ଚିତ୍ରାଙ୍କୁ ୫ କୋଟି ଜରିମାନା: ୧୮ ଜଣଙ୍କ ଉପରେ ୪୪ କୋଟି ଜରିମାନା ଲାଗୁ

ନୂଆଦିଲ୍ଲୀ: ବିବାଦୀୟ ଡାର୍କ ଫାଇବର୍‌ ବା କୋ-ଲୋକେସନ ମାମଲାରେ ନ୍ୟ‌ାସନାଲ୍‌ ଷ୍ଟକ ଏକ୍ସଚେଞ୍ଜ୍‌ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣ ଓ ଅନ୍ୟ ୧୭ ଜଣଙ୍କୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ଦୋଷୀ ସାବ୍ୟସ୍ତ କରି ମୋଟା ଅଙ୍କର ଜରିମାନା ଲଗାଇଛି। ଏନ୍‌ଏସ୍‌ଇ ଉପରେ ୭ କୋଟି ଟଙ୍କା, ଚିତ୍ରାଙ୍କ ଉପରେ ୫ କୋଟି ଟଙ୍କା, ଏନ୍‌ଏସ୍‌ଇର ଚିଫ୍‌ ବିଜନେସ୍ ଡେଭେଲପ୍‌ମେଣ୍ଟ୍‌ ଅଫିସର ରବି ବାରାଣାସୀଙ୍କ ଉପରେ ୫ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି। ମୋଟ ଉପରେ ସେବି ଏହି ମାମଲାରେ ୪୩.୮ କୋଟି ଟଙ୍କା ଜରିମାନା ଲାଗୁ କରିଛି। ଚିତ୍ରାଙ୍କ ମନଗଢ଼ା କାହାଣୀର ଚର୍ଚ୍ଚିତ ହିମାଳୟ ଯୋଗୀ ତଥା ଏନ୍‌ଏସ୍‌ଇର ପୂର୍ବତନ ସିଓଓ ଆନନ୍ଦ ସୁବ୍ରମଣ୍ୟନଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି ଓ ତାଙ୍କ ଉପରେ ମଧ୍ୟ ୫ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି।

ସେବି ଜାରି କରିଥିବା ୧୮୦ ପୃଷ୍ଠାର ରାୟରେ ଜଣାଇଛି ଯେ ଡାର୍କ ଫାଇବର୍‌ ଯୋଗୁଁ ୱେ୨ୱେଲ୍‌ଥ ଓ ଜିକେଏନ୍ ସିକ୍ୟୁରିଟିଜ୍‌ ଉପକୃତ ହୋଇଥିଲେ। ଷ୍ଟକ ଏକ୍ସଚେଞ୍ଜ ଓ ତାହାର କର୍ମଚାରୀଙ୍କ ସହ ଯୋଗାଯୋଗରେ ରହି ଏହି ଦୁଇ ସଂସ୍ଥା ଆଗୁଆ ସୂଚନା ପାଉଥିଲେ। ସମ୍ପର୍କ ଇନଫୋଟେନ୍‌ମେଣ୍ଟ୍‌ ପକ୍ଷରୁ ସେହି ଡାର୍କ ‌ଫାଇବର୍ କେବୁଲ ବିଛାଯାଇଥିଲା। ଏହି ସଂସ୍ଥାକୁ କେବଳ କେବୁଲ ପରିଚାଳନା କାମ ଦିଆଯାଇଥିଲା। ସମ୍ପର୍କ ଇ‌ନଫୋଟେନ୍‌ମେଣ୍ଟ୍‌ ଉପରେ ୩ କୋଟି ଟଙ୍କା ଓ ୱେ୨ୱେଲ୍‌ଥ ଉପରେ ୬ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି। ଡାର୍କ ଫାଇବର୍‌ ମାମଲାକୁ ନେଇ ତଦନ୍ତ ହେବା ପରେ ସେଥିରେ ଚିତ୍ରା, ଆନନ୍ଦ ଓ ବହୁ ଅନ୍ୟ ବ୍ୟକ୍ତି ଓ ସଂସ୍ଥାର ହାତ ଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର