ଚୋକ୍‌ସିଙ୍କ ସତ୍ୟପାଠ: ଭାରତରୁ ଲୁଚି ପଳାଇନି, ମୋ ଅପହରଣରେ ଡୋମିନିକା ସରକାରଙ୍କ ହାତ ଅଛି

ମୁଁ ଆଇନ ପାଳନ କରୁଥିବା ଜଣେ ନାଗରିକ, ଭାରତୀୟ ଏଜେନ୍ସିଙ୍କ ସବୁ ପ୍ରଶ୍ନର ଉତ୍ତର ଦେବି

ନୂଆଦିଲ୍ଲୀ: କାରବୀୟ ଦେଶ ଡୋମିନିକାରେ ଗିରଫ ହୋଇଥିବା ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଆଜି କହିଛନ୍ତି ଯେ ସେ ଆଇନକୁ ଏଡ଼ାଇବା ଲାଗି ଭାରତ ଛାଡ଼ିନଥିଲେ। ଚିକିତ୍ସା ସେବା ହାସଲ କରିବା ଲାଗି ଭାରତ ବାହାରକୁ ଯାଇଥିଲେ। ଡୋମିନିକା ହାଇକୋର୍ଟରେ ଦାଖଲ କରିିଥିବା ସତ୍ୟପାଠ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ତାଙ୍କ ସହ ସାକ୍ଷାତକାର କରିବା ଏବଂ ଯେକୌଣସି ପ୍ରକାର ପ୍ରଶ୍ନ ପଚାରିବା ଲାଗି ସେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଆହ୍ବାନ ଦେଇଛନ୍ତି। ଚୋକ୍‌ସି କହିଛନ୍ତି ଯେ ମୁଁ ହେଉଛି ଆଇନ ପାଳନ କରୁଥିବା ଜଣେ ନାଗରିକ। ମୋ ବିରୋଧରେ ଭାରତୀୟ କର୍ତ୍ତୃପକ୍ଷମାନେ ଯେଉଁ ତଦନ୍ତ କରୁଛନ୍ତି ସେ ସମ୍ପର୍କରେ ସେମାନେ ମୋତେ ଯେକୌଣସି ପ୍ରଶ୍ନ କରିପାରିବେ। ମୁଁ ଭାରତର ଆଇନ ଠାରୁ ପଳାୟନ କରୁନାହିଁ। ମୁଁ ‌ଯେତେବେଳେ ଚିକିତ୍ସା ପାଇଁ ଆମେରିକା ଆସିଥିଲି ସେହି ସମୟରେ ଭାରତର କୌଣସି ଏଜେନ୍ସି ମୋ ବିରୋଧରେ ୱାରେଣ୍ଟ ଜାରି କରିନଥିଲେ ବୋଲି ଚୋକ୍‌ସି ଜଣାଇଛନ୍ତି।

ଚୋକ୍‌ସି କହିଛନ୍ତି ଯେ ଫେରାର ହେବାର ମୋର କୌଣସି ଅଭିପ୍ରାୟ ନାହିଁ। ମୋ ନାମରେ ଇଣ୍ଟରପୋଲ ଯେଉଁ ରେଡ୍‌ ନୋଟିସ୍‌ ଜାରି କରିଛି ତାହା କୌଣସି ଆନ୍ତର୍ଜାତିକ ଗିରଫ ପରୱାନା ନୁହେଁ। ମୋତେ ଠାବ କରିବା ଓ ପ୍ରତ୍ୟର୍ପଣ ପ୍ରକ୍ରିୟାରେ ଭାରତ ପଠାଇବା ଲାଗି ଭାରତ ସରକାରଙ୍କ ତରଫରୁ ଇଣ୍ଟରପୋଲ୍‌ର ଏହା ଏକ ଅନୁରୋଧ ମାତ୍ର। ମୋତେ ନେଇ ଆଣ୍ଟିଗୁଆ ଓ ବରବୁଦାରେ ପ୍ରତ୍ୟର୍ପଣ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ତେଣୁ ମୁଁ ‌ଡୋମିନିକାରୁ ପଳାୟନ କରିବାକୁ ଚାହୁନାହିଁ। କେବଳ କୋର୍ଟଙ୍କ ଅନୁମତିକ୍ରମେ ଆଣ୍ଟିଗୁଆ ଯାଇପାରିବି ବୋଲି ସେ କହିଛନ୍ତି। ଆଣ୍ଟିଗୁଆ ସୁପ୍ରିମ୍‌କୋର୍ଟରେ ମୁଁ ଦୁଇଟି ମାମଲା ରୁଜୁ କରିଛି। ମୋତେ ଭାରତ ପଠାଇବା ଉଚିତ କି ବୋଲି ମୁଁ କୋର୍ଟଙ୍କୁ ପ୍ରଶ୍ନ କରିଛି। କୋର୍ଟରେ ହୋଇଥିବା ପ୍ରତିଟି ଶୁଣାଣିରେ ମୁଁ ଭାଗ ନେଇଛି। ମୁଁ ଆଇନକୁ ମାନୁଥିବା ବ୍ୟକ୍ତି। ମୋ ବିରୋଧରେ ପୂର୍ବରୁ କୌଣସି ଅଭିଯୋଗ ନାହିଁ। ମୋ ବୟସ ୬୨ ବର୍ଷ। ମୋର ‌ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ରହିଛି। ମସ୍ତିଷ୍କରେ କ୍ଲଟ୍‌, ଡାଇବେଟିସ୍‌, ହୃଦରୋଗ ଓ ଅନ୍ୟାନ୍ୟ ମେଡିକାଲ୍ ସମସ୍ୟା ଦେଇ ମୁଁ ଗତି କରୁଛି। ମୋତେ ଅଧିକ ଦିନ ପୁଲିସ ହେପାଜତରେ ରଖିଲେ ମୋ ଦେହ ଆହୁରି ଖରାପ ହେବ ବୋଲି ଚୋକ୍‌ସି କହିଛନ୍ତି। ସେ ଦାଖଲ କରିଥିବା ଆଠ ପୃଷ୍ଠାର ସତ୍ୟପାଠରେ ଏହା ମଧ୍ୟ ଜଣାଇଛନ୍ତି ଯେ ଡୋମିନିକାରେ ବେଆଇନ ଭାବେ ପ୍ରବେଶ କରିବା ନେଇ ମୋ ବିରୋଧରେ ଯେଉଁ ମାମଲାର ଦାୟର ହୋଇଛି ତାହାର ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ମୁଁ କେଉଁ ଆଡ଼େ ଯିବି ନାହିଁ। ମୁଁ ଏଠାରେ ମୋ ନିଜ ଖର୍ଚ୍ଚରେ ରହିପାରିବି ଓ ମୋର ସୁରକ୍ଷା ଦାୟିତ୍ବ ମଧ୍ୟ ନେଇପାରିବି। ସରକାରଙ୍କୁ ଏଥିପାଇଁ କିିଛି ଖର୍ଚ୍ଚ କରିବାକୁ ପଡ଼ିବନି‌ ବୋଲି ଚୋକ୍‌ସି କହିଛନ୍ତି।

ପିଏନ୍‌ବି ଠକେଇ ସାମ୍ନାକୁ ଆସିବାର କିିଛି ଦିନ ପୂର୍ବରୁ ୨୦୧୮ ଜାନୁଆରିରେ ଚୋକ୍‌ସି ଭାରତ ଛାଡ଼ିଥିଲେ। ସେହିଦିନ ଠାରୁ ସେ ଆଉ ଦେଶକୁ ଫେରିନାହାନ୍ତି। ନିଜ ଭଣଜା ନୀରବ ମୋଦୀଙ୍କ ସହ ମିଶି ସେ ପିଏନ୍‌ବିରେ ୧୪ ହଜାର କୋଟି ଟଙ୍କାର ଠକେଇ କରିିଥିବା ଅଭିଯୋଗ ହୋଇଛି। ୨୦୧୩ରେ ସେ କାରବୀୟ ରାଷ୍ଟ୍ର ଆଣ୍ଟିଗୁଆର ନାଗରିକତା ହାସଲ କରିଥିଲେ। ତେଣୁ ଭାରତ ଛାଡ଼ିବା ପରେ ସେଠାରେ ରହୁଥିଲେ। ନିକଟରେ ହଠାତ୍‌ ସେ ନିଖୋଜ ହୋଇଯାଇଥିଲେ ଓ ତାହାର କିଛି ଦିନ ପରେ ପଡ଼ୋଶୀ ଦେଶ ଡୋମିନିକାରେ ଧରାପଡ଼ିିଥିଲେ।

ସମ୍ବନ୍ଧିତ ଖବର