ଭାରତ ଛାଡ଼ିପାରନ୍ତି ଚୀନ୍‌ ମୋବାଇଲ ନିର୍ମାତା

ନୂଆଦିଲ୍ଲୀ: ଗୁରୁତର ଆର୍ଥିକ ଅନିୟମିତା ଓ ଟିକସ ଫାଙ୍କିବା ଅଭିଯୋଗରେ ଚୀନର ମୋବାଇଲ କମ୍ପାନିଗୁଡ଼ିକ ଉପରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ବାରମ୍ବାର ଚଢ଼ଉ କରୁଛନ୍ତି। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବା ସହିତ କାରବାର ଉପରେ କଟକଣା ଲଗାଉଛନ୍ତି। ଏଥିରେ ଚୀନ କମ୍ପାନିଗୁଡ଼ିକ ବୀତସ୍ପୃହ ହୋଇ ପଡ଼ିଛନ୍ତି। ଭାରତ ଛାଡ଼ି ସେମାନେ ଅନ୍ୟ ଦେଶରେ କାରଖାନା ସ୍ଥାପନ କରିପାରନ୍ତି ବୋଲି ଚୀନର ଗ୍ଲୋବାଲ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି କମ୍ପାନିଗୁଡ଼ିକ ମୁଖ୍ୟତଃ ଭାରତ ପରି‌ବର୍ତ୍ତେ ଇଣ୍ଡୋନେସିଆ, ବାଂଲାଦେଶ ଏବଂ ନାଇଜେରିଆ ଭଳି ଦେଶ ଉପରେ ନଜର ପକାଇଛନ୍ତି। ଭାରତରେ ଥିବା ଏକ ମୋବାଇଲ ଫୋନ କମ୍ପାନିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରକୁ ଉଦ୍ଧାର କରି ଗ୍ଲୋବାଲ ଟାଇମ୍ସ ଏହି ରିପୋର୍ଟ ପ୍ରକାଶ କରିଛି।
ନିକଟରେ ଚୀନର ମୋବାଇଲ ଫୋନ ନିର୍ମାତା ‌ଓପୋ ଇଜିପ୍ଟରେ କାରଖାନା ସ୍ଥାପନ ପାଇଁ ସେଠାକାର ସରକାରଙ୍କ ସହିତ ୨୦ ନିୟୁତ ଡଲାରର ଏକ ଚୁକ୍ତି ସ୍ବାକ୍ଷର କରିଛି। ଏହି ଚୁକ୍ତି ପରେ ଭାରତରୁ ଚୀନର ମୋବାଇଲ ନିର୍ମାତାମାନେ ଛାଡ଼ି ପଳାଇବେ ବୋଲି ରିପୋର୍ଟରେ କୁହାଯାଇଛି।

ଟିକସ ଠକେଇ ମାମଲାରେ ଭାରତ ସରକାର ମୁଖ୍ୟତଃ ‌ଓପୋ, ଭିଭୋ ଏବଂ ସାଓମି କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଟିକସ ଫାଙ୍କିବା ପାଇଁ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ)କୁ ଏହି କମ୍ପାନିଗୁଡ଼ିକ ନୋଟିସ ଦେଇଛନ୍ତି। ଏଥିସହିତ ଭାରତ ସରକାର ୩୦୦ରୁ ଅଧିକ ଚୀନା ଆପ୍‌ ନିଷିଦ୍ଧ କରିଛନ୍ତି। ଭାରତ ସ୍ମାର୍ଟଫୋନ ଏବଂ ଚିପ୍‌ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ଲକ୍ଷ୍ୟ ରଖିଛି। ଗୁଜରାଟ ସରକାର ବେଦାନ୍ତ ଏବଂ ଫକ୍ସକନ ସହିତ ସହଯୋଗିତା ସ୍ଥାପନ କରିଛନ୍ତି। ସେମିକଣ୍ଡକ୍ଟର କ୍ଷେତ୍ରରେ ଏହା ମାଧ୍ୟମରେ ୧.୫୪ ଲକ୍ଷ କୋଟି ଟଙ୍କାର ନିବେଶ ଆଶା ଗୁଜରାଟ ରଖିଛି। ଟାଟା ଗ୍ରୁପ୍ ମଧ୍ୟ ତାଇୱାନର ୱିସଟ୍ରନ କମ୍ପାନି ସହିତ ଭାରତରେ ଆଇଫୋନ ଉତ୍ପାଦନରେ ୫୦୦ ପ୍ରତିଶତ ବୃଦ୍ଧି ପାଇଁ ଆଲୋଚନା ଚଳାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର