ଗୁରୁଗ୍ରାମ : ମିଥ୍ୟା ଖବରର ପ୍ରତିବାଦ କରିଥିବା ଜଣେ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିବା ଚୀନ୍ର କଂପାନି ଆଲିବାବା ଏବଂ ଏହାର ମୁଖ୍ୟ ଜ୍ୟାକ୍ ମା'ଙ୍କୁ ଗୁରୁଗ୍ରାମ୍ର ଏକ କୋର୍ଟ ସମନ ଜାରି କରିଛନ୍ତି। ଚଳିତ ମାସ ୨୯ରେ ବ୍ୟକ୍ତିଗତ ଭାବେ ହାଜର ହେବା ଲାଗି କଂପାନିର ଡଜନେ ପାଖାପାଖି ଅନ୍ୟ ଅଧିକାରୀଙ୍କୁ ମଧ୍ୟ ସମନ ଜାରି କରାଯାଇଛି। ଆଲିବାବାର କଂପାନି ୟୁସି ୱେବ୍ ପାଇଁ ପୁଷ୍ପେନ୍ଦ୍ର ସିଂହ ପରମାର୍ ନାମକ ଜଣେ ବ୍ୟକ୍ତି ୨୦୧୭ ଅକ୍ଟୋବର ପର୍ଯ୍ୟନ୍ତ ଆସୋସିଏଟ୍ ଡାଇରେକ୍ଟର ଭାବେ କାର୍ଯ୍ୟ କରିିଥିଲେ। କଂପାନିରେ ମିଥ୍ୟା ଖବରର ପ୍ରଚାର ଏବଂ ଚୀନ୍ ବିରୋଧୀ ଖବରଗୁଡ଼ିକୁ ଜାଣିଶୁଣି ଅଟକାଇ ଦିଆଯାଉଥିବାର ଜାଣିବା ପରେ ସେ ତାହାର ପ୍ରତିବାଦ କରିିଥିଲେ। ତାଙ୍କୁ ଚାକିରିରୁ ବିଦା କରାଯାଇଥିଲା। କଂପାନିର ଏହି ପଦକ୍ଷେପ ବିରୋଧରେ ସେ କୋର୍ଟରେ ଆବେଦନ କରି ୨,୬୮,୦୦୦ ଡଲାରର କ୍ଷତିପୂରଣ ଦାବି କରିଛନ୍ତି। ତାଙ୍କ ମାମଲାକୁ ବିଚାର ପାଇଁ ଗ୍ରହଣ କରି ଗୁରୁଗ୍ରାମର ସିଭିଲ୍ ଜଜ୍ ସୋନିଆ ସିଓକନ୍ଦ ଜ୍ୟାକ୍ ମା' ସମେତ ଅନ୍ୟମାନଙ୍କୁ ସମନ ଜାରି କରିଛନ୍ତି। ଏହି ପ୍ରସଙ୍ଗରେ ୩୦ ଦିନ ଭିତରେ ଲିଖିତ ଉତ୍ତର ରଖିବାକୁ ମଧ୍ୟ କଂପାନିକୁ ନିର୍ଦେଶ ଦିଆଯାଇଛି।
ପୁଷ୍ପେନ୍ଦ୍ର ଦାଖଲ କରିିଥିବା ୨୦୦ ପୃଷ୍ଠାର ଅଭିଯୋଗପତ୍ରରେ ଜଣାଇଛନ୍ତି ଯେ, ମିଥ୍ୟା ଖବରକୁ ୟୁସି ନିଉଜ୍ରେ ବ୍ୟାପକ ପ୍ରଚାର କରାଯାଉଥିଲା। ତାହାର ପ୍ରମାଣ ମଧ୍ୟ ସେ କୋର୍ଟଙ୍କୁ ଦେଇଛନ୍ତି। ୨୦୧୭ରେ 'ଆଜି ମଧ୍ୟରାତ୍ରୀରୁ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହୋଇଯିବ' ଶୀର୍ଷକ ଖବର ପ୍ରକାଶ ପାଇଥିଲା। ସେହିପରି ୨୦୧୮ରେ ଏକ ଖବର ପ୍ରକାଶ ପାଇଥିଲା ଯାହାର ଶୀର୍ଷକ ଥିଲା 'ଏବେ ଏବେ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ'। ଏହି ଦୁଇ ଘଟଣା କେବେବି ଘଟିନଥିଲା। ଏଭଳି ଅନେକ ମିଥ୍ୟା ଖବରକୁ ୟୁସି ୱେବ୍ ପ୍ରଚାର କରୁଥିଲା ବୋଲି ସେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ଚୀନ୍କୁ ଅସୁବିଧାରେ ପକାଇବା ଭଳି କୌଣସି ଖବର ପ୍ରକାଶ ପାଉନଥିଲା। କଂପାନି ଏଭଳି ବ୍ୟବସ୍ଥା ବିକଶିତ କରିଥିଲେ ଯେଉଁଥିରେ ଚୀନ୍ ବିରୋଧରେ ଲେଖା ହୋଇଥିବା ଖବର ସ୍ବୟଂକ୍ରିୟ ଭାବେ ଖାରଜ ହୋଇଯାଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଲଦାଖ୍ର ଗଲ୍ୱାନ୍ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଚୀନ୍ର ୫୯ଟି ଆପ୍କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏହି ଆପ୍ଗୁଡ଼ିକ ବିରୋଧରେ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ଅଭିଯୋଗ ରହିଥିଲା ଯାହା ଜାତୀୟ ସୁରକ୍ଷା ପ୍ରତି ବିପଦ ଥିଲା। ନିଷିଦ୍ଧ ହୋଇଥିବା ଆପ୍ ତାଲିକାରେ ଆଲିବାବାର ୟୁସି ନିଉଜ୍, ୟୁସି ବ୍ରାଉଜର୍ ଭଳି ଆପ୍ର ନାମ ରହିଛି।