ନକଲି ହୀରା ଦେଇ ଋଣ ନେଇଥିଲେ ଚୋକ୍‌ସି: ସିବିଆଇ

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ଅନ୍ୟତମ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ନକଲି ସୁନା ଓ ହୀରା ଅଳଙ୍କାର ବନ୍ଧକ ରଖି ଭାରତୀୟ ଶିଳ୍ପ ଫାଇନାନ୍ସ ନିଗମ (ଆଇଏଫ୍‌ସିଆଇ) ଠାରୁ ୨୫ କୋଟି ଟଙ୍କା ଋଣ ନେଇଥିଲେ ବୋଲି ତଦନ୍ତ ଏଜେନ୍ସି ସିବିଆଇ ଅଭିଯୋଗ କରିଛନ୍ତି। ଆଇଏଫ୍‌ସିଆଇ ପକ୍ଷରୁ ଏକ ଅଭିଯୋଗ କରାଯାଇଛି ଯେ ୨୫ କୋଟି ଟଙ୍କାର ଋଣ ନେବା ଲାଗି ୨୦୧୬ରେ ଚୋକ୍‌ସି ଆବେଦନ କରିଥିଲେ। ସେ ସେୟାର ଏବଂ ସୁନା ଓ ହୀରା ଗହଣା ବନ୍ଧକ ରଖିଥିଲେ। ସେହି ଗହଣାଗୁଡ଼ିକର ମୂଲ୍ୟକୁ ବଢ଼ାଇ ଚଢ଼ାଇ ୩୪-୩୫ କୋଟି ଟଙ୍କା ପ୍ରଦର୍ଶନ କରାଯାଇଥିଲା। ଏବେ ନିଜ ଟଙ୍କା ଫେରିପାଇବା ଲାଗି ଆଇଏଫ୍‌ସିଆଇ ସେଗୁଡ଼ିକୁ ବିକ୍ରି କରିବାକୁ ବାହାରିବା ବେଳେ ସେଗୁଡ଼ିକର ମୂଲ୍ୟ ୯୯ ପ୍ରତିଶତ ଭଳି କମ୍ ଥିବା ଜଣାପଡ଼ିଛି। ବନ୍ଧକ ରଖାଯାଇଥିବା ଗହଣାଗୁଡ଼ିକର ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅତିବେଶିରେ ୨ କୋଟି ଟଙ୍କା ହେବ ବୋଲି ହିସାବ କରାଯାଇଛି। ଷଡ଼୍‌ଯନ୍ତ୍ର କରି ଚୋକ୍‌ସି ବନ୍ଧକ ରଖାଯାଇଥିବା ଗହଣାଗୁଡ଼ିକର ମୂଲ୍ୟ ବଢ଼ାଇଚଢ଼ାଇ ପ୍ରଦର୍ଶନ କରିଥିଲେ। ସେ ନେଇଥିବା ଋଣକୁ ୨୦୧୮ ଜୁନ୍ ୩୦ରେ ଏନ୍‌ପିଏ ଘୋଷଣା କରାଯାଇଥିଲା। ଚୋକ୍‌ସିଙ୍କ ପାଇଁ ଆଇଏଫ୍‌ସିଆଉକ ୨୨ କୋଟି ଟଙ୍କାର କ୍ଷତି ହୋଇଛି।

ସମ୍ବନ୍ଧିତ ଖବର