ଚୀନ୍‌ରେ ମାନ୍ଦାବସ୍ଥା: ଏବେ ଭରସା ଚିକେନ୍, ଫ୍ରାଏଡ୍ ରାଇସ୍‌

ନୂଆଦିଲ୍ଲୀ: ଆମେରିକା ସହିତ ବାଣିଜ୍ୟ ‌ଲଢ଼େଇରେ ଚୀନ୍‌ର ଆର୍ଥିକ ମେରୁଦଣ୍ଡ ଦୋହଲିଗଲାଣି। ଦୁର୍ବଳ ହୋଇପଡ଼ିଥିବା ଅର୍ଥନୀତିକୁ ବଦଳ ଦେବା ପାଇଁ ଚୀନ୍‌ ପକ୍ଷରୁ ଅଭିନବ ଉପାୟ ସବୁ କାର୍ଯ୍ୟକାରୀ କରାଯାଉଛି। ରେସ୍ତୋରାଁଗୁଡ଼ିକୁ ଅଧିକ ସମୟ ପର୍ଯ୍ୟନ୍ତ ଖୋଲା ରଖାଯାଉଛି। ଏହା ପଛର ବଡ଼ କାରଣ ହେଉଛି ଲୋକମା‌ନେ ରେସ୍ତୋରାଁରେ ମିଳୁଥିବା ଚିକନେ୍ ଓ ଫାଏଡ୍‌ ରାଇସ୍‌ ଖାଇଲେ ଅର୍ଥନୀତିର ଗତି ବଜାୟ ରହିବ। ହଂକଂ ସୀମାବର୍ତି ଅଞ୍ଚଳରେ ରହିଛି ଚୀନ୍‌ର ସବୁଠୁ ବଡ଼ ଆର୍ଥିକ ଅଞ୍ଚଳ ଗୁଆଙ୍ଗଡୋଙ୍ଗ୍‌। ସେଠାରେ ଥିବା ରେସ୍ତୋରାଁଗୁଡ଼ିକ ନିଜର ସ୍ବାଦିଷ୍ଟ ଚିକେନ୍ ଓ ଫ୍ରାଏଡ୍ ରାଇସ୍‌ ପାଇଁ ପ୍ରସିଦ୍ଧ। ଏହି ରେସ୍ତୋରାଁଗୁଡ଼ିକ ବହୁ ପରିମାଣର ସେଫ୍‌ଙ୍କୁ ତାଲିମ ପ୍ରଦାନ କରିବେ। ଏହା ଜରିଆରେ ୨୦୨୨ ସୁଦ୍ଧା ଚୀନ୍ ବିପୁଳ ପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଚାହୁଁଛି। ଦୋକାନ ଓ ମଲ୍‌ଗୁଡ଼ିକୁ ଅଧିକ ସମୟ ଖୋଲା ରଖିବାକୁ ବେଜିଂ ଆଗ୍ରହ ପ୍ରକାଶ କରିଛି। ଏଥି ସହିତ ଲୋକମାନେ ଯେଭଳି ଅଧିକ ଖର୍ଚ କରିପାରିବେ ସେଥିପାଇଁ ସେମାନଙ୍କୁ ସପ୍ତାହରେ ଅଢ଼େଇ ଦିନ ଛୁଟି ଦେବା ବିଷୟରେ ବିଚାର କରାଯାଉଛି। ୨୦୦୮ରେ ସମଗ୍ର ବିଶ୍ବ ମାନ୍ଦାବସ୍ଥା କବଳରେ ପଡ଼ିଥିବା ‌ସମୟରେ ଚୀନ୍‌ ସାମାନ୍ୟ ଭଲ ସ୍ଥିତିରେ ଥିଲା। କିନ୍ତୁ ଏବେ ଏହାର ଅବସ୍ଥା ବହୁତ ଖରାପ ହୋଇଯାଇଛି। ମାନ୍ଦାବସ୍ଥାର ପ୍ରଭାବ ଖୁଚୁରା ସାମଗ୍ରୀ ବିକ୍ରି ଓ ଶ୍ରମ ବଜାର ଉପରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଆପଲ୍ ଓ ଫକ୍ସୱାଗନ୍ ଭଳି ବିଶ୍ବ ସ୍ତରୀୟ କଂପାନିଗୁଡ଼ିକ ମଧ୍ୟ ଚୀନ୍‌ ମାନ୍ଦାବସ୍ଥାକୁ ସାମ୍ନା କରୁଛନ୍ତି।

ସମ୍ବନ୍ଧିତ ଖବର