ଚୀନ୍‌କୁ ଆଉ ଏକ ବଡ଼ ଧକ୍କା, ୪୪ ‌‌ବନ୍ଦେ ଭାରତ ଟ୍ରେନ୍ ‌ତିଆରି ଟେଣ୍ଡର ରଦ୍ଦ

ନୂଆଦିଲ୍ଲୀ: ଅର୍ଦ୍ଧ ବେଗଗାମୀ ‘ବନ୍ଦେ ଭାରତ’ ଟ୍ରେନ୍ ତିଆରି ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ଟେଣ୍ଡର ଆହ୍ବାନ କରିଥିଲା ତାହାକୁ ରଦ୍ଦ କରାଯାଇଛି। ୪୪ଟି ଟ୍ରେନ୍ ତିଆରି କରିବାକୁ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଥିଲା। ଏଥିପାଇଁ ଛଅଟି କଂପାନି ବିଡ୍‌ ଦାଖଲ କରିଥିଲେ। ସେଥିରେ ଏକମାତ୍ର ବିଦେଶୀ କଂପାନି ଭାବେ ଚୀନ୍‌ ସହ ସମ୍ପର୍କ ଥିବା ସଂସ୍ଥା ସିଆର୍‌ଆର୍‌ସି ପାୟୋନିୟର ଇଲେକ୍ଟ୍ରିକ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ବିଡ୍ ଦାଖଲ କରିଥିଲା। ବିଡ୍‌ ହାତେଇବାରେ ଏହା ଅଗ୍ରଣୀ ସ୍ଥାନରେ ରହିଥିଲା। ଏହା ଜଣାପଡ଼ିବା ପରେ ଟେଣ୍ଡରକୁ ରଦ୍ଦ କରାଯାଇଛି। ଫଳରେ ଚୀନ୍‌କୁ ଆଉ ଏକ ବଡ଼ ଧକ୍କା ଲାଗିଛି। ଟେଣ୍ଡର ବାତିଲ କରାଯିବା ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟର ଜରିଆରେ ସୂଚନା ଦିଆଯାଇଛି। ଏଥିପାଇଁ ସପ୍ତାହକ ଭିତରେ ସଂଶୋଧିତ ବିଡ୍ ଆହ୍ବାନ କରାଯିବ। ‌ମେକ୍‌ ଇନ୍ ଇଣ୍ଡିଆକୁ ସେଥିରେ ଗୁରୁତ୍ବ ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଚୀନ୍‌ର କଂପାନି ସିଆର୍‌ଆର୍‌ସି ୟଙ୍ଗଜି ଇଲେକ୍ଟ୍ରିକ୍ କଂପାନି ଲିମିଟେଡ୍‌ ଗୁରୁଗ୍ରାମର କଂପାନି ପାୟୋନିୟର ଫିଲ୍‌-ମେଡ୍‌ ପ୍ରାଇଭେଟ୍ ଲିମିଟେଡ୍‌ ସହ ମିଶି ୨୦୧୫ରେ ‌ଯୌଥ ଉଦ୍ୟୋଗ ସ୍ଥାପନ କରିଥିଲା। ତାହା ହେଊଛି ସିଆର୍‌ଆର୍‌ସି ପାୟୋନିୟର ଇଲେକ୍‌ଟ୍ରିକ୍ ଇଣ୍ଡିଆ। ସରକାର ଚାହୁଛନ୍ତି ଦେଶ ଭିତରର କୌଣସି କଂପାନିକୁ ଏହି କାର୍ଯ୍ୟବରାଦ ମିଳୁ। ଫଳରେ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ବଡ଼ ଧରଣର ଶକ୍ତି ମିଳିବ। ମାତ୍ର ଚୀନ୍‌ର ସିଆର୍‌ଆର୍‌ସି ଅନ୍ୟମାନଙ୍କୁ ବିଡ୍‌ ପ୍ରକ୍ରିୟାରେ ପଛରେ ପକାଇ ଦେଇଥିଲା। ଭାରତୀୟ ରେଳର ଚେନ୍ନାଇ ଠାରେ ଥିବା ଇଣ୍ଟେଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ପକ୍ଷରୁ ଗତ ଜୁଲାଇ ୧୦ରେ ଏହି ଟେଣ୍ଡର ଆହ୍ବାନ କରାଯାଇଥିଲା। ଏଥିପାଇଁ ବିଡ୍‌ ପ୍ରକ୍ରିୟାର ଭାରତର ପାଞ୍ଚଟି ସଂସ୍ଥା ଭାଗ ନେଇଥିଲେ। ସେଗୁଡ଼ିକ ହେଉଛି ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍, ଭାରତ ଇଣ୍ଡଷ୍ଟ୍ରିଜ୍, ସାଙ୍ଗରୁର, ଇଲେକ୍ଟ୍ରୋୱେଭସ୍‌ ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ୍‌, ମେଧା ସର୍ଭୋ ଡ୍ରାଇଭ୍‌ସ୍‌ ପ୍ରାଇଭେଟ୍ ଲିମିଟେଡ୍ ଓ ପାୱାରନେଟିକ୍ସ ଇକ୍ବିପ୍‌ମେଣ୍ଟ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍।

ପୂର୍ବରୁ ମଧ୍ୟ ରେଳବାଇ ପକ୍ଷରୁ ଚୀନ୍‌କୁ ଝଟ୍‌କା ଦିଆଯାଇଥିଲା। ଥର୍ମାଲ୍‌ କ୍ୟାମେରା ଲାଗି ଯେଉଁ ଟେଣ୍ଡର ଆହ୍ବାନ କରାଯାଇଥିଲା ତାହା ଏକ ଚୀନ୍‌ କଂପାନିକୁ ମିଳିବ ବୋଲି ଜଣାପଡ଼ିବା ପରେ ତାହାକୁ ବାତିଲ କରାଯାଇଥିଲା। ଗତ ଜୁନ ମଧ୍ୟ ଭାଗରେ ଡେଡିକେଟେଡ୍‌ ଫ୍ରେଟ୍ କର୍ପୋରେସନ ଅଫ ଇଣ୍ଡିଆ ପକ୍ଷରୁ ଚୀନ୍‌ର ଏକ ସଂସ୍ଥାକୁ ମିଳିଥିବା ୪୭୦ କୋଟି ଟଙ୍କାର କାର୍ଯ୍ୟବରାଦକୁ ରଦ୍ଦ କରାଯାଇଥିଲା। ଗତ ଜୁନ୍ ୧୫ରେ ଲଦାଖ୍‌ର ଗଲ୍‌ୱାନ୍‌ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଘଟିଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିତ ହେବା ପରଠାରୁ ଚୀନ୍‌ ସହିତ ଭାରତର ବାଣିଜ୍ୟ ସମ୍ପର୍କ ଖରାପ ହୋଇଛି। ବନ୍ଧୁ ରାଷ୍ଟ୍ରଗୁଡ଼ିକ ଜରିଆରେ କୂଟନୈତିକ ଚାପ ପ୍ରୟୋଗ ଠାରୁ ଆରମ୍ଭ କରି ଚୀନ୍‌ର‌ ୫୯ଟି ମୋବାଇଲ୍ ଆପ୍, ସୌର ପ୍ୟାନେଲ୍, ନିର୍ଦିଷ୍ଟ ପ୍ରକାରର ଟାୟାର, ରଙ୍ଗିନ ଟିଭି‌ ଆଦି ଆମଦାନିକୁ ଭାରତ ନିଷିଦ୍ଧ ଘୋଷଣା କରିଛି।

ସମ୍ବନ୍ଧିତ ଖବର