ସିଆଇଆଇ ରିପୋର୍ଟରେ ନିଯୁକ୍ତିର ଭିନ୍ନ ଚିତ୍ର

ନୂଆଦିଲ୍ଲୀ: ଏନ୍‌ଡିଏ ସରକାରଙ୍କ ଅମଳରେ ଆବଶ୍ୟକ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇନଥିବା ଅଭିଯୋଗ ହେଉଥିବା ବେଳେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଭିନ୍ନ ଚିତ୍ର ପ୍ରଦାନ କରାଯାଇଛି। ବିଗତ ଚାରି ବର୍ଷ ଭିତରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ) କ୍ଷେତ୍ରରେ ୧୩.୯% ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ରିପୋର୍ଟରେ କୁହାଯାଇଛି। ଦେଶରେ ଥିବା ଏକ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ସଂସ୍ଥାକୁ ନେଇ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ମିଳିଛି। ଶ୍ରମ ବ୍ୟୁରୋର ତଥ୍ୟ ଅନୁଯାୟୀ ୨୦୧୭-୧୮ ସୁଦ୍ଧା ଦେଶର ଶ୍ରମ ଶକ୍ତି ସଂଖ୍ୟା ହେଉଛି ୪୫ କୋଟି। ‌ବିଗତ ଚାରି ବର୍ଷ ଭିତରେ ସେଥିରେ ବାର୍ଷିକ ହାରାହାରି ୧.୩-୧.୪ କୋଟି ଲୋକ ସାମିଲ ହୋଇଛନ୍ତି। ଗୁଜରାଟ, ମହାରାଷ୍ଟ୍ର ଓ ତେଲେଙ୍ଗାନାରେ ଥିବା ସଂସ୍ଥାଗୁଡ଼ିକରେ ସର୍ବାଧିକ ନିଯୁକ୍ତି ସୃଷ୍ଟି ହୋଇଛି। ଆତିଥେୟତା ଓ ପର୍ଯ୍ୟଟନ, ବୟନ ଏବଂ ପୋଷାକ ଓ ଖଣିଜ ଉତ୍ପାଦ କ୍ଷେତ୍ରରେ ସବୁଠୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଥିବା ବେଳେ ପରିବହନ, ଲଜିଷ୍ଟିକ୍ ଓ ମେସିନ୍ ଯନ୍ତ୍ରାଂଶ ଉତ୍ପାଦନ କ୍ଷେତ୍ରରେ ଦ୍ବିତୀୟ ସର୍ବାଧିକ ନିଯୁକ୍ତି ସୃଷ୍ଟି ହୋଇଛି। ଏହି ସର୍ଭେ ପାଇଁ ସିଆଇଆଇ ପକ୍ଷରୁ ୨୮ଟି ରାଜ୍ୟରେ ଥିବା ୩୫୦ଟି ଶିଳ୍ପ କେନ୍ଦ୍ରର ୧୦୫,୩୪୭ଟି ସଂସ୍ଥାକୁ ସାମିଲ କରାଯାଇଥିଲା। କେଉଁ କ୍ଷେତ୍ରରେ କେତେ ନିଯୁକ୍ତି ସୃଷ୍ଟି ହୋଇଛି ଏବଂ ଏମ୍ଏସ୍‌ଏମ୍ଇରେ ସରକାରୀ ସ୍କିମ୍‌ର ପ୍ରଭାବ ଆକଳନ କରିବାକୁ ଏହି ସର୍ଭେ କରାଯାଇଥିଲା।

ସମ୍ବନ୍ଧିତ ଖବର