ଚୀନ୍‌ର ଚାଲାକି ଧରାପଡ଼ିଲା: ଭାରତୀୟ କଂପାନିରେ ଅଂଶଧନ ବଢ଼ାଉଛି, ସରକାର ଲାଗୁ କଲେ କଟକଣା

ମୁମ୍ବାଇ: ଭାରତୀୟ କଂପାନିଗୁଡ଼ିକରେ ନିଜ ଅଂଶ ବଢ଼ାଇବା ଲାଗି ଚୀନ୍‌ର କେନ୍ଦ୍ରୀୟ ବ୍ୟାଙ୍କ-ପିପୁଲ୍‌ ବ୍ୟାଙ୍କ ଅଫ୍‌ ଚାଇନା (ପିବିସି) କାର୍ଯ୍ୟ କରୁଛି। ଏହା ଅତି ଗୋପନ ଭାବେ ଭାରତର କେତେକ ସଂସ୍ଥାରେ ନିଜର ଅଂଶଧନକୁ ବଢ଼ାଇବାରେ ଲାଗିଛି। ନିକଟରେ ଏଚ୍‌ଡିଏଫ୍‌ସିରେ ଏହା ନିଜର ଅଂଶଧନକୁ ୧ ପ୍ରତିଶତରୁ ଅଧିକ କରିଥିଲା। କେବଳ ଏଚ୍‌ଡିଏଫ୍‌ସି ନୁହେଁ, ଅନେକ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା ସଂସ୍ଥାରେ ଏହା ନିଜର ଅଂଶଧନ ପରିମାଣ ବଢ଼ାଇଛି। ଯେହେତୁ ସେହି ସଂସ୍ଥାଗୁଡ଼ିକରେ ପିବିସିର ଅଂଶଧନ ୧ ପ୍ରତିଶତରୁ କମ୍ ରହିଛି ତେଣୁ ତାହାର ସୂଚନା ସାର୍ବଜନୀନ କରାଯାଉନାହିଁ। ଅମ୍ବୁଜା ସିମେଣ୍ଟର ୦.୩୨ ପ୍ରତିଶତ ଓ ପିରାମଳ ଏଣ୍ଟରପ୍ରାଇଜେସ୍‌ର ୦.୪୩ ପ୍ରତିଶତ ଅଂଶଧନ ଚୀନ୍‌ର କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ରହିଛି।

ଏଚ୍‌ଡିଏଫ୍‌ସିରେ ଚୀନ୍‌ କେନ୍ଦ୍ରୀୟ ବ୍ୟାଙ୍କ ରଖିଥିବା ଅଂଶଧନର ମୂଲ୍ୟ ୩୧୦୦ କୋଟି ଟଙ୍କା, ପିରାମଳରେ ୧୩୭ କୋଟି ଟଙ୍କା ଓ ଅମ୍ବୁଜା ସିମେଣ୍ଟ୍‌ରେ ୧୨୨ କୋଟି ଟଙ୍କା ରହିଛି। ଦୁଇବର୍ଷ ପୂର୍ବେ ପିବିସିକୁ ନିବେଶ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁମତି ଦେଇଥିଲା। ତେବେ ଏହାର ସୁଯୋଗ ନେଇ ଚୀନ୍ ସରକାରଙ୍କ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଜଡ଼ିତ ଥିବା ନିବେଶ ସଂସ୍ଥା ଓ କଂପାନିଗୁଡ଼ିକ ଭାରତୀୟ କଂପାନିରେ ନିଜର ଅଂଶଧନ ବଢ଼ାଇବାକୁ ଉଦ୍ୟମ କରୁଛନ୍ତି। ଭାରତୀୟ ଅର୍ଥନୀତି ପ୍ରତି ଗୁରୁତ୍ବପୂର୍ଣ୍ଣ ଅବଦାନ ରଖୁଥିବା କଂପାନିଗୁଡ଼ିକରେ ହିଁ ସେମାନେ ଅଂଶଧନ ମାତ୍ରା ବଢ଼ାଉଛନ୍ତି।

ଭାରତୀୟ କଂପାନିକୁ ନିଜ କବ୍‌ଜାକୁ ନେବା ଲାଗି ଉଦ୍ୟମ କରୁଥିବା ଚୀନ୍‌ର ଚାଲାକି ଗତ ଏପ୍ରିଲ୍‌ ୨୧ରେ ଧରାପଡ଼ିଥିଲା। ଏଚ୍‌ଡିଏଫ୍‌ସିରେ ଏହାର ଅଂଶଧନ ୧ ପ୍ରତିଶତରୁ ଅଧିକ ହେବା ପରେ ସରକାର ସତର୍କ ହୋଇପଡ଼ିଥିଲେ। ତୁରନ୍ତ ପଡ଼ୋଶୀ ଦେଶଗୁଡ଼ିକ ପାଇଁ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ନିୟମରେ ସଂଶୋଧନ କରିଥିଲେ। ପଡ଼ୋଶୀ ଦେଶର କୌଣସି ସଂସ୍ଥା ନିବେଶ କରିବା ପୂର୍ବରୁ ସରକାରଙ୍କ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି। ଏହା ପରେ ଚୀନ୍‌ର ପ୍ରାୟ ୫୦ଟି ନିବେଶ ପ୍ରସ୍ତାବ ଆସିଥିଲେ ମଧ୍ୟ ସରକାର ତାହାକୁ ମଞ୍ଜୁର କରୁନାହାନ୍ତି। ଚୀନ୍‌ର ସଂସ୍ଥାଗୁଡ଼ିକ ଭାରତୀୟ ଷ୍ଟାର୍ଟଅପ୍ ଓ ଅନ୍ୟ ସଂସ୍ଥାଗୁଡ଼ିକରେ ବିପୁଳ ପରିମାଣର ନିବେଶ କରିଛନ୍ତି। ଚୀନ୍‌ର କଂପାନି ଆଲିବାବା ତରଫରୁ ଭାରତର ପେଟିଏମ୍, ଜୋମାଟୋରେ ପୁଞ୍ଜିନିବେଶ କରାଯାଇଛି। ସେହିପରି ଚୀନ୍‌ର ଅନ୍ୟତମ ସଂସ୍ଥା ‌ଟେନ୍‌ସେଣ୍ଟ୍‌ ପକ୍ଷରୁ ଭାରତର ବାଇଜୁ, ଓଲା ଓ ଫ୍ଲିପ୍‌କାର୍ଟ ଆଦି‌ରେ ନିବେଶ କରାଯାଇଛି।

ସମ୍ବନ୍ଧିତ ଖବର