ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ପ୍ରାଣହାନୀ ପରେ ଭାରତ ସରକାର ଆରମ୍ଭ କରିଥିବା ଅପରେସନ ସିନ୍ଦୂର ପରେ ଅନେକ କିଛି ସ୍ପଷ୍ଟ ହୋଇଯାଇଛି। ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ସିଧାସଳଖ ସମର୍ଥନ ଦେଇ ଚୀନ୍ ନିଜର ଅସଲ ଚେହେରା ଦେଖାଇଛି। ଭାରତୀୟ ଅର୍ଥନୀତିକୁ ଦୁର୍ବଳ କରିବା ଲାଗି ଚୀନ୍‌ର ରହିଥିବା ବଡ଼ ଷଡ୍‌ଯନ୍ତ୍ରର ଏହା ଏକ ଅଂଶ। ଭାରତରେ ଅସ୍ଥିରତା ସୃ‌ଷ୍ଟି କରି ଅର୍ଥନୀତିର ଗତିକୁ ରୋକିବା ଲାଗି ଏହା ପାକିସ୍ତାନକୁ ଯୁଦ୍ଧ ପାଇଁ ସହାୟତା ଦେଉଛି। ଭାରତକୁ ଉସୁକାଇବା ଲାଗି ସବୁ ପ୍ରକାର ଉଦ୍ୟମ କରୁଛି।

Advertisment

ଉଦିତ୍‌ ଗୋଏଙ୍କା ନାମକ ଜଣେ ଏଞ୍ଜେଲ ନିବେଶକ ଜଣାଇଛନ୍ତି ଯେ ଚୀନ୍ ବିରୋଧରେ ଆମେରିକା ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିବା ପରେ ସେଠାରେ କାରଖାନାଗୁଡ଼ିକ ବନ୍ଦ ହେଉଛି। ଯେଉଁ ସବୁ କମ୍ପାନି ଚୀନ୍‌ରେ କାରଖାନା ବସାଇଥିଲେ, ଏବେ ସେମାନେ ଭାରତ ମୁହାଁ ହୋଇଛନ୍ତି। କାରଖାନାଗୁଡ଼ିକ ବନ୍ଦ ହେବାରୁ ଚୀନ୍‌ରେ ବେକାର ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିପାଇଁ ଏହା ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଭାରତ ଆର୍ଥିକ ସ୍ତରରେ ବେଶ୍ ଦୃଢ଼। ସବୁ କ୍ଷେତ୍ରରେ ଏହା ଆଗକୁ ମାଡ଼ି ଚାଲିଛି। ବିଶ୍ବର ସର୍ବା‌ଧିକ ଗ୍ରାହକ ଭାରତରେ ଥିବାରୁ ପ୍ରତିଟି ଦେଶର ନଜର ଏହି ବଜାର ଉପରେ ରହିଛି। ଯୁଦ୍ଧ ହେ‌ଲେ ନିବେଶକମାନେ ଭୟଭୀତ ହୋଇ ଭାରତରୁ ପଳାୟନ କରିବେ। ଫଳରେ ଭାରତର ବିକାଶ ଅଟକିଯିବ।

ଏହା ହିଁ ଚାହୁଛି ଚୀନ୍ ବୋଲି ସେ ଜଣାଇଛନ୍ତି। ତାଙ୍କ ମତରେ ଚୀନ୍ ସେହି ସବୁ କିଛି ପଦକ୍ଷେପ ନେବ ଯାହା ଦ୍ବାରା ଭାରତରେ ସବୁବେଳେ ଉତ୍ତେଜନା, ଅସ୍ଥିରତା ଓ ଅଶାନ୍ତି ଲାଗିରହିବ। ଏହାର ସର୍ବାଧିକ ଲାଭ ଚୀନ୍‌କୁ ମିଳିବ। ସେଥିପାଇଁ ଏହା ପାକିସ୍ତାନ ଜରିଆରେ ଭାରତ ଉପରେ ଆକ୍ରମଣ କରୁଛି। ପାକିସ୍ତାନକୁ ଏହା ପାଣ୍ଠି ଓ ଅସ୍ତ୍ରଶସ୍ତ୍ର ମଧ୍ୟ ଦେଉଛି। ଭାରତ ଓ ପାକିସ୍ତାନ ମଧ୍ୟରେ ହେଉଥିବା ଯୁଦ୍ଧ ପଛରେ ଚୀନ୍‌ର ପ୍ରଚ୍ଛଦ ହାତ ଥିବା ବିଷୟକୁ ଅସ୍ବୀକାର କରାଯାଇପାରୁନାହିଁ। କାରଣ ଚୀନ୍ ସରକାରଙ୍କ ତରଫରୁ ବାରମ୍ବାର ପାକିସ୍ତାନ ସମର୍ଥନରେ ଓ ଭାରତ ବିରୋଧରେ ବୟାନ ଦିଆଯାଉଛି। ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଯେଉଁଭଳି ଭାବେ ଚୀନ୍‌କୁ କୃତଜ୍ଞତା ଜଣାଇଛନ୍ତି, ତାହା ଏହି କଥାକୁ ଆହୁରି ସ୍ପଷ୍ଟ କରୁଛି।