ପ୍ରେମିକାଙ୍କ ପାଇଁ ଧରାପଡ଼ିଲେ ଚୋକ୍‌ସି

ପ୍ରେମିକାଙ୍କୁ ରୋମାଣ୍ଟିକ୍ ଟ୍ରିପ୍‌ରେ ଆଣିଥିଲେ ଚୋକ୍‌ସି: ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପିଏନ୍‌ବି ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍‌ସି ହଠାତ୍‌ ଆଣ୍ଟିଗୁଆରୁ ନିଖୋଜ ହେବା ଓ କିିଛି ଦିନ ପରେ ପଡ଼ୋଶୀ ଦେଶ ‌ଡୋମିନିକାରେ ଗିରଫ ହେବା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। ଚୋକ୍‌ସିଙ୍କ ପକ୍ଷ ତରଫରୁ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରାଯାଇଛି। ଆଜି ତାଙ୍କର କେତେକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହୋଇଛି ଯାହା ଚୋକ୍‌ସିଙ୍କୁ ମାଡ଼ ମରାଯାଇଥିବା ସନ୍ଦେହ କରାଯାଉଛି। ଅତ୍ୟନ୍ତ ଚିନ୍ତିତ ମୁଦ୍ରାରେ ଜେଲ୍‌ ଭିତରେ ଥିବା ଚୋକ୍‌ସିଙ୍କ ଏକ ଫଟୋ ଆସିଛି। ସେଥିରେ ତାଙ୍କର ଗୋଟିଏ ଆଖି ଲାଲ୍ ଦେଖାଯାଉଛି। ଅନ୍ୟ ଏକ ଫଟୋରେ ତାଙ୍କ ହାତରେ ମାଡ଼ ମାରିବା ଦ୍ବାରା ଯେଭଳି କଳାଦାଗ ସୃଷ୍ଟି ହୁଏ ସେଭଳି ଚିହ୍ନ ଦେଖିବାକୁ ମିଳିଛି।

ଅନ୍ୟ ପକ୍ଷରେ ଆଉ ଏକ ଖବର ମିଳିଛି ଯେ ଭାରତରୁ ଏକ ପ୍ରାଇଭେଟ୍ ଜେଟ୍‌ ଡୋମିନିକାରେ ପହଞ୍ଚିଛି। ଚୋକ୍‌ସିଙ୍କୁ ଆଣିବା ଲାଗି ସେହି ଜେଟ୍ ଯାଇଥିବା ଅନୁମାନ କରାଯାଉଛି। ସେହି ସମାନ ପ୍ରାଇଭେଟ୍‌ ଜେଟ୍‌କୁ ୟୁଏଇରୁ କ୍ରିଷ୍ଟିଆନ୍ ମାଇକେଲ୍‌ଙ୍କୁ ଆଣିବା ଲାଗି ବ୍ୟବହାର କରାଯାଇଥିଲା। ଯେହେତୁ ଚୋକ୍‌ସିଙ୍କ ମାମଲା ଏ‌ବେ ଡୋମିନିକା ହାଇକୋର୍ଟରେ ବିଚାରାଧୀନ ରହିଛି ତେଣୁ ଜୁନ୍ ୨ ପର୍ଯ୍ୟନ୍ତ ତାଙ୍କୁ ଅନ୍ୟ କୌଣସି ସ୍ଥାନକୁ ନେଇହେବ ନାହିଁ। କୋର୍ଟଙ୍କ ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଛି। ଯେଉଁଭଳି ରହସ୍ୟମୟ ସ୍ଥିତିରେ ଚୋକ୍‌ସି ନିଖୋଜ ହୋଇଥିଲେ ତାହାକୁ ନେଇ କାରବୀୟ ଦେଶ ଆଣ୍ଟିଗୁଆରେ ରାଜନୀତି ଆରମ୍ଭ ହୋଇଯାଇଛି।ଚୋକ୍‌ସିଙ୍କୁ ସିଧାସଳଖ ଭାରତ ପଠାଇବା ଲାଗି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟନ ବ୍ରାଉନ୍ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ସେଠାକାର ବିରୋଧୀ ଦଳ ୟୁନାଇଟେଡ୍‌ ପ୍ରୋଗ୍ରେସିଭ୍ ପାର୍ଟି ଘୋର ବିରୋଧ କରିଛି। ଅନ୍ୟ ପକ୍ଷରେ ଶାସକ ଦଳ ପକ୍ଷରୁ କୁହାଯାଇଛି ଯେ ଚୋକ୍‌ସିଙ୍କ ପକ୍ଷ ବିରୋଧୀ ଦଳକୁ ପାଣ୍ଠି ଦେଇ ଏହି ମାମଲାକୁ ଜାତୀୟ ପ୍ରସଙ୍ଗରେ ପରିଣତ କରିଛନ୍ତି। ବିରୋଧୀ ଦଳ ସଂସଦରେ ଏହି ମାମଲାକୁ ଉଠାଇବା ବିଷୟକୁ ସରକାର ସହଜରେ ସହଜ କରିପାରୁନାହିଁ। ‌ଜାଣିଶୁଣି ସେମାନେ ଚୋକ୍‌ସିଙ୍କୁ ଏକ ବୋଟ୍‌ ଜରିଆରେ ଡୋମିନିକା ପଠାଇଥିବା ସନ୍ଦେହ କରାଯାଉଛି। ପୁଲିସ ବେଶରେ କାରବୀୟ ଓ ଭାରତୀୟ ଭଳି ଦେଖାଯାଉଥିବା କିଛି ଲୋକ ଚୋକ୍‌ସିଙ୍କୁ ଅପହରଣ କରିଥିବା କୁହାଯାଉଛି। ଏହି ପ୍ରସଙ୍ଗର ରାଜନୀତିକରଣ କରିବା ଲାଗି ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ମଧ୍ୟ ଅଭିଯୋଗ ହେଉଛି। ଆଜି ବ୍ରାଉନ୍ ଆଉ ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ ବୋଧହୁଏ ଚୋକ୍‌ସି ନିଜ ପ୍ରେମିକାଙ୍କୁ ରୋମାଣ୍ଟିକ୍ ଟ୍ରିପ୍‌ରେ ନେଇ ‌ଡୋମିନିକା ଯାଇଥିଲେ ଓ ସେଠାରେ ଧରାପଡ଼ିଛନ୍ତି।

ଚୋକ୍‌ସିଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଆବଶ୍ୟକ କାଗଜପତ୍ର ଭାରତ ତରଫରୁ ‌ଡୋମିନିକାକୁ ଦିଆଯାଇଛି ବୋଲି ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ବ୍ରାଉନ୍ କହିଛନ୍ତି। ଭାରତର ତଦନ୍ତ ଏଜେନ୍ସି ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜରୁରୀ କାଗଜପତ୍ର ଡୋମିନିକାକୁ ପଠାଇଛନ୍ତି। ତେବେ ଭାରତୀୟ ଏଜେନ୍ସି ସହ‌ଯୋଗରେ ଚୋକ୍‌ସିଙ୍କୁ ଅପହରଣ କରି ଡୋନିମିକା ପଠାଯାଇଥିବା ବିଷୟକୁ ଖଣ୍ଡନ କରାଯାଇଛି। ଏଭଳି ଅଭି‌ଯୋଗ ସମ୍ପୂର୍ଣ୍ଣ ଭିତ୍ତହୀନ ବୋଲି କୁହାଯାଉଛି। କିନ୍ତୁ ଆଣ୍ଟିଗୁଆରୁ ଚୋକ୍‌ସି ଡୋମିନିକା ଚାଲିଯାଇଥିବାରୁ ସେଠାରୁ ତାଙ୍କୁ ଆଣିବା ଅଧିକ ସହଜ ହେବ ବୋଲି ଆଇନ ବିଶାରଦମାନେ କହୁଛନ୍ତି। ଚୋକ୍‌ସି ଡୋମିିନିକା ଦେଇ କ୍ୟୁବା ଚାଲିଯିବାକୁ ଯୋଜନା କରିଥିଲେ ବୋଲି ମଧ୍ୟ କୁହାଯାଉଛି।

ସମ୍ବନ୍ଧିତ ଖବର