ଚୀନ ଏବେ ବିଶ୍ବର ୧ନଂ ଧନୀ ରାଷ୍ଟ୍ର, ଆମେରିକାକୁ ଟପିଲା

ନୂଆଦିଲ୍ଲୀ : ଧନ ସଂଗ୍ରହରେ ଚୀନ ଏବେ ଆମେରିକାକୁ ବି ଟପିଯାଇଛି । ମୋଟ ସଂପତ୍ତି ଦୃଷ୍ଟିରୁ ଚୀନ ଏବେ ବିଶ୍ବର ନଂ୧ ଧନୀ ରାଷ୍ଟ୍ରରେ ପରିଣତ ହୋଇଛି ।

ମ୍ୟାକିନସେ ଏଣ୍ଡ କୋ’ର ଏକ ରିପୋର୍ଟ ଅନୁସାରେ ୨୦୨୦ରେ ସମଗ୍ର ବିଶ୍ବର ମୋଟ ସମ୍ପତ୍ତି ପରିମାଣ ୫୨୦ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି । ୨୦୦୦ ମସିହାରେ ଏହା ୧୫୬ ଟ୍ରିଲିୟନ ଡଲାର ଥିଲା । ଏହି ୨୦ ବର୍ଷରେ ଚୀନର ସମ୍ପତ୍ତି ସବୁଠାରୁ ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ୨୦୦୦ ମସିହାରେ ଚୀନର ମୋଟ ସମ୍ପତ୍ତି ପରିମାଣ ମାତ୍ର ୭ ଟ୍ରିଲିୟନ ଡଲାର ଥିବାବେଳେ ୨୦୨୦ରେ ତାହା ୧୫୬ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଆମେରିକାର ସଂପତ୍ତି ଧୀମା ଗତିରେ ବୃଦ୍ଧି ପାଇ ୯୦ ଟ୍ରିଲିୟନ ଡଲାରରେ ପହଞ୍ଚିଛି ।

ବିଶ୍ବର ଏହି ଦୁଇଟି ବୃହତ୍ତମ ଅର୍ଥନୀତିର ମୋଟ ସମ୍ପତ୍ତିର ଦୁଇ-ତୃତୀୟାଂଶ  ୧୦ ପ୍ରତିଶତ ଧନୀ ଲୋକଙ୍କ ପାଖରେ ଠୁଳ ହୋଇ ରହିଛି । ବିଶ୍ବର ମୋଟ ୫୨୦ ଟ୍ରିଲିୟନ ଡଲାର ମୂଲ୍ୟର ସମ୍ପତ୍ତିର ପ୍ରାୟ ୬୮ ପ୍ରତିଶତ ରିଅଲ ଇଷ୍ଟେଟରେ ରହିଛି । ଅବଶିଷ୍ଟ ସମ୍ପତ୍ତି ଭିତ୍ତିଭୂମି, ମେସିନ ଓ ଉପକରଣ ଆଦି ରୂପରେ ରହିଛି । ଅଳ୍ପ କିଛି ସମ୍ପତ୍ତି ବୈଦ୍ଧିକ ସଂପଦ ଓ ପ୍ୟାଟେଣ୍ଟ୍ ଭାବେ ରହିଛି ।

ତେବେ ମ୍ୟାକକିନସେ ନିଜ ରିପୋର୍ଟରେ ସତର୍କ କରାଇଦେଇଛି ଯେ ବିଶ୍ବରେ ଯେଉଁ ଦ୍ରୁତ ପରିମାଣରେ ସଂପତ୍ତି ବୃଦ୍ଧି ପାଇଛି ତାହା ବିଶ୍ବର ଜିଡିପି ସହିତ ତାଳ ଖାଉନାହିଁ । ଏଣୁ ଫୁଲିଚାଲିଥିବା ଏହି ସଂପତ୍ତି ତିଷ୍ଠି ପାରିବ ନାହିଁ ।

ସମ୍ବନ୍ଧିତ ଖବର