ଚୀନ୍ ମୋବାଇଲ୍ କଂପାନିଙ୍କ କାରସାଦି: ଭିଭୋ ପରେ ଓପୋ, ଆମଦାନିର ସଠିକ୍ ତଥ୍ୟ ଲୁଚାଉଥିଲା
ଓପୋକୁ କାରଣ ଦର୍ଶାଅ ନୋଟିସ୍, ୯୫୦ କୋଟି ଜମା କରିବାକୁ ଭିଭୋକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶ
ନୂଆଦିଲ୍ଲୀ: ଚୀନ୍ର ସ୍ମାର୍ଟଫୋନ୍ କଂପାନିଗୁଡ଼ିକର ଗୋଟିଏ ପରେ ଗୋଟିଏ ବେଆଇନ କାର୍ଯ୍ୟ ସାମ୍ନାକୁ ଆସୁଛି। ଭିଭୋ ପରେ ଏବେ ଓପୋର କାରସାଦି ଧରାପଡ଼ିଛି। ଏହି ସଂସ୍ଥା ୪,୩୮୯ କୋଟି ଟଙ୍କାର ସୀମା ଶୁଳ୍କ ଫାଙ୍କିଥିବା ଧରିଛି ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ (ଡିଆର୍ଆଇ)। ଓପୋ ଇଣ୍ଡିଆ ଭାରତରେ ଓପୋ, ୱାନ୍ପ୍ଲସ୍ ଓ ରିଅଲ୍ମି ବ୍ରାଣ୍ଡ୍ ନାମରେ ସ୍ମାର୍ଟଫୋନ୍ ଓ ଅନ୍ୟାନ୍ୟ ଆକ୍ସେସୋରିଜ୍ ବିକ୍ରି କରୁଛି। ଏହା ଏଠାରେ ଉତ୍ପାଦନଠାରୁ ଆରମ୍ଭ କରି ଆସେମ୍ବଲିଂ, ପାଇକାରୀ କାରବାର ଓ ମୋବାଇଲ୍ ହାଣ୍ଡ୍ସେଟ୍ର ବିତରଣ କରୁଛି।
ଡିଆର୍ଆଇ ପକ୍ଷରୁ ଓପୋ ଇଣ୍ଡିଆର କାର୍ଯ୍ୟାଳୟ ଓ କଂପାନିର ପ୍ରମୁଖ ପଦପଦବୀରେ କାମ କରୁଥିବା ଅଧିକାରୀମାନଙ୍କ ଠିକଣାରେ ଚଢ଼ଉ କରାଯାଇଥିଲା। ସେହି ସମୟରେ ଏଭଳି କିଛି ଦସ୍ତାବିଜ ଜବତ ହୋଇଛି ଯାହା ଏହା ଇଙ୍ଗିତ କରୁଛି ଯେ ଟିକସ ଫାଙ୍କିବା ଲାଗି କଂପାନି ଜାଣିଶୁଣି ଆମଦାନି ସମ୍ପର୍କରେ ଭୁଲ ତଥ୍ୟ ଦେଉଥିଲା। ମୋବାଇଲ୍ ଫୋନ୍ ତିଆରି କରିବା ଲାଗି ଓପୋ ଯେଉଁ ସବୁ ସାମଗ୍ରୀ ଆମଦାନି କରୁଥିଲା ତାହାର ସଠିକ୍ ତଥ୍ୟ ଜାରି କରୁନଥିଲା। ଏଥିପାଇଁ କଂପାନିକୁ ୨,୯୮୧ କୋଟି ଟଙ୍କାର ଶୁଳ୍କ ପଇଠ କରିବାକୁ ପଡ଼ିନଥିଲା। ଡିଆର୍ଆଇ ପକ୍ଷରୁ ଓପୋର ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଜେରା କରାଯାଇଥିଲା। ଆମଦାନି ସମୟରେ ସୀମା ଶୁଳ୍କ କର୍ତ୍ତୃପକ୍ଷଙ୍କୁ ଭୁଲ ତଥ୍ୟ ଦିଆଯାଉଥିଲା ବୋଲି ସେମାନେ ସ୍ବୀକାର ମଧ୍ୟ କରିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ଓପୋ ଇଣ୍ଡିଆ ବିଭିନ୍ନ ବହୁଦେଶୀୟ କଂପାନିକୁ ରୟାଲ୍ଟି ଓ ଲାଇସେନ୍ସ ଫି’ ଦେଉଛି। ସେଥିରୁ କିଛି ସଂସ୍ଥା ହେଉଛନ୍ତି ଚୀନ୍ର। ସେହି ପେମେଣ୍ଟ୍କୁ କିନ୍ତୁ କଂପାନି ପକ୍ଷରୁ ଆମଦାନି କରାଯାଉଥିବା ସାମଗ୍ରୀର ହିସାବରେ ଯୋଡ଼ାଯାଉନଥିଲା। ଏହା ସୀମା ଶୁଳ୍କ ନିୟମ ୧୯୬୨ର ଧାରା ୧୪ ଉଲ୍ଲଂଘନ କରୁଛି। କଂପାନି ଏହା ଜରିଆରେ ୧,୪୦୮ କୋଟି ଟଙ୍କାର ଟିକସ ଫାଙ୍କିଥିଲା ବୋଲି ଜଣାପଡ଼ିଛି। ସୀମା ଶୁଳ୍କ ହିସାବରେ ରହିଥିବା ଭିନ୍ନତାକୁ ନଜରରେ ରଖି ଓପୋ ଇଣ୍ଡିଆ ନିଜ ଆଡ଼ୁ ୪୫୦ କୋଟି ଟଙ୍କା ଜମା କରିଛି। ତଦନ୍ତ ଶେଷ ହେବା ପରେ ଓପୋକୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ୪,୩୮୯ କୋଟି ଟଙ୍କା ଜମା କରିବାକୁ କୁହାଯାଇଛି। କଂପାନି, ଏହାର କର୍ମଚାରୀ ଓ ଓପୋ ଚୀନ୍ ଉପରେ ଲଗାଯିବାକୁ ଥିବା ଜରିମାନା ସମ୍ପର୍କରେ ମଧ୍ୟ ନୋଟିସ୍ରେ ସୂଚନା ଦିଆଯାଇଛି।
ଏହା ପୂର୍ବରୁ ଚୀନ୍ର ଅନ୍ୟତମ ସ୍ମାର୍ଟଫୋନ୍ କଂପାନି ଭିଭୋର କାରସାଦି ସାମ୍ନାକୁ ଆସିଥିଲା। ଏହି ସଂସ୍ଥା ନିଜ କାରବାରର ଅଧା ଟଙ୍କା ଚୀନ୍ ପଠାଇ ଦେଉଥିଲା ବୋଲି ଜଣାପଡ଼ିଛି। କଂପାନିର ୪୮ଟି ଠିକଣାରେ ଚଢ଼ଉ କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ କଂପାନିର ବ୍ୟାଙ୍କ ଖାତାକୁ ନିସ୍କ୍ରିୟ କରାଯାଇଥିଲା। କଂପାନି ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ତେବେ କଂପାନିର ବ୍ୟାଙ୍କ ଖାତା ଉପରୁ ନିଷେଧାଦେଶ ହଟାଇବା ଲାଗି ଦିଲ୍ଲୀ ହାଇକୋର୍ଟ ରାଜି ହୋଇଛନ୍ତି। କିନ୍ତୁ ଏଥିପାଇଁ କୋର୍ଟ କଠୋର ସର୍ତ୍ତ ରଖିଛନ୍ତି। କଂପାନି ସପ୍ତାହକ ଭିତରେ ୯୫୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦେଲେ ବ୍ୟାଙ୍କ ଖାତାକୁ ବ୍ୟବହାର କରିପାରିବ ବୋଲି କୋର୍ଟ କହିଛନ୍ତି। ଭିଭୋ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତଦନ୍ତ କରୁଛି।