ନୂଆଦିଲ୍ଲୀ: ଆମେରିକାର ଜୋ ବାଇଡେନ୍ ସରକାର ଚୀନ୍ର ବିଭିନ୍ନ ସାମଗ୍ରୀ ଉପରେ ଟିକସ ବଢ଼ାଇବା ପରେ ଭାରତ ପ୍ରତି ବିପଦ ସୃଷ୍ଟି ହୋଇଛି। ଚୀନ୍ ଉତ୍ପାଦନ କରୁଥିବା ଶସ୍ତା ଜିନିଷଗୁଡ଼ିକୁ ଭାରତ ପଠାଇବ। ଏକ ଅଳିଆ ଗଦା ଭାବେ ତାହା ଭାରତକୁ ବ୍ୟବହାର କରିବାର ଆଶଙ୍କା ସୃଷ୍ଟି ହୋଇଛି।
ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଜିଟିଆର୍ଆଇ) ପକ୍ଷରୁ କୁହାଯାଇଛି ଯେ ଆମେରିକା ଟିକସ ବଢ଼ାଇଥିବାରୁ ଚୀନ୍ ଏହାର ଇଲେକ୍ଟ୍ରିକ୍ ଯାନ (ଇଭି), ବ୍ୟାଟେରି ଓ ଅନ୍ୟାନ୍ୟ ଜିନିଷକୁ ଭାରତ ସମେତ ବିଭିନ୍ନ ଦେଶରେ ନେଇ ଫୋପାଡ଼ିବ। ତେଣୁ ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଟ୍ରେଡ୍ ରେମେଡିଜ୍ ଏହା ଉପରେ ନଜର ରଖିବା ଦରକାର ବୋଲି ଏହା କହିଛି। ଚୀନ୍ର ମେଡିକାଲ୍ ମାସ୍କ, ସିରିଞ୍ଚ, ଛୁଞ୍ଚି, ଗ୍ଲୋଭ୍ସ ଉପରେ ଟିକସ ବୃଦ୍ଧି ହୋଇଥିବାରୁ ସେହି ଜିନିଷଗୁଡ଼ିକର ରପ୍ତାନି ବଢ଼ାଇବା ଲାଗି ଭାରତ ପାଖରେ ସୁଯୋଗ ସୃଷ୍ଟି ହୋଇଛି। ସେହି ଜିନିଷଗୁଡ଼ିକର ଉତ୍ପାଦନ ବଢ଼ାଇ ଓ ତାହାକୁ ରପ୍ତାନି କରି ଆମେରିକା ସହ ଭାରତ ଏହାର ଦ୍ବିପାକ୍ଷିକ କାରବାରକୁ ଆହୁରି ବଢ଼ାଇ ପାରିବ ବୋଲି ଜିଟିଆର୍ଆଇର ସହ ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବ କହିଛନ୍ତି। ସେ କହିଛନ୍ତି ଯେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ଚୀନ୍ ଉପରେ ନିର୍ଭରଶୀଳତା କମ୍ କରିବା ଉପରେ କାମ କରୁଛନ୍ତି। ଏଭଳି ଏକ ସମୟରେ ଭାରତକୁ ଚୀନ୍ ଭଳି ରଣନୀତି ଗ୍ରହଣ କରି ସେହି ସୁଯୋଗ ହାତେଇବା ଲାଗି ଉଦ୍ୟମ କରିବାକୁ ହେବ।
ଚୀନ୍ର ଡମ୍ପିଂ ଆଶଙ୍କାକୁ ଜଣେ ସରକାରୀ ଅଧିକାରୀ ଖାରଜ କରିଛନ୍ତି। ସେ କହିଛନ୍ତି ଯେ ସମ୍ଭାବ୍ୟ ଡମ୍ପିଂ ଉପରେ ନଜର ରଖିବା ଲାଗି ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଟ୍ରେଡ୍ ରେମେଡିଜ କାମ କରୁଛି। ଏଭଳି ସମସ୍ୟାର ମୁକାବିଲା ଲାଗି ଭାରତରେ କଡ଼ା ଆଇନ ରହିଛି।