ନୂଆଦିଲ୍ଲୀ : ଭାରତୀୟ କମ୍ପାନିମାନଙ୍କୁ ଚୀନ କବଳରୁ ମୁକ୍ତ ରଖିବାକୁ ଭାରତ ସରକାର କିଛି ଦିନ ତଳେ ନିଜର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନିୟମରେ ସଂଶୋଧନ ଆଣିଥିଲେ । ଏହା ଫଳରେ ଭାରତର ପଡ଼ୋଶୀ ଦେଶମାନେ ସରକାରଙ୍କ ବିନା ଅନୁମତିରେ ଭାରତରେ ନିବେଶ କରିପାରିବେ ନାହିଁ ।
ତେବେ ଭାରତ ସରକାରଙ୍କ ଏହି ପଦକ୍ଷେପକୁ ଚୀନ ତୀବ୍ର ବିରୋଧ କରିଛି । ଭାରତରେ ଥିବା ଚୀନ ଦୂତାବାସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ଭାରତ ସରକାରଙ୍କ ଏହି ପଦକ୍ଷେପ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ) ନିୟମର ବିରୋଧୀ । ଏହା ମଧ୍ୟ ଜଗତିକରଣ ଓ ଉଦାରିକରଣ ନୀତିର ବିରୁଦ୍ଧାଚରଣ କରୁଛି ।
ଚୀନ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଚୀନ ଭାରତରେ ବିପୁଳ ପରିମାଣରେ ନିବେଶ କରି ଏହାର ଅର୍ଥନୈତିକ ବିକାଶରେ ସହଭାଗୀ ହୋଇପାରିଛି । କରୋନା ଭାଇରସ ମୁକାବିଲା କ୍ଷେତ୍ରରେ ମଧ୍ୟ ଚୀନ ଭାରତର ସହାୟତା କରୁଛି । ତଥାପି ଭାରତ ସରକାରଙ୍କ ଏହି ପଦକ୍ଷେପ ଦୁର୍ଭାଗ୍ୟଜନକ ।
ସୂଚନାଯୋଗ୍ୟ ଯେ କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଘନେଇ ଆସୁଥିବାରୁ ତାହାର ଫାଇଦା ନେଇ ଚୀନ ବିଭିନ୍ନ କମ୍ପାନିକୁ ଅଧିକାର କରିବାକୁ ଉଦ୍ୟମ କରୁଛି । ଭାରତର ଏଚଡିଏଫସି ବ୍ୟାଙ୍କରେ ଚୀନର କେନ୍ଦ୍ରୀୟ ବ୍ୟାଙ୍କ ନିଜର ଅଂଶଧନ ୧ ପ୍ରତିଶତକୁ ବୃଦ୍ଧି କରିଛି ।