ନୂଆଦିଲ୍ଲୀ: ଏଥର ଦୀପାବଳିରେ ଚୀନ୍ ସାମଗ୍ରୀ ବିକ୍ରି ବହୁତ କମିଯିବ। ଶିଳ୍ପ ସଂଘ ଆସୋଚାମ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ଚଳିତ ବର୍ଷ ଚୀନ୍ ନିର୍ମିତ ଆଲୋକ ସାମଗ୍ରୀ, ଉପହାର, ଲ୍ୟାମ୍ପ୍ ଏବଂ ଓ୍ଵାଲ୍ ହ୍ୟାଙ୍ଗିଙ୍ଗ୍ ବିକ୍ରି ପାଖାପାଖି ୪୫% କମିବ ବୋଲି ଆକଳନ କରାଯାଉଛି।
ଗତବର୍ଷ ଦୀପାବଳିରେ ୬୫୦୦ କୋଟି ଟଙ୍କାର ଚୀନ୍ ସାମଗ୍ରୀ ବିକ୍ରି ହୋଇଥିଲା। ସେଥି ମଧ୍ୟରୁ ୪୦୦୦ କୋଟି ଟଙ୍କାରେ ଲୋକମାନେ କେବଳ ଦୀପାବଳିରେ ବ୍ୟବହାର ହେଉଥିବା ଖେଳନା, ଫେନସି ଲାଇଟ୍, ଉପହାର ସାମଗ୍ରୀ, ପ୍ଲାଷ୍ଟିକ୍ ତାର ଏବଂ ସାଜ୍ଜସଜା ସାମଗ୍ରୀ ଖରିଦ କରିଥିଲେ।
ଚଳିତ ବର୍ଷ ଦେଶର ଲୋକମାନେ ଚୀନ୍ରେ ପ୍ରସ୍ତୁତ ଆକର୍ଷଣୀୟ ସାମଗ୍ରୀ ବଦଳରେ ଦେଶ ଭିତରେ ନିର୍ମାଣ କରାଯାଇଥିବା ଉତ୍ପାଦକୁ ଅଧିକ ପସନ୍ଦ କରିବେ। ମାଟି ଦୀପର ଚାହିଦା ଅଧିକ ରହିବ ବୋଲି ଆସୋଚାମ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି।
ବିଭିନ୍ନ ସହରରେ ଗ୍ରାହକମାନଙ୍କୁ ନେଇ ଆସୋଚାମ୍ ପକ୍ଷରୁ ସର୍ଭେ କରାଯାଇଥିଲା। ଅଧିକାଂଶ ରାଜ୍ୟରେ ଚୀନ୍ ସାମଗ୍ରୀର ବିକ୍ରି ୩୦% କମିବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଦୀପାବଳିରେ ଚୀନ୍ ସାମଗ୍ରୀ ଉପରେ ଭାରି ପଡ଼ିବ ସ୍ୱଦେଶୀ ସାମଗ୍ରୀ। ପ୍ରତିବର୍ଷ ଏହି ଉତ୍ସବ ସମୟରେ ଚୀନ୍ରେ ନିର୍ମାଣ କରାଯାଇଥିବା ଫେନ୍ସି ଲାଇଟ୍, ଲ୍ୟାମ୍ପ୍ସେଡ୍, ଗଣେଶ ଏବଂ ଲକ୍ଷ୍ମୀ ପ୍ରତିମା, ରଙ୍ଗୋଲି ଏବଂ ବାଣର ବହୁତ ଚାହିଦା ରହିଥାଏ।
ଆସୋଚାମ୍ର ସେକ୍ରେଟାରି ଜେନେରାଲ୍ ଡି ଏସ୍ ରାଓ୍ଵତ୍ କହିଛନ୍ତି ଯେ ଚୀନ୍ର ସାଜ୍ଜସଜା ସାମଗ୍ରୀ ବିକ୍ରି ଏଥର ୪୦-୪୫% କମିଯିବ। ମାତ୍ର ଚୀନ୍ର ମୋବାଇଲ୍ ଫୋନ୍ ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି ସାମାନ୍ୟ ପ୍ରଭାବିତ ହେବ। ଚୀନ୍ରେ ନିର୍ମାଣ କରାଯାଇଥିବା ଏଲ୍ସିଡି, ମୋବାଇଲ୍ ଫୋନ୍ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣଗୁଡ଼ିକର ଚାହିଦା ୧୫-୨୦% କମ୍ ରହିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।
ସର୍ଭେରେ ଭାଗ ନେଇଥିବା ଦୋକାନୀମାନେ କହିଛନ୍ତି ଯେ ଗ୍ରାହକମାନେ ମାଟି ଦୀପ ମାଗୁଛନ୍ତି। ସେମାନେ ଚୀନ୍ ସାମଗ୍ରୀ କିଣିବା ପାଇଁ ଏତେଟା ଆଗ୍ରହ ଦେଖାଉନାହାନ୍ତି। ଲୋକମାନେ ଏଥର ଦେଶ ଭିତରେ ତିଆରି ହୋଇଥିବା ବାଣକୁ ଅଧିକ ପସନ୍ଦ କରିବେ ବୋଲି ସର୍ଭେରୁ ଜଣାପଡ଼ିଛି।
ଆସୋଚାମ୍ ପକ୍ଷରୁ ଏହି ସର୍ଭେ ପାଇଁ ଅହମ୍ମଦାବାଦ, ବାଙ୍ଗାଲୋର, ଭୋପାଳ, ଚେନ୍ନାଇ, ଡେରାଡୁନ୍, ଦିଲ୍ଲୀ, ହାଇଦ୍ରାବାଦ, ଜୟପୁର, ଲକ୍ଷ୍ନୌ ଏବଂ ମୁମ୍ବାଇରେ ଥିବା ପାଇକାରୀ ବିକ୍ରେତା, ରିଟେଲର ଏବଂ ବ୍ୟବସାୟୀମାନଙ୍କ ସହ ଆଲୋଚନା କରାଯାଇଥିଲା।
ଚୀନ୍ ସାମଗ୍ରୀ ବିକ୍ରି ୪୫% କମିବ
ଦୀପାବଳି ବଜାର
/sambad/media/post_attachments/wp-content/uploads/2017/10/china-made.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)