ନୂଆଦିଲ୍ଲୀ : ଭାରତୀୟଙ୍କ ନିରାପତ୍ତା ଓ ଗୋପନୀୟତା ପ୍ରତି ବିପଦ ଭାବେ ବିଚାର କରାଯାଉଥିବା ଚୀନ୍ର ୫୪ଟି ଆପ୍କୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏଥିରେ ଦେଶର ସବୁଠୁ ଲୋକପ୍ରିୟ ମୋବାଇଲ୍ ଗେମ୍ ଗାରେନା ଫ୍ରି ଫାୟାରର ନାମ ରହିଛି। ଦେଶରେ ପବ୍ଜିକୁ ନିଷିଦ୍ଧ କରାଯିବା ପରେ ଫ୍ରି ଫାୟାର ତାହାର ସ୍ଥାନ ନେଇଥିଲା। ଏହା ବ୍ୟତୀତ ଏଥର ତାଲିକାରେ ବହୁ ମୋବାଇଲ୍ ଗେମ୍, ସୁଇଟ୍ ସେଲ୍ଫି କ୍ୟାମେରା, ମ୍ୟୁଜିକ୍ ଓ ଭିଡିଓ ପ୍ଲେୟାର, ଭିଡିଓ ଆପ୍, ଏମ୍ପି୩ ପ୍ଲେୟାର, ରେକର୍ଡିଂ ଆପ୍ ଓ ଡୁଆଲ୍ ସ୍ପେସ୍ ଆପ୍ଗୁଡ଼ିକର ନାମ ରହିଛି।
ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଚୀନ୍ର ୫୪ଟି ଆପ୍କୁ ନିଷିଦ୍ଧ କରିବା ସମ୍ପର୍କରେ କହିଛି ଯେ ଏହି ଆପ୍ଗୁଡ଼ିକ ଭାରତୀୟଙ୍କ ସମ୍ବେଦନଶୀଳ ତଥ୍ୟଗୁଡ଼ିକୁ ଚୀନ୍ ଓ ଅନ୍ୟ ଦେଶଗୁଡ଼ିକରେ ଥିବା ସର୍ଭରକୁ ପଠାଉଛନ୍ତି। ଏହି ସବୁ ଆପ୍କୁ ଅଟକାଇବା ଲାଗି ସରକାର ଗୁଗୁଲ୍ ପ୍ଲେ ଷ୍ଟୋର୍କୁ ମଧ୍ୟ କହିଛନ୍ତି। ପ୍ଲେ ଷ୍ଟୋର୍ରୁ କୌଣସି ଭାରତୀୟ ଏହି ଆପ୍ଗୁଡ଼ିକୁ ଡାଉନ୍ଲୋଡ୍ କରିପାରିବେ ନାହିଁ। ଆଇଟି ନିୟମ ୨୦୦୦ର ଧାରା ୬୯ଏରେ ରହିଥିବା ବ୍ୟବସ୍ଥା ଅନୁସାରେ ସରକାର ଚୀନ୍ ଆପ୍ଗୁଡ଼ିକୁ ନିଷିଦ୍ଧ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପର୍ଯ୍ୟାୟରେ ଚୀନ୍ର ୨୨୪ଟି ଆପ୍କୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି।
୨୦୨୦ ଜୁନ୍ରୁ ପ୍ରଥମ ପର୍ଯ୍ୟାୟ ନିଷିଦ୍ଧ ଆରମ୍ଭ ହୋଇଥିଲା। ସେହି ସମୟରେ ଦେଶରେ ବେଶ ଚର୍ଚ୍ଚିତ ଓ ବହୁଳ ଭାବେ ବ୍ୟବହୃତ ହେଉଥିବା ଆପ୍ ଯଥା ଟିକ୍ଟକ୍, ସେୟାରଇଟ୍, ୱିଚାଟ୍, ହେଲୋ, ଲାଇକି, ୟୁସି ନିଉଜ୍, ବିଗୋ ଲାଇଭ୍, ୟୁସି ବ୍ରାଉଜର, ଇଏସ୍ ଫାଇଲ୍ ଏକ୍ସପ୍ଲୋରର୍ ଓ ଏମ୍ଆଇ କମ୍ୟୁନିଟି ଭଳି ୫୪ଟି ଆପ୍କୁ ନିଷିଦ୍ଧ କରାଯାଇଥିଲା। ଭାରତ ସରକାର ଚୀନ୍ ସଂସ୍ଥାର ଆପ୍ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ସେଥିରୁ ବଞ୍ଚିବା ଲାଗି ଚୀନ୍ର କିଛି ପ୍ରମୁଖ ପ୍ରଯୁକ୍ତି ସଂସ୍ଥା ଯଥା ଟେନ୍ସେଣ୍ଟ୍ ଓ ଆଲିବାବା ନିଜର କିଛି ଆପ୍ର ମାଲିକାନାକୁ ଅତି ଚତୁରତାର ସହ ବଦଳାଉଛନ୍ତି। ସେମାନେ ହଂକଂ ଓ ସିଙ୍ଗାପୁର ଭଳି ସ୍ଥାନର କିଛି ସଂସ୍ଥାକୁ ହାତ କରି ନିଜ ଆପ୍ଗୁଡ଼ିକୁ ଭାରତୀୟ ବଜାରରେ ଚାଲୁ ରଖିବାକୁ ଉଦ୍ୟମ କରୁଛନ୍ତି। ସେମାନେ ବ୍ୟବସ୍ଥାକୁ ବୁଢ଼ିଆଣି ଜାଲ ଭଳି ଜଟିଳ କରି ରଖୁଛନ୍ତି। ବିଭିନ୍ନ ବାଟ ଦେଇ ଭାରତୀୟ ବ୍ୟବହାରକାରୀଙ୍କ ବହୁ ଗୋପନୀୟ ତଥ୍ୟ ଶେଷରେ ଚୀନ୍ରେ ଥିବା ସର୍ଭରରେ ପହଞ୍ଚୁଛି। ଏବେବି ଭାରତରେ ଚୀନ୍ର ସଂସ୍ଥା ବାଇଟ୍ଡ୍ୟାନ୍ସର ଲୋକପ୍ରିୟ ଆପ୍ ଟିକଟକ୍ ଓ ଟେନ୍ସେଣ୍ଟ୍ର ୱିଚାଟ୍ ଏପିକେ ଫାଇଲ୍ ଭଳି ବିକଳ୍ପ ମାଧ୍ୟମରେ ଡାଉନ୍ଲୋଡ୍ ପାଇଁ ଉପଲବ୍ଧ ରହିଛି। ତାହାକୁ ରୋକିବା ଲାଗି ସରକାର ଉଦ୍ୟମ କରୁଛନ୍ତି।
୨୦୨୦ରେ ଲଦାଖ୍ର ଗଲ୍ୱାନ୍ ଘାଟିରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରଠାରୁ ଦୁଇ ଦେଶ ମଧ୍ୟରେ ସୀମାକୁ ନେଇ ତିକ୍ତତା ଲାଗିରହିଛି। ସରକାର ୨୦୨୦ରେ ତିନିଟି ପର୍ଯ୍ୟାୟରେ ଶତାଧିକ ଚୀନ୍ ଆପ୍କୁ ନିଷିଦ୍ଧ ଘୋଷଣା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଜୁନ୍ରେ ୫୯ଟି, ସେପ୍ଟେମ୍ବରରେ ୧୧୮ଟି ଓ ନଭେମ୍ବରରେ ୪୩ଟି ଆପ୍କୁ ନିଷିଦ୍ଧ ଘୋଷଣା କରାଯାଇଥିଲା। ୱାର୍କବେଞ୍ଚ୍, କ୍ୟାମ୍କାର୍ଡ, ଚାଇନିଜ୍ ସୋସିଆଲ, ୱିଡେଟ୍ ଓ ଟ୍ରୁଲି ଚାଇନିଜ୍ ଭଳି ଆପ୍ ନିଷିଦ୍ଧ ହୋଇଥିଲା।