ନୂଆଦିଲ୍ଲୀ, ୨୬/୭: ଦେଶର ଅର୍ଥନୈତିକ ଅଭିବୃଦ୍ଧି ତ୍ବରାନ୍ବିତ କରିବା ଲାଗି ଚୀନ୍‌ର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ)କୁ ଅନୁମତି ଦେବା ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩-୨୪ରେ ପରାମର୍ଶ ଦିଆଯାଇଥିଲା। ସେ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ‌ଯେ ଚୀନ୍‌ ଏଫ୍‌ଡିଆଇ ସମ୍ପର୍କରେ ତାଙ୍କ ସହ କେହି ଆଲୋଚନା କିଛି ବି କରିନାହାନ୍ତି। କେତେକ ବିଭାଗରେ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଭିସା ଦେବା ଉପରେ ଆଲୋଚନା ହୋଇଥିବା ସମ୍ପର୍କରେ ସେ ଅବଗତ ଅଛନ୍ତି। କିନ୍ତୁ ସେ ସଂକ୍ରାନ୍ତରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନଥିବା ନିର୍ମଳା କହିଛନ୍ତି।

Advertisment

ଏନ୍‌ଡିଟିଭି ସହ ଏକ ସାକ୍ଷାତକାରରେ ନିର୍ମଳା କହିଛନ୍ତି ଯେ ଗତ ୧୦ ବର୍ଷ ଭିତରେ ପ୍ରତିଟି କ୍ଷେତ୍ରକୁ ଏଫ୍‌ଡିଆଇ ଆଣିବା ଲାଗି ଉଦ୍ୟମ ହୋଇଛି। ଯେଉଁ କ୍ଷେତ୍ରଗୁଡ଼ିକ ପୂର୍ବରୁ ଖୋଲା ରହିଛି ତାହାକୁ ଆହୁରି ବିସ୍ତାର କରାଯାଉଛି। ଅର୍ଥନୈତିକ ସର୍ଭେରେ ଯେଉଁ ପ୍ରସ୍ତାବ ଦିଆଯାଇଛି ତାହା ଏଫ୍‌ଡିଆଇକୁ ନେଇ ଭାରତ ସରକାରଙ୍କ ଦୃଷ୍ଟିକୋଣଠାରୁ ଭିନ୍ନ ହୋଇପାରେ ବୋଲି ସେ କହିଛନ୍ତି। ୨୦୨୦ରେ ଲଦାଖ୍‌ର ଗଲ୍‌ୱାନ ଘାଟିରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଭାରତ ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଓ କୂଟନୈତିକ ସମ୍ପର୍କ ଖରାପ ହୋଇଛି। ଚୀନ୍‌ ଉପରେ ଚାପ ସୃଷ୍ଟି କରିବା ଲାଗି ସରକାର ପ୍ରଥମେ ଟିକ୍‌ଟକ୍ ସମେତ ଚୀନ୍‌ର ବହୁ ଲୋକପ୍ରିୟ ଆପ୍‌ଗୁଡ଼ିକୁ ନିଷିଦ୍ଧ କରିଥିଲେ। ଏହା ପରେ ରେଳ, ସଡ଼କ ଓ ଟେଲିକମ୍ ଭଳି ଭିତ୍ତିଭୂମି କ୍ଷେତ୍ରରୁ ଚୀନ୍‌ କମ୍ପାନିଗୁଡ଼ିକୁ ବାହାର କରାଯାଇଥିଲା। କରୋନା ମହାମାରୀ ସମୟରେ ଭାରତୀୟ କମ୍ପାନିଗୁଡ଼ିକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ସେଗୁଡ଼ିକୁ ଚୀନ୍‌ର କମ୍ପାନି ନିଜ ଅକ୍ତିଆରକୁ ନେଇଯିବାର ଆଶଙ୍କା ଦେଖାଦେବାରୁ ସରକାର ଏଫ୍‌ଡିଆଇ ନୀତିକୁ ବଦଳାଇ ଦେଇଥିଲେ। ଚୀନ୍‌କୁ ଦୃଷ୍ଟିରେ ରଖି ଘୋଷଣା କରାଯାଇଥିଲା ଯେ ପଡ଼ୋଶୀ ଦେଶଗୁଡ଼ିକରୁ ଯେଉଁ ସବୁ ନିବେଶ ପ୍ରସ୍ତାବ ଆସିବ ତାହା ଆଉ ସ୍ବୟଂକ୍ରିୟ ରୁଟ୍‌ରେ ନୁହେଁ, ବରଂ ଭାରତ ସରକାରଙ୍କ ଅନ‌ୁମୋଦନକ୍ରମେ ଆଗକୁ ବଢ଼ିବ। ଏହି ନିଷ୍ପତ୍ତି ପରଠାରୁ ଭାରତରେ ସମ୍ପ୍ରସାରଣ କରିବାକୁ ଚାହୁଥିବା ଚୀନ୍‌ କମ୍ପାନିଗୁଡ଼ିକ ନିଜ ରଣନୀତି ବଦଳାଇଛନ୍ତି।

ଚୀନ୍‌ର ସ୍ମାର୍ଟଫୋନ୍ କମ୍ପାନିଗୁଡ଼ିକ ଭାରତରେ ଯୋଗାଣ ଶୃଙ୍ଖଳ ସୃଷ୍ଟି କରିବାକୁ ବାଧ୍ୟ ହୋଇଛନ୍ତି। ଏଫ୍‌ଡିଆଇ ନିୟମ କଡ଼ାକଡ଼ି ହେବାରୁ ସମ୍ପ୍ରସାରଣରେ ସମସ୍ୟା ସାମ୍ନା କରିଥିବା ଏମ୍‌ଜି ମୋଟର୍ସ ଭାରତରେ ଜେଏସ୍‌ଡବ୍ଲୁ ଗ୍ରୁପ୍ ସହ ବୁଝାମଣା କରି ଆଗକୁ ବଢ଼ିବାକୁ ବାଧ୍ୟ ହୋଇଛି। ଏବେବି ଟେଲିକମ୍‌ ଶିଳ୍ପରେ ଚୀନ୍‌ ଉପକରଣ ବ୍ୟବହାରକୁ ନିରୁତ୍ସାହିତ କରାଯାଉଛି। କିନ୍ତୁ ବହୁ ସାମଗ୍ରୀ ଉତ୍ପାଦନ ଲାଗି ଚୀନ୍‌ରୁ କଞ୍ଚାମାଲ ଆସୁଥିବାରୁ ଭାରତ ସରକାର କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହାନ୍ତି। ଅନେକ ସାମଗ୍ରୀ ଚୀନ୍‌ରୁ ଆମଦାନି ହେଉଛି।