ଅନ୍ୟ ଦେଶ ଜରିଆରେ ସାମଗ୍ରୀ ପଠାଇପାରେ ଚୀନ୍

ନୂଆଦିଲ୍ଲୀ : ହଂକଂ ଓ ସିଙ୍ଗାପୁର ଭଳି ଦେଶକୁ ବ୍ୟବହାର କରି ଚୀନ୍ ଏହାର ନିବେଶ ଓ ସାମଗ୍ରୀ ଭାରତକୁ ପଠାଇପାରିବ। ଭାରତ ଏଭଳି ଆଶଙ୍କା ପ୍ରକଟ କରିଛି। ଯେଉଁ ଦେଶଗୁଡ଼ିକ ସହିତ ଭାରତର ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) ଓ ଅଗ୍ରାଧିକାର ଭିତ୍ତିକ ବାଣିଜ୍ୟ ଚୁକ୍ତି (ପିଟିଏ) ରହିଛି ସେମାନଙ୍କୁ ହାତ କରି ଚୀନ୍ ଏହାର ସାମଗ୍ରୀଗୁଡ଼ିକୁ ଭାରତ ପଠାଇବା ଲାଗି ଉଦ୍ୟମ କରିବ। ଏଭଳି କାର୍ଯ୍ୟ ବେଆଇନ ହୋଇଥିବା ବେଳେ ତାହା ଦେଶର ସ୍ଥାନୀୟ ଶିଳ୍ପକୁ ଗୁରୁତର କ୍ଷତି ପହଞ୍ଚାଇବ। ତଥ୍ୟ ଅନୁଶୀଳନରୁ ଜଣାପଡ଼ିଛି ଯେ, ଚୀନ୍‌ରୁ ନାମକୁ ମାତ୍ର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆସିଛି। କିନ୍ତୁ ଭାରତର ଅନେକ ସଂସ୍ଥାରେ ଚୀନ୍ ସଂସ୍ଥାଗୁଡ଼ିକ ବିପୁଳ ମାତ୍ରାର ନିବେଶ କରିଛନ୍ତି। କିଛି ଦିନ ହେଲାଣି ଚୀନ୍‌ରୁ ସିଧାସଳଖ ଆସୁଥିବା ସାମଗ୍ରୀ ପରିମାଣ କମିଥିଲେ ମଧ୍ୟ ହଂକଂ ଓ ସିଙ୍ଗାପୁର ଦେଇ ଆସୁଥିବା ସାମଗ୍ରୀର ପରିମାଣ ବଢ଼ିଛି। ସିଙ୍ଗାପୁର ଓ ଆସିଆନ୍ ରାଷ୍ଟ୍ର ସମୂହ ସହିତ ଭାରତ ମୁକ୍ତ ବାଣିଜ୍ୟ ରାଜିନାମା ସ୍ବାକ୍ଷର କରିଛି। ତେଣୁ ଏହି ସବୁ ଦେଶ ଜରିଆରେ ଅତି ସହଜରେ ଚୀନ୍ ଭାରତକୁ ଏହାର ସାମଗ୍ରୀ ପଠାଇପାରିବ।

ସମ୍ବନ୍ଧିତ ଖବର