ନୂଆଦିଲ୍ଲୀ: ଚୀନ୍ ଉପରେ ଗୋଟିଏ ପରେ ଗୋଟିଏ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ବିଭିନ୍ନ ଦିଗରୁ ଚୀନ୍କୁ ଘେରିବା ଲାଗି ଭାରତ ଯେଉଁ ଯୋଜନା ପ୍ରସ୍ତୁତ କରିଛି ସେଥିରେ ସରକାରୀ ତେଲ କଂପାନିଗୁଡ଼ିକ ସାମିଲ ହୋଇଛନ୍ତି। ଅଶୋଧିତ ତୈଳ ଆଣିବା ଲାଗି ଚୀନ୍ର ଜାହାଜ ବ୍ୟବହାର ନକରିବା ଲାଗି ରାଷ୍ଟ୍ରାୟତ୍ତ ତୈଳ କଂପାନିଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ନିଷ୍ପତ୍ତି ଦୁଇ ଦେଶର ବାଣିଜ୍ୟକୁ କୌଣସି ପ୍ରକାରରେ ପ୍ରଭାବିତ କରିବ ନାହିଁ। ଭାରତକୁ ଅଶୋଧିତ ତେଲ ଆଣିବା କିମ୍ବା ଦେଶ ଭିତରୁ ବିଦେଶକୁ ଡିଜେଲ ପଠାଇବା ଲାଗି ଜାହାଜ କଂପାନିଗୁଡ଼ିକ ଠାରୁ ଟେଣ୍ଡର ଆହ୍ବାନ କରାଯାଇଥାଏ। ଏଥର ଯେଉଁ ଟେଣ୍ଡର ଆହ୍ବାନ କରାଯାଇଛି ସେଥିରେ ଚୀନ୍ ସଂସ୍ଥାର ମାଲିକାନାରେ ଥିବା ଜାହାଜ କିମ୍ବା ଚୀନ୍ ପତାକାକୁ ବ୍ୟବହାର କରୁଥିବା ଜାହାଜଗୁଡ଼ିକୁ ଆବେଦନ କରିବା ଲାଗି ବାରଣ କରାଯାଇଛି।
ଯେଉଁ ସଂସ୍ଥା କିମ୍ବା ଯୋଗାଣକାରୀ ଭାରତକୁ ତେଲ ପଠାଉଛନ୍ତି, ସେମାନେ ଯେଭଳି ଚୀନ୍ର କୌଣସି ଜାହାଜ ବ୍ୟବହାର ନକରନ୍ତି ସେ ବିଷୟରେ ଭାରତୀୟ ତେଲ କଂପାନିଗୁଡ଼ିକ ସେମାନଙ୍କୁ ଅବଗତ କରିଛନ୍ତି। ଲଦାଖ୍ର ଗଲ୍ୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ସହିଦ ହେବା ପରେ ସେହି ଘଟଣାକୁ ଭାରତ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଚୀନ୍ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ତାହାକୁ ଅର୍ଥନୈତିକ ଦିଗରୁ ଘେରିବା ଲାଗି ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଥମେ ଚୀନ୍ର ୫୯ଟି ଲୋକପ୍ରିୟ ଆପ୍କୁ ଭାରତରେ ନିଷିଦ୍ଧ କରାଗଲା। ଏହା ପରେ ରେଳ ଓ ସଡ଼କ ପ୍ରକଳ୍ପରେ ଚୀନ୍ ନିବେଶକୁ ବାରଣ କରାଯାଇଛି। ରଙ୍ଗିନ ଟିଭି ଓ ଟାୟାର ଆମଦାନି ଉପରେ କଟକଣା ଜାରି କରାଯାଇଛି। ଭାରତର ତେଲ କଂପାନିଗୁଡ଼ିକ ମୁଖ୍ୟତଃ ଲାଇବେରିଆ, ପାନାମା ଓ ମରିସସ୍ରେ ଥିବା ଜାହାଜଗୁଡ଼ିକୁ ତୈଳ ପରିବହନ କରିବା ଲାଗି ବ୍ୟବହାର କରନ୍ତି। ଏଲ୍ପିଜି ପରିବହନରେ ଚୀନ୍ର କିଛି ଜାହାଜ ବ୍ୟବହାର କରାଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/chiness-ship.jpg)