ଆପ୍‌ରେ ଭାରତୀୟଙ୍କୁ ଲୁଟୁଛି ଚୀନ: ଲୋନ୍, ବେଟିଂ, ଡେଟିଂ ଆପ୍‌ ପାଲଟିଛି ମାଧ୍ୟମ

ଚୀନରୁ ପରିଚାଳିତ ହେଉଛି ୧୦୦ରୁ ଅଧିକ ଆପ୍‌, ବେଟିଂ ଆପ୍‌ରେ ନେଇଛନ୍ତି ୧୩୦୦ କୋଟି

ନୂଆଦିଲ୍ଲୀ, ୧୦/୯: ଭାରତୀୟ ସେନାକୁ ସୀମାରେ କେବଳ ଚୀନ ସେନା ଅସୁବିଧାରେ ପକାଇ ନାହିଁ ଆର୍ଥିକ କ୍ଷେତ୍ରରେ ମଧ୍ୟ ଚୀନର ଧୃତବ୍ୟକ୍ତିମାନେ ‌ଲୋନ୍, ବେଟିଂ, ଡେଟିଂ ଆପ୍ ଜରିଆରେ ‌ହଜାର ହଜାର କୋଟି ଟଙ୍କାର ଚୂନ ଭାରତୀୟଙ୍କୁ ଲଗାଇଛନ୍ତି। ଏପରିକି ସେମାନେ ଭାରତର ଆର୍ଥିକ ଗୁଇନ୍ଦା ୟୁନିଟ୍‌ (ଏଫଆଇୟୁ) ଆଖିରେ ଧୂଳି ଦେଇ ଭାରତର ଲୋକମାନଙ୍କୁ ଲୁଟିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଏତେ ବଡ଼ ଠକେଇ ସଂପର୍କରେ ସୂଚନା ମିଳିବା ପରେ ଚିନ୍ତା ବଢ଼ିଯାଇଛି। ଚୀନର ଅନେକ ନାଗରିକ ଭାରତରେ ବେଆଇନ ଭାବେ ଏକାଧିକ ଭାରତୀୟ କମ୍ପାନି ସ୍ଥାପନ କରିଛନ୍ତି। ହଜାର ହଜାର ‌କୋଟି ଟଙ୍କା ଭାରତୀୟଙ୍କ ଠାରୁ ସଂଗ୍ରହ କରିଛନ୍ତି। ଆଉ ସେହି ଅର୍ଥକୁ ସେମାନେ ଚୀନ ପଠାଇ ଦେଇଛନ୍ତି। ଆର୍ଥିକ ଗୁଇନ୍ଦା ୟୁନିଟ ଏହାର ପତ୍ତା ପାଇନାହିଁ।

ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଜରିଆରେ ପ୍ରଥମେ ସେମାନେ ନକଲି ଭାରତୀୟ ନିର୍ଦ୍ଦେଶକଙ୍କୁ ବ୍ୟବହାର କରି କମ୍ପାନି ସ୍ଥାପନ କରିଥିଲେ। ଏହାର କିଛିଦିନ ପରେ ଚୀନର ନାଗରିକମାନେ ଭାରତ ଆସି ସେସବୁ କମ୍ପାନିରେ ନିର୍ଦ୍ଦେଶକ ପଦରେ ବସିଛନ୍ତି। ଏଭଳି ଚିନ୍ତାଜନକ ବିଷୟ ପାଇଁ ଚୀନରୁ ନିୟନ୍ତ୍ରିତ ହେଉଥିବା ଏକାଧିକ ଲୋନ୍‌, ଡେଟିଂ ଏବଂ ବେଟିଂ ମୋବାଇଲ ଆପ୍‌ ଉପରେ ଗତ କିଛିଦିନ ହେଲା ଇଡି ଚଢ଼ଉ ହେଉଛି। ଚୀନ ଲୋକଙ୍କ ଦ୍ବାରା ପରିଚାଳିତ ହେଉଥିବା କମ୍ପାନିଗୁଡ଼ିକର ଖୋଳତାଡ଼ ବେ‌ଳେ ଇଡି ଜାଣିବାକୁ ପାଇଛି ଯେ ୧୦୦ରୁ ଅଧିକ ମୋବାଇଲ ଆପ୍‌ ଚୀନରୁ ପରିଚାଳିତ ହେଉଛି। ‌କେବଳ ବେଟିଂ ଆପ୍ ଜରିଆରେ ସେମାନେ ୧୩୦୦ କୋଟି ଟଙ୍କାରୁ ଅଧିକ ରାଜସ୍ବ ସଂଗ୍ରହ କରିଛନ୍ତି।

ଲୋନ୍, ବେଟିଂ, ଡେଟିଂ ଆପ୍‌ ପାଲଟିଛି ମାଧ୍ୟମ
ଚୀନରୁ ପରିଚାଳିତ ହେଉଛି ୧୦୦ରୁ ଅଧିକ ଆପ୍‌
ବେଟିଂ ଆପ୍‌ରେ ନେଇଛନ୍ତି ୧୩୦୦ କୋଟି
ପତ୍ତା ପାଇନି ଆର୍ଥିକ ଗୁଇନ୍ଦା ୟୁନିଟ୍

ଦୁଇବର୍ଷ ପୂର୍ବେ ଚୀନ୍ ବେଟିଂ ଓ ଡେଟିଂ ଆପ୍ ସହ ଜଡିତ ୪୭ କୋଟି ଟଙ୍କାକୁ ଇଡି ନିଷ୍କ୍ରିୟ କରିଥିଲା। ଏଚ୍‌ଏସ୍‌ବିସି ବ୍ୟାଙ୍କରେ ଏହି ଟଙ୍କା ରହିଥିଲା। ଏହା ପରେ ଇଡି ପେଟିଏମ୍‌, କ୍ୟାସଫ୍ରି ଏବଂ ରେଜରପେ ଭଳି ପେମେଣ୍ଟ୍ ଗେଟୱେ ଗୁଡ଼ିକରେ ଖୋଳତାଡ଼ କରିଥିଲା। ଏହି ସଂସ୍ଥାଗୁଡ଼ିକ ସାଧାରଣତଃ ବିଦେଶକୁ ହେଉଥିବା ବଡ଼ ଧରଣର ଆର୍ଥିକ କାରବାର ସଂପର୍କରେ ଆର୍ଥିକ ଗୁଇନ୍ଦା ୟୁନିଟ୍‌କୁ ସାଧାରଣତଃ ସୂଚନା ଦେବାର ଆବଶ୍ୟକତା ରହିଥାଏ। ଏଥିପାଇଁ ଗତ ସପ୍ତାହରେ ଇଡି ଏହି ସଂସ୍ଥାଗୁଡ଼ିକରେ ୧୭ କୋଟି ଟଙ୍କା ଜବତ କରିଛି। ଭାରତୀୟମାନଙ୍କୁ ଲୋନ୍ ଆପ୍‌ ଜରିଆରେ ‌ଏମାନେ ଧମକ ‌ଦେଇ ଟଙ୍କା ଆଦାୟ କରୁଥିଲେ। ଉକ୍ତ ଆପଗୁଡ଼ିକ କେବଳ ନିଷିଦ୍ଧ ଅନଲାଇନ୍ ବେଟିଂ ଚଳାଇ ନଥିଲେ ଅନଲାଇନ ‌ୱାଲେଟ ଏବଂ ସେମାନଙ୍କ ଦୁର୍ବଳ ନିୟାମକ ବ୍ୟବସ୍ଥାର ଫାଇଦା ଉଠାଇ ବିଦେଶକୁ କୋଟି କୋଟି ଟଙ୍କା ହାଓଲା ଆକାରରେ ପଠାଇ ଥାଇପାରନ୍ତି ବୋଲି ଇଡି ସନ୍ଦେହ କରୁଛି। ପେମେଣ୍ଟ ଗେଟୱେଗୁଡ଼ିକ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଇଡି ବର୍ତ୍ତମାନ ବ୍ୟାଙ୍କ ଏବଂ ନିୟାମକ ସଂସ୍ଥାଗୁଡ଼ିକ ସହିତ ଆଲୋଚନା ଚଳାଇଛି।

ବ୍ୟାଙ୍କ ଆକାଉଣ୍ଟ ଏବଂ ଟ୍ରେଡ ଆକାଉଣ୍ଟ ଖୋଲିବା ପାଇଁ ଭାରତୀୟମାନଙ୍କୁ ନିୟୋଜିତ କରାଯାଉଥିଲା। ଉଚ୍ଚ ସୁଧ ହାରରେ ପ୍ରଦାନ କରାଯାଉଥିବା ଋଣକୁ ଯେଉଁମାନେ ପରିଶୋଧ କରିପାରୁ ନଥିଲେ ସେମାନଙ୍କୁ ଧମକ ଚମକ ଦେବାଲାଗି ଭାରତୀୟମାନଙ୍କୁ ବ୍ୟବହାର କରାଯାଉଥିଲା। ଥରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା ପରେ ସଂପୃକ୍ତ ଆକାଉଣ୍ଟଧାରୀଙ୍କ ବିଭିନ୍ନ ପ୍ରକାର ତଥ୍ୟକୁ ଭାରତୀୟ କର୍ମଚାରୀଙ୍କ ଜରିଆରେ କୋରିୟର କରି ଚୀନକୁ ପଠାଇ ଦିଆଯାଉଥିଲା। ତଦନ୍ତରୁ ଜଣାଯାଇଛି ଯେ, ଚୀନର ଏସବୁ ବ୍ୟକ୍ତି ଏକାଭଳି ଦେଖାଯାଉଥିବା ବହୁସଂଖ୍ୟକ ୱେବସାଇଟ୍ ‌‌ଖୋଲିଛନ୍ତି। ଆମେରିକାର କ୍ଲାଉଡଫେୟାର ଜରିଆରେ ଏହି ୱେବସାଇଟ୍‌ଗୁଡ଼ିକ ଖୋଲାଯାଇଛି। ଏସବୁ ୱେବସାଇଟ୍‌ଗୁଡ଼ିକ ବିଭିନ୍ନ ଅନଲାଇନ ଆପ୍‌ ଜରିଆରେ ଅନଭିଜ୍ଞ ଭାରତୀୟଙ୍କୁ ଟା‌ର୍ଗେଟ କରି ସେମାନଙ୍କର ୟୁଜର କରିଥାନ୍ତି। ଏପରିକି ଟେଲି‌ଗ୍ରା‌ମ ଓ ହ୍ବାଟ୍‌ସଆପ ଜରିଆରେ ଛୋଟ ଛୋଟ ‌ସ୍ବତନ୍ତ୍ର ଗ୍ରୁପ୍ ସୃଷ୍ଟି କରାଯାଇ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏଜେଣ୍ଟମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି ବୋଲି ଇଡି ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର