ନୂଆଦିଲ୍ଲୀ: ଗତକାଲି ଗିରଫ ହୋଇଥିବା ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ୭ ଦିନିଆ ସିବିଆଇ ରିମାଣ୍ଡରେ ପଠାଇ ଦିଆଯାଇଛି। ଆଜି ଏକ ସ୍ବତନ୍ତ୍ର କୋର୍ଟରେ ଅପରାହ୍ନ ୨ଟାରେ ଚିତ୍ରାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ବେଳେ ସିବିଆଇ ପକ୍ଷରୁ କୁହାଯାଇଛି ଯେ ହିମାଳୟ ଯୋଗୀ କୁହାଯାଉଥିବା ଆନନ୍ଦ ସୁବ୍ରମଣ୍ୟମ ଓ ଚିତ୍ରାଙ୍କୁ ସାମ୍ନା ସାମ୍ନି ବସାଇ ଜେରା କରାଯାଇଥିଲା। ସୁବ୍ରମଣ୍ୟମଙ୍କୁ ଚିତ୍ରା ଚିହ୍ନି ନଥିବା କହିଥିଲେ। ଯେଉଁ ବ୍ୟକ୍ତିଙ୍କୁ ସେ ନିଜେ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିଲେ ଓ ପରବର୍ତ୍ତୀ ସମୟରେ ତାଙ୍କୁ ୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେତନ ସହ ପଦୋନ୍ନତି ଦେଇଥିଲେ ତାଙ୍କୁ ସେ ଚିହ୍ନି ନପାରିବା ଆଶ୍ଚର୍ଯ୍ୟର ବିଷୟ। କିଛି ଦିନ ତଳେ ସିବିଆଇ ପକ୍ଷରୁ ସୁବ୍ରମଣ୍ୟମଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଚିତ୍ରା ଶୁଣାଇଥିବା ମନଗଢ଼ା କାହାଣୀର ହିମାଳୟ ଯୋଗୀ ଚରିତ୍ର ଜଣକ ନିଜେ ସୁବ୍ରମଣ୍ୟମ ବୋଲି ସିବିଆଇ ପାଖରେ ପ୍ରମାଣ ରହିଛି।
ଆଜି ସ୍ବତନ୍ତ୍ର କୋର୍ଟରେ ଶୁଣାଣି ବେଳେ ଚିତ୍ରାଙ୍କୁ ୧୪ ଦିନ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା। ତଦନ୍ତରେ ଚିତ୍ରା ସହଯୋଗ କରୁନଥିବା ସିବିଆଇ କହିବାରୁ ବିଚାରପତି ସଞ୍ଜୀବ ଅଗ୍ରୱାଲ ବିରକ୍ତ ହୋଇଥିଲେ। ଜଣେ ମହିଳା ଯାହାଙ୍କ ୮୦ ବର୍ଷର ମା’ ଓ ଝିଅ ଘରେ ଥିବା ଓ ଆଗୁଆ ଜାମିନ ଆବେଦନ ଖାରଜ ହେବା ସତ୍ତ୍ବେ ଜଣେ ମହିଳା ଯଦି ସିବିଆଇ ଯେତେବେଳେ ଡାକିଲେ ସେତେବେଳେ ଯାଇପାରୁଛନ୍ତି ତାଙ୍କୁ ଏତେ ଦିନ ରିମାଣ୍ଡରେ ନେବାର କ’ଣ ଆବଶ୍ୟକତା ରହିଛି ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏହି ମାମଲାରେ ଜଡ଼ିତ ଅନ୍ୟ ବ୍ୟକ୍ତିମାନଙ୍କ ବିରୋଧରେ କାହିଁକି ତଦନ୍ତ ଆଗକୁ ବଢ଼ିନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ। ଏଫ୍ଆଇଆର୍କୁ ଶୀତଳ ଭଣ୍ଡାରରେ ରଖିଛ। ସେଥିରେ ଯେଉଁ ଲୋକମାନଙ୍କ ନାମ ରହିଛି ସେମାନେ କୁଆଡ଼େ ଗଲେ ବୋଲି କୋର୍ଟ ସିବିଆଇକୁ ପ୍ରଶ୍ନ କରିଥିଲେ। କୋ-ଲୋକେସନ ଦୁର୍ନୀତିର ଯେଉଁମାନେ ମୁଖ୍ୟ ହିତାଧିକାରୀ ସେମାନଙ୍କ ବିରୋଧର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଉଭୟ ସିବିଆଇ ଓ ସେବି ମୁଖ୍ୟ ଅଭିଯୁକ୍ତଙ୍କୁ ଗୋଡ଼ାଉ ନାହାନ୍ତି। ପୁଞ୍ଜି ବଜାର ନିୟାମକ ସଂସ୍ଥା ହୋଇଥିବା ସତ୍ତ୍ବେ ସେବି ଅଭିଯୁକ୍ତମାନଙ୍କ ପ୍ରତି ଅତ୍ୟନ୍ତ ବିନମ୍ର ବ୍ୟବହାର କରୁଥିବା କୋର୍ଟ କହିଥିଲେ। ଉତ୍ତରରେ ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ ସୁବ୍ରମଣ୍ୟମ ଓ ଚିତ୍ରାଙ୍କୁ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ସାମ୍ନା ସାମ୍ନି ବସାଇ ଜେରା କରାଯାଇଥିଲା। ସୁବ୍ରମଣ୍ୟମଙ୍କୁ ଚିହ୍ନି ନାହାନ୍ତି ବୋଲି ଚିତ୍ରା କହିଥିଲେ।
ଉଭୟ ମଧ୍ୟରେ ୨୫୦୦ରୁ ଅଧିକ ଇ-ମେଲ୍ ନେଣଦେଣ ହୋଇଛି। ସେଗୁଡ଼ିକୁ ତର୍ଜମା କରିବାକୁ ପଡ଼ିବ ବୋଲି ସିବିଆଇ କହିଛି। ଅତୀତରେ ଏନ୍ଏସ୍ଇରେ କୋ-ଲୋକେସନ ବ୍ୟବସ୍ଥାକୁ ନେଇ ଯେଉଁ ଦୁର୍ନୀତି ହୋଇଥିଲା ତାହାର ତଦନ୍ତ ସିବିଆଇ କରୁଛି। ତେବେ କିଛି ଦିନ ପୂର୍ବେ ପୁଞ୍ଜି ବଜାରର ନିୟାମକ ସଂସ୍ଥା ‘ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ’ (ସେବି) ଏହି ଘଟଣାର ତଦନ୍ତ କରିବା ବେଳେ ଚିତ୍ରାଙ୍କ ‘ହିମାଳୟ ଯୋଗୀ’ କାହାଣୀ ସାମ୍ନାକୁ ଆସିଥିଲେ। ସେହି ଯୋଗୀଙ୍କୁ ଚିତ୍ରା ଏକ୍ସଚେଞ୍ଜର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଉଥିଲେ। ତଦନ୍ତ ରିପୋର୍ଟ ଆସିବା ପରେ ଚିତ୍ରାଙ୍କ ଉପରେ ସେବି ୩ କୋଟି ଟଙ୍କାର ଜରିମାନା ଲଗାଇଥିଲା। ତେବେ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବା ପରେ ଏହି ଘଟଣା ସହ ଜଡ଼ିତ ଲୋକମାନଙ୍କୁ ଜେରା କରିବା ବେଳେ ସୁବ୍ରମଣ୍ୟମ ହିଁ ହିମାଳୟ ଯୋଗୀ ବୋଲି ଜଣାପଡ଼ିଥିଲା। କାରଣ ଚିତ୍ରା ଓ ହିମାଳୟ ଯୋଗୀଙ୍କ ମଧ୍ୟରେ ଯେଉଁ ଇ-ମେଲ୍ ବାର୍ତାଳାପ ହୋଇଥିଲା ତାହାର ବହୁ ଶବ୍ଦ ସୁବ୍ରମଣ୍ୟମ ପଠାଉଥିବା ଇ-ମେଲ୍ର ଶବ୍ଦ ସହ ମେଳ ଖାଉଥିଲା।