‘ଓଡ଼ିଶା ହୋଇପାରିବ ଲକ୍ଷେ କୋଟିର ଅର୍ଥନୀତି’

ରାଜୀବ ସିଆଇଆଇ ଓଡ଼ିଶାର ନୂଆ ଅଧ୍ୟକ୍ଷ, ମନିଷ ଉପାଧ୍ୟକ୍ଷ

ଭୁବନେଶ୍ବର : ଓଡ଼ିଶାର ଅର୍ଥନୀତି ଏକ ଲକ୍ଷ କୋଟି ଡଲାରରେ ପହଞ୍ଚିପାରିବ। ୧୦ ବର୍ଷ ଭିତରେ ଏହି ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି। ଆଜି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶା ରାଜ୍ୟ ପରିଷଦର ବାର୍ଷିକ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟର ଅର୍ଥନୀତି ୫ ଲକ୍ଷ କୋଟି ଟଙ୍କା ସ୍ତରରେ ରହିଛି। ଆଗାମୀ ୧୦ ବର୍ଷ ଭିତରେ ଏହାକୁ ୭୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଲକ୍ଷ୍ୟ ହାସଲ କରିବା କଷ୍ଟକର ନୁହେଁ। ସବୁ ଦୃଷ୍ଟିରୁ ଓଡ଼ିଶା ଭଲ ସ୍ଥିତିରେ ରହିଛି। ପୁଞ୍ଜିନିବେଶ ପାଇଁ ଏହା ଶ୍ରେଷ୍ଠ ସ୍ଥାନ ହୋଇ ରହିଥିବା ବେଳେ ପ୍ରାକୃତିକ ସମ୍ବଳ, ଖଣିଜ ପଦାର୍ଥ ଏବଂ ଉତ୍କୃଷ୍ଟ ମାନବ ସମ୍ବଳ ଆମ ପାଖରେ ରହିଛି। ଶିଳ୍ପ ସଂସ୍ଥାଗୁଡ଼ିକର ସମସ୍ତ ସମସ୍ୟାକୁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଜରିଆରେ ସମାଧାନ କରାଯାଉଛି। ତେଣୁ ସୁବିଧାରେ ଆମ ରାଜ୍ୟ ୭୦ ଲକ୍ଷ କୋଟି ଟଙ୍କାର ଅର୍ଥନୀତିରେ ପରିଣତ ହୋଇପାରିବ ବୋଲି ସେ କହିଛନ୍ତି। ଏହି ଅବସରରେ ଇଡ୍‌କୋର ସିଏମ୍‌ଡି ସଞ୍ଜୟ ସିଂହ କହିଛନ୍ତି, ରାଜ୍ୟର ସମସ୍ତ ଜିଲ୍ଲାରେ ଶିଳ୍ପାୟନକୁ ନେଇ ରହିଥିବା ସମ୍ଭାବନା ବିଷୟରେ ଜାଣିବା ଲାଗି ଇଡ୍‌କୋ ତରଫରୁ ଏକ ସର୍ବେକ୍ଷଣ ଆରମ୍ଭ ହୋଇଛି। ରାଜ୍ୟରେ ୫ଟି ନୂଆ ଫୁଡ୍ ପାର୍କ ସ୍ଥାପନ କରିବାର ଯୋଜନା ରହିଛି। ଏହା ବ୍ୟତୀତ ସମସ୍ତ ୩୦ଟି ଜିଲ୍ଲାରେ ଏମ୍ଏସ୍‌ଏମ୍‌ଇ ପାର୍କ ସ୍ଥାପନ କରିବାକୁ ଯୋଜନା ରଖାଯାଇଛି ବୋଲି ସେ କହିଛନ୍ତି। ଆଜି ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଟାଟା ଷ୍ଟିଲ୍ କଳିଙ୍ଗନଗରର ଉପସଭାପତି (ଅପରେସନ) ରାଜୀବ କୁମାରଙ୍କୁ ରାଜ୍ୟ ପରିଷଦର ନୂତନ ଅଧ୍ୟକ୍ଷ ଓ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍‌ ପାୱାର ଲିମିଟେଡ୍‌ର ଗ୍ରୁପ୍ ଆଡ୍‌ଭାଇଜର୍‌ ମନିଷ ଖରବନ୍ଦାଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ରଞ୍ଜନ କୁମାର ମହାପାତ୍ର ଓ ଉପାଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି ଉପସ୍ଥିତ ଥିଲେ। ଉଦ୍‌ଘାଟନୀ ସମାରୋହ ପରେ ଦୁଇଟି ପ୍ୟାନେଲ୍ ଆଲୋଚନା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର