ଚୀନ୍‌ର ଶୂନ୍ୟ କୋଭିଡ୍ ନୀତି: ଛୋଟ ବାକ୍ସ ଘରେ ରହୁଛନ୍ତି ଆକ୍ରାନ୍ତ

ବେଜିଂ: ଚୀନ୍ ତା’ର ଅତି ନିଷ୍ଠୁର ଶୂନ୍ୟ କୋଭିଡ୍ ନୀତି ଅନୁଯାୟୀ କରୋନା ମହାମାରୀର ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଆସୁଛି। ସେହି ଅନୁଯାୟୀ ସଂକ୍ରମିତ ବ୍ୟକ୍ତିକୁ ଆବଦ୍ଧ ଧାତବ ବାକ୍ସ ଭିତରେ ଭର୍ତ୍ତି କଲା ଭଳି ସମସ୍ତ ପ୍ରକାର ସଂସ୍ରବରୁ ଦୂରରେ ରଖାଯାଉଛି। ଆସନ୍ତା ମାସରେ ବେଜିଂ ‘ୱିଣ୍ଟର ଅଲିମ୍ପିକ୍ସ’ର ଆୟୋଜନ କରିବାକୁ ଯାଉଥିବା ବେଳେ କୋଭିଡ୍-୧୯କୁ ନିୟନ୍ତ୍ରଣରେ ରଖିବା ପାଇଁ ଅତି କଠୋର ନୀତି ଅବଲମ୍ବନ କରାଯାଉଛି। ଜିଆନ, ଅନ୍ୟାଙ୍ଗ ଓ ୟୁଝୋ ପରିସ୍ଥିତି ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଥିବା ଭିଡିଓଗୁଡ଼ିକରୁ ଜଣାପଡ଼ୁଛି ଅଳ୍ପ କେଇଜଣ ଓମିକ୍ରନ୍ ସଂକ୍ରମିତ ହେବା ଜଣାପଡ଼ିବା ପରେ ଲୋକଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଛି। ଗର୍ଭବତୀ ମହିଳା, ଶିଶୁ ବା ବୟସ୍କ ଯେକୌଣସି ବ୍ୟକ୍ତିକୁ ଜବରଦସ୍ତ ଛୋଟ ବାକ୍ସ ପରି ଘର ଭିତରେ ରଖାଯାଉଛି। ଏପରି କି ଅଞ୍ଚଳରେ ଗୋଟିଏ ଲୋକ ବି ପଜିଟିଭ୍ ଜଣାପଡ଼ିଲେ ଏହିପରି ପଦକ୍ଷେପ ନିଆଯାଉଛି।

ରିପୋର୍ଟ ଅନୁସାରେ ବାକ୍ସ ପରି ଘର ଭିତରେ ଗୋଟିଏ ଛୋଟ ଖଟ ଓ ପାଇଖାନା ଅଛି। ଲୋକଙ୍କୁ ତା’ରି ଭିତରେ ଦୁଇ ସପ୍ତାହ ରହିବାକୁ ପଡ଼ୁଛି। ଚଳପ୍ରଚଳ ହେବାକୁ ତା’ ଭିତରେ ଅଧିକ ଜାଗା ନ ଥାଏ। ଏପରି କି ଲୋକଙ୍କୁ ରାତି ଅଧରେ କୁହାଯାଏ ଯେ ତାଙ୍କୁ ସଙ୍ଗେ ସଙ୍ଗେ କ୍ବାରାଣ୍ଟାଇନ କେନ୍ଦ୍ରକୁ ଯିବାକୁ ପଡ଼ିବ ଏବଂ ତାଙ୍କୁ ଘରୁ ନେଇଯାନ୍ତି। ଚୀନ୍‌ର ଏପରି କଡ଼ା ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଚାନ୍ଦ୍ର ନବବର୍ଷ ଆରମ୍ଭ ହେବା ଓ ଆସନ୍ତା ମାସରେ ୱିଣ୍ଟର ଅଲିମ୍ପିକ୍ସର ଆୟୋଜନ ପୂର୍ବରୁ କ‌ରୋନା ମହାମାରୀର ମୂଳୋତ୍ପାଟନ କରିବା। ଚୀନ୍‌ର ଡ୍ରାକୋନୀୟ ନୀତି ଯୋଗୁ ନିକଟରେ ଜଣେ ଗର୍ଭବତୀ ମହିଳା ତାଙ୍କ ଶିଶୁକୁ ହରାଇଛନ୍ତି। ଲକ୍‌ଡାଉନ୍ କଟକଣା ସମୟରେ ଜିଆନର ଏକ ହସ୍ପିଟାଲ ପ୍ରସବ ନିମନ୍ତେ ଆସିଥିବା ଏହି ମହିଳାଙ୍କୁ ଭିତରେ ପୂରାଇ ଦେଲା ନାହିଁ। କାରଣ ଭାବେ ଦର୍ଶାଇଲା ଯେ ତାଙ୍କର ନେଗେଟିଭ୍ ରିପୋର୍ଟ ୪ ଘଣ୍ଟାର ପୁରୁଣା। ଆଉ ଜଣେ ଯୁବକ ହୃଦ୍‌ରୋଗରେ ଗୁରୁତର ଅବସ୍ଥାରେ ଜିଆନର ଏକ ହସ୍ପିଟାଲକୁ ଆସିଥିବା ବେଳେ ତାଙ୍କୁ ଭିତରକୁ ଯିବା ପାଇଁ ଅନୁମତି ମିଳିଲା ନାହିଁ କାରଣ ସେ ଏକ ମଧ୍ୟମ ସଂକ୍ରମଣଶୀଳ ସହରରୁ ଆସିଥିଲେ। ଫଳରେ ହୃଦ୍‌ଘାତରେ ଯୁବକଙ୍କର ମୃତ୍ୟୁ ଘଟିଲା। ଚୀନ୍‌ର ଏପରି ନୀତିକୁ ସାମାଜିକ ଗଣମାଧ୍ୟମରେ ବ୍ୟାପକ ସମାଲୋଚନା କରାଯାଉଛି।

ସମ୍ବନ୍ଧିତ ଖବର