ନୂଆଦିଲ୍ଲୀ: ଚୀନ୍‌ରେ ଧନୀମାନଙ୍କୁ ଚୁପ୍ କରିବା ଲାଗି ସରକାର ବଡ଼ ଧରଣର ଅଭିଯାନ ଆରମ୍ଭ କରିଛନ୍ତି। ଆଲିବାବା ଗ୍ରୁପ୍‌ର ମୁଖ୍ୟ ଜ୍ୟାକ୍‌ ମା’ଙ୍କୁ ଚୁପ୍ କରିବା ପରେ ଅନ୍ୟ ପ୍ରମୁଖ ଧନୀମାନଙ୍କ ବିରୋଧରେ ସେଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସି ଜିନ୍‌ପିଙ୍ଗ୍‌ଙ୍କ ସରକାର ପ୍ରସ୍ତୁତ ହେଉଛି। ଧନୀମାନଙ୍କ ସ୍ବରକୁ ଦବାଇବା ଲାଗି ଜୋରଦାର ଉଦ୍ୟମ ଚାଲିଛି। ସର୍ବଦା ଡିଜିଟାଲ୍ ଦୁନିଆରେ ସକ୍ରିୟ ରହୁଥିବା ଜ୍ୟାକ୍‌ ମା’ଙ୍କୁ ଆଠ ମାସ ହେଲାଣି ସାର୍ବଜନୀନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ। ତାଙ୍କ କଂପାନିର ମୂଲ୍ୟ ୭୦୦୦ କୋଟି ଡଲାର ଖସିଗଲାଣି। ସେ ବର୍ତ୍ତମାନ କେଉଁ ସ୍ଥିତିରେ ଅଛନ୍ତି ତାହା ଚୀନ୍‌ ବାହାରେ ରହୁଥିବା ଲୋକମାନେ ଜାଣିପାରୁନାହାନ୍ତି। ସରକାରଙ୍କୁ ସମାଲୋଚନା କରିବା ପରେ ତାଙ୍କର ଏଭଳି ଅବସ୍ଥା ହୋଇଛି। ଏହା ପୂର୍ବରୁ ସେ ବହୁତ ଭଲ ସ୍ଥିତିରେ ଥିଲେ।

Advertisment

ଜଣେ ସଫଳ ବ୍ୟବସାୟୀ ଓ ବଦାନ୍ୟ ବ୍ୟକ୍ତି ଭାବେ ସାରା ଦୁନିଆରେ ତାଙ୍କର ସୁନାମ ରହିଥିଲା। ଚମତ୍କାର ବ୍ୟବସାୟ ପରିଚାଳନା ଦକ୍ଷତା ଯୋଗୁଁ ତାଙ୍କ କଥ‌ାକୁ ଉଦ୍ୟୋଗୀମାନେ ବହୁତ ଗୁରୁତ୍ବ ଦେଉଥିଲେ। ଜ୍ୟାକ୍‌ ମା’ଙ୍କ ପରେ ଏବେ ଦେଶର ଅନ୍ୟ ପ୍ରମୁଖ ଧନୀ ବ୍ୟକ୍ତି ବିଶେଷ କରି ଯେଉଁମା‌ନେ ଇଣ୍ଟରନେଟ୍‌କୁ ମାଧ୍ୟମ କରି କାରବାର କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚୀନ୍‌ ସରକାର ପ୍ରସ୍ତୁତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ ଟେନ୍‌ସେଣ୍ଟ୍‌ ହୋଲ୍‌ଡିଂ, ଟିକ୍‌ଟକ୍‌ର ମାଲିକ ବାଇଟ୍‌ଡ୍ୟାନ୍ସ, ଜେଡି ଡଟ୍‌ କମ୍ ଓ ଡିଡି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆଶଙ୍କା ରହିଛି।

କିଛି ବର୍ଷ ଭିତରେ ଇଣ୍ଟରନେଟ୍ କଂପାନିଗୁଡ଼ିକ ବେଶ ଶକ୍ତିଶାଳୀ ହୋଇପଡ଼ିଛନ୍ତି। ସେମାନଙ୍କ ପାଖରେ ଯେଉଁ ଶକ୍ତି ରହିଛି ତାହାକୁ ବ୍ୟବହାର କରି ସେମାନେ ସରକାର ବଦଳାଇ ଦେଉଛନ୍ତି। ଏଭଳି ସଂସ୍ଥା ଉପରେ କିଭଳି ନିୟନ୍ତ୍ରଣ ହାସଲ କରିହେବ ତାହା ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି। ଚୀନ୍‌ ଯେଉଁଭଳି ଭାବେ ଇଣ୍ଟରନେଟ୍‌ କଂପାନିଗୁଡ଼ିକୁ ଚୁପ୍‌ କରିବା ଆରମ୍ଭ କରିଛି ତାହା ଅନ୍ୟ ଦେଶଗୁଡ଼ିକ ଲାଗି ଉଦାହରଣ ପାଲଟିବ ବୋଲି କୁହାଯାଉଛି। ଚୀନ୍‌ରେ ବିଭିନ୍ନ ସରକାରୀ କଳ ଓ ଏଜେନ୍ସିକୁ ବ୍ୟବହାର କରି ଧନୀମାନଙ୍କୁ ଚୁପ୍ କରାଇବା ଉଦ୍ୟମ ହେଉଛି।