ଆଉ ବର୍ତ୍ତିପାରିବେନି ଚୋକ୍‌ସି

ଆଣ୍ଟିଗୁଆର ନାଗରିକତ୍ବ ହରାଇବେ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩ ହଜାର କୋଟି ଟଙ୍କାର ଠକେଇ ମାମଲାରେ ସଂଶ୍ଳି‌ଷ୍ଟ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍‌ସିଙ୍କ ଅଡ଼ୁଆ ଏବେ ବଢ଼ିଯାଇଛି। ଆଣ୍ଟିଗୁଆ ମେହୁଲଙ୍କର ନାଗରିକତା ପୂର୍ବରୁ ପ୍ରଦାନ କରିଥିଲେ ମଧ୍ୟ ଏହାକୁ ପ୍ରତ୍ୟାହାର କରିନେବ। ଫଳରେ ସେ ଭାରତକୁ ପ୍ରତ୍ୟର୍ପଣ ହେବା ବାଟ ଫିଟିବ। ମେହୁଲଙ୍କ ନାଗରିକତା ପ୍ରତ୍ୟାହାର କରିବା ନେଇ ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ ଏହି ସୂଚନା ଦେଇଛନ୍ତି। କେବେ ସୁଦ୍ଧା ମେହୁଲଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ ବୋଲି ପ୍ରଶ୍ନ ହେବାରୁ ବ୍ରାଉନ୍ କହିଛନ୍ତି ଅପରାଧୀମାନଙ୍କର ମଧ୍ୟ ମୌଳିକ ଅଧିକାର ରହିଛି। ତାଙ୍କର ମାମଲା‌ ଅଦା‌ଲ‌ତରେ ବିଚାରାଧୀନ ରହିଛି। ତେଣୁ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ମେହୁଲ ତାଙ୍କର ନାଗରିକତା ହରାଇ‌େବ ବୋଲି ବ୍ରାଉନ୍ ସ୍ପଷ୍ଟ କରିଦେଇଛନ୍ତି। ଅପରାଧୀ, ବିଶେଷକରି ଆର୍ଥିକ ଅପରାଧରେ ଜଡ଼ିତ ବ୍ୟକ୍ତିମାନଙ୍କୁ ଆଣ୍ଟିଗୁଆ ସୁରକ୍ଷା ଦେବ ନାହିଁ ବୋଲି ବ୍ରାଉନ୍ କହିଛନ୍ତି। ତେବେ ମେହୁଲଙ୍କ ନାଗରିକତା ଆଣ୍ଟିଗୁଆ ପ୍ରତ୍ୟାହାର କରିନେବ ବୋଲି ସେ ଦେଶର ପ୍ରଧାନମନ୍ତ୍ରୀ କହିଥିବା ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ପ୍ରଶ୍ନ ହେବାରୁ ସେ କହିଲେ ତାଙ୍କ ନିକଟରେ ଏ ନେଇ କୌଣସି ସୂଚନା ନାହିଁ। ଏପରିକି ଏହି ପ୍ରସଙ୍ଗରେ ସେ କୌଣସି ମତାମତ ମଧ୍ୟ ଦେବାକୁ ଚାହାନ୍ତି ନାହିଁ ବୋଲି ସାମ୍ବାଦିକମାନଙ୍କୁ କହିଛନ୍ତି। ଗତବର୍ଷ ଜାନୁଆରିରେ ମେହୁଲ ଭାରତ ଛାଡ଼ି ବାହାରକୁ ପଳାଇଥିଲେ। ଏହାର ୬ ମାସ ପରେ ଜଣା ପଡ଼ିଲା ଯେ, ସେ ଆଣ୍ଟିଗୁଆର ନାଗରିକତା ଗ୍ରହଣ କରିସାରିଛନ୍ତି। ଏହି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ‌ତଥା ମେହୁଲଙ୍କ ଭଣଜା ‌ନିରବ ମୋଦୀ ଗତ ମାର୍ଚ ୨୦ରେ ଲଣ୍ଡନରେ ଗିରଫ ହେବା ସହିତ ଏବେ ଜେଲ୍‌ରେ ଅଛନ୍ତି। ତାଙ୍କୁ ଭାରତ ଆଣିବା ପାଇଁ ସରକାର ପ୍ରୟାସ ଚଳାଇଛନ୍ତି।

ସମ୍ବନ୍ଧିତ ଖବର