ଚୋକ୍‌ସିଙ୍କ ‘ନକ୍ଷତ୍ର’ ସଂସ୍ଥାରେ ତାଲା ପଡ଼ିବ: ବନ୍ଦ କରିବା ନିର୍ଦେଶ ଦେଲେ ଏନ୍‌ସିଏଲ୍‌ଟି

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ୍ ଚୋକ୍‌ସିଙ୍କ ନକ୍ଷତ୍ର ଡାଇମଣ୍ଡ୍ ଜୁଏଲାରି ସଂସ୍ଥାକୁ ବନ୍ଦ କରିବାକୁ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଟି)ର ମୁମ୍ବାଇ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ଏହି ଠକେଇର ପର୍ଦାଫାସ ହେବା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀ ଓ ଚୋକ୍‌ସି ଉଭୟ ଦେଶ ଛାଡ଼ି ପଳାଇଥିଲେ। ‌ନିରବ ଏବେ ବ୍ରିଟେନ୍‌ର ଏକ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଜୀବନ ବିତାଉଥିବା ବେଳେ ଚୋକ୍‌ସି ଏବେ କାରବୀୟ ଦେଶ ଆଣ୍ଟିଗୁଆ ଆଣ୍ଡ୍‌ ବରବୁଦାରେ ରହୁଛନ୍ତି।

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୨୦୧୮ରେ ନକ୍ଷତ୍ର ବିରୋଧରେ ଏନ୍‌ସିଏଲ୍‌ଟିରେ ଆବେଦନ କରାଯାଇଥିଲା। ଚୋକ୍‌ସି ଓ ତାଙ୍କ ସଂସ୍ଥା ଗୀତାଞ୍ଜଳି ଜେମ୍‌ସର ନାମ ମଧ୍ୟ ଆବେଦନରେ ରହିଥିଲା। ନକ୍ଷତ୍ରରେ ଋଣ ଦେଇଥିବା ସଂସ୍ଥାଗୁଡ଼ିକ ୧୫୦୦ କୋଟି ଟଙ୍କା ଫସି ରହିଛି। ‌‌ଯେହେତୁ ଏହି ସଂସ୍ଥାକୁ ବନ୍ଦ କରିବାକୁ ନିର୍ଦେଶ ଜାରି କରାଯାଇଛି ତେଣୁ ଏଥିରୁ ୫% ରାଶି ମଧ୍ୟ ଫେରସ୍ତ ମିଳିବା ସମ୍ଭାବନା ନାହିଁ। ନକ୍ଷତ୍ର ବ୍ରାଣ୍ଡ୍‌ ସମ୍ପର୍କିତ ମାମଲାର ସମାଧାନ ଲାଗି ଇନ୍‌ସଲ୍‌ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି)ରେ ଥିବା ବ୍ୟବସ୍ଥା ଅନୁସାରେ ଉଦ୍ୟମ ହୋଇଥିଲା। କିନ୍ତୁ ଠକେଇ ସହ ଜଡ଼ିତ ଥିବା ସଂସ୍ଥାର ବନ୍ଧକ ଥିବା କୌଣସି ସମ୍ପତ୍ତିକୁ ଆଇନର ଜାଲ ଭିତରୁ ବାହାର କରାଯାଇପାରିନଥିଲା। ‌କୌଣସି କର୍ପୋରେଟ୍‌ ସଂସ୍ଥା ନକ୍ଷତ୍ର ବ୍ରାଣ୍ଡ୍‌ରୁ ହେବାକୁ ଥିବା ଅସୁଲ ରାଶି ଉପରେ ଦାବି କରିପାରିବେ ନାହିଁ ବୋଲି କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଥିଲା। ଏହା ପରେ ଟ୍ରିବ୍ୟୁନାଲ୍ ଏକ ନିର୍ଦେଶ ଦେଇଥିଲେ ଯାହା ଫଳରେ ନକ୍ଷତ୍ରକୁ ପାଣ୍ଠି ଦେଇଥିବା କୌଣସି କର୍ପୋରେଟ୍ ସଂସ୍ଥା ନିଜ ପାଖରେ ଥିବା ସମ୍ପତ୍ତିକୁ ବିକ୍ରି କରିପାରିନଥିଲେ କିମ୍ବା ସେଗୁଡ଼ିକର ନିୟନ୍ତ୍ରଣ ଅନ୍ୟ କାହାକୁ ହସ୍ତାନ୍ତର କରିପାରିନଥିଲେ। ସେଥିପାଇଁ ଏହି ମାମଲାର ସମାଧାନ ହୋଇପାରିନଥିଲା।

ସମ୍ବନ୍ଧିତ ଖବର