ଭୁବନେଶ୍ବରର ସିପେଟ୍‌ଠାରେ ଅନୁଷ୍ଠିତ୧୩୫ତମ ଗଭର୍ଣ୍ଣିଂ କାଉନ୍‌ସିଲ୍‌ ମିଟିଙ୍ଗରେ ମହାନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ଚଳିତବର୍ଷ ସିପେଟ୍‌ର ୧୩୫ତମ ଗଭର୍ଣ୍ଣିଂ କାଉନ୍‌ସିଲ୍‌ ମିଟିଙ୍ଗ୍‌ ଭୁବନେଶ୍ବରସ୍ଥିତ ସିପେଟ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତ ସରକାରଙ୍କ ଅଧୀନରେ ଥିବା ସାର ଏବଂ ରସାୟନ ମନ୍ତ୍ରାଳୟର ସଚିବ ଯୋଗେନ୍ଦ୍ର ତ୍ରିପାଠୀ(ଆଇଏଏସ୍‌) ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ର ସରକାରଙ୍କର ଏକ ଟିମ୍‌ ମଧ୍ୟ ଭୁବନେଶ୍ବରରେ ଉପସ୍ଥିତ ରହିଥିଲେ। ସିପେଟ୍‌ ତରଫରୁ ମହାନିର୍ଦ୍ଦେଶକ ପ୍ରଫେସର୍‌ ଡ. ସଞ୍ଜୟ ନାୟକଙ୍କ ସହ ଅନ୍ୟ କିଛି ବ୍ୟକ୍ତି ମଧ୍ୟ ବୈଠକରେ ଯୋଗ ଦେଇଥିଲେ।

ଭାରତୀୟ ବୈଜ୍ଞାନିକ ତଥା ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପେଟ୍ରୋକେମିକାଲ୍‌ସ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍‌ନୋଲୋଜି(ସିପେଟ୍‌)ର ମହାନିର୍ଦ୍ଦେଶକ ପ୍ରଫେସର୍‌ ଡ. ସଞ୍ଜୟ କୁମାର ନାୟକଙ୍କୁ ଏହି ବୈଠକରେ ଏକାଡେମିକ୍‌ ରିସର୍ଚ ଆଣ୍ଡ୍‌ ପଲିମର୍‌ ସାଇନ୍ସରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଡକ୍ଟର ନାୟକ ଏକାଧାରାରେ ଜଣେ ଶିକ୍ଷାବିତ୍‌, ଦକ୍ଷ ପ୍ରଶାସକ , ଶିଳ୍ପ ପରାମର୍ଶଦାତା ଏବଂ ଦକ୍ଷ ଗବେଷକ। ‌ସେ ଉଭୟ ବିଜ୍ଞାନ ଏବଂ ଇଞ୍ଜିନିୟରିଂରେ ଯୁଗ୍ମ ପିଏଚ୍‌ଡି ଲାଭ କରିବା ସଙ୍ଗେ ସଙ୍ଗେ ପଲିମର୍‌ ବିଜ୍ଞାନ ଏବଂ ଇଞ୍ଜିନିୟରିଂରେ ଡି.ଏସ୍‌ ମଧ୍ୟ ଲାଭ କରିଛନ୍ତି। ତାଙ୍କ ନାମରେ ଅନ୍ତର୍ଜାତୀୟ ଜର୍ଣ୍ଣାଲ୍‌ର ୩୫ ଗୋଟି ପେପର୍‌, ଅନ୍ତର୍ଜାତୀୟ ସମ୍ମିଳନୀର ୩୪୬ ‌‌ଗୋଟି ପେପର୍‌ ୨୩ଟି ବହି ଓ ୫୧ଟି ପ୍ୟାଟର୍ଣ୍ଣ ରହିଥିବା ବେଳେ ୧୦୦ରୁ ଅଧିକ ରିସର୍ଚ ପ୍ରୋଜେକ୍ଟର ପ୍ରିନ୍ସିପାଲ୍‌ ଇନ୍‌ଭେଷ୍ଟିଗେଟର୍‌ ଭାବେ ସେ ରହିଛନ୍ତି।

୧୯୬୪ ମସିହାରେ ସ୍ଥାପିତ ହୋଇଥିବା ସିପେଟ୍‌, ଯାହା ଏବେ ଭାରତ ସରକାରଙ୍କ ଅଧୀନରେ ଥିବା ସାର ଏବଂ ରସାୟନ ମନ୍ତ୍ରାଳୟର ତଥା ଭାରତର ଏକ ଅଗ୍ରଣୀ ଅନୁଷ୍ଠାନ ଅଟେ। ଡକ୍ଟର ନାୟକଙ୍କ ବଳିଷ୍ଠ ନେତୃତ୍ବରେ ବିଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ପଲିମର୍‌ ଟେକ୍‌ନୋଲୋଜି ରିସର୍ଚ ଏବଂ ଡେଭ୍‌ଲପମେଣ୍ଟରେ ଉତ୍କୃଷ୍ଟ କାର୍ଯ୍ୟ କରି ଭାରତକୁ ବିଶ୍ବସ୍ତରରେ ପ୍ରତିଷ୍ଠିତ କରାଇବାରେ ସହାୟକ ହୋଇଛି।

ସମ୍ବନ୍ଧିତ ଖବର