାଇଛି। ଗତବର୍ଷ ଜାନୁଆରି-ମାର୍ଚ ତୁଳନାରେ ଚୀନର ଜିଡିପିରେ ଏହି ହ୍ରାସ ଘଟିଛି। ଅର୍ଥନୀତିଜ୍ଞ ମାନେ ଚୀନର ଅଭିବୃଦ୍ଧି ଚଳିତବର୍ଷର ପ୍ରଥମ ତ୍ରୟମାସରେ ୬.୫ ପ୍ରତିଶତ ସଙ୍କୁଚିତ ହେବ ବୋଲି ପୂର୍ବାନୁମାନ କରିଥିଲେ ମଧ୍ୟ ଏହାଠାରୁ ଅର୍ଥନୀତି ସ୍ଥିତି ଆହୁରି ଅଧିକ ଖରାପ ହୋଇଯାଇଛି। ତେ‌ବେ ଗତବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୟମାସ ତୁଳନାରେ ଚଳିତବର୍ଷର ଜାନୁଆରି-ମାର୍ଚ ତ୍ରୟମାସର ଜିଡିପି ବୃଦ୍ଧି ୯.୮ ପ୍ରତିଶତ କମିଛି ବୋଲି ଜାତୀୟ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ କୁହାଯାଇଛି। ଏହି ସମୟ ମଧ୍ୟରେ କିନ୍ତୁ ଜିଡିପି ୯.୯ ପ୍ରତିଶତ କମିଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ। କିନ୍ତୁ ଜିଡିପି ଏହାଠାରୁ ସାମାନ୍ୟ କମ୍ କମିଛି। ତେବେ ଆଶ୍ବାସନର ବିଷୟ ହେଲା ଫେବ୍ରୁଆରୀରେ ଚୀନର ସହରାଞ୍ଚଳରେ ବେକାରି ହାର ୬.୨ ପ୍ରତିଶତ ଥିବାବେଳେ ମାର୍ଚ୍ଚରେ ଏହା ୫.୯ ପ୍ରତିଶତକୁ କମିଯାଇଛି। ଚୀନ୍ ଅର୍ଥନୀତି ନିମ୍ନମୁଖୀ ହୋଇଥିବାରୁ ଖୁବ୍‌ଶୀଘ୍ର ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରାଯିବାର ସମ୍ଭାବନା ରହିଛି ବୋଲି ନୋମୁରା କହିଛି। ଚୀନର କେନ୍ଦ୍ରୀୟ ବ୍ୟାଙ୍କ ପିପୁଲ୍ସ ବ୍ୟାଙ୍କ ଅଫ୍ ଚୀନ ମାଧ୍ୟମରେ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରୁ ଏହି ପ୍ୟାକେଜ ଦିଆଯିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର