ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଖ୍ୟାତନାମା ସଂସ୍ଥା ସିଟି ଗ୍ରୁପ୍ ପକ୍ଷରୁ ଆକଳନ କରାଯାଇଛି ଯେ ଆଗାମୀ ଦିନରେ ରୁପା ଦାମ୍‌ରେ ବୃଦ୍ଧି ଘଟିବ ଓ ସୁନା ଶସ୍ତା ହେବ। ଅନ୍ତର୍ଜାତୀୟ ବଜାରରେ ଦର କମ୍ ହେଲେ ଦେଶ ଭିତରେ ତାହା ଶସ୍ତା ହେବ। ଗୁରୁବାର ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍ ୫୦୦ ଟଙ୍କା ବଢ଼ି ୯୧,୦୫୦ ଟଙ୍କା ହୋଇଛି। ୨୪ କ୍ୟରେଟ୍‌ ଦାମ୍ ୯୯,୩୩୦ ଟଙ୍କାକୁ ବୃଦ୍ଧି ପାଇଛି। ରୁପା କେଜି ୧,୨୪,୦୦୦ ଟଙ୍କା ରହିଛି। ସିଟି ଗ୍ରୁପ୍ କହିଛି ଯେ ରୁପାର ଯୋଗାଣ କମ୍ ରହିବା ସହ ନିବେଶ ଚାହିଦା ବଢ଼ୁଥିବାରୁ ଏହାର ଆଉନ୍ସ ପିଛା ଦାମ୍ ୪୦ ଡଲାରକୁ ବୃଦ୍ଧି ପାଇବ। ଗତବର୍ଷ ରୁପା ଦାମ୍‌ ୨୪ ପ୍ରତିଶତ ବଢ଼ିବା ପରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ମହଙ୍ଗା ହୋଇସାରିଲାଣି।

Advertisment

ଏହି ମୂଲ୍ୟ ଗତ ୧୩ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଆସନ୍ତା ୬-୧୨ ମାସ ମଧ୍ୟରେ ରୁପା ଦର ୪୩ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସିଟି ଗ୍ରୁପ୍ ଆକଳନ କରିଛି। ବିଶ୍ବ ରୁପା ବଜାରର ଆକାର ୩୦୦୦ କୋଟି ଡଲାର ରହିଛି। ଏକ୍ଷେତ୍ରରେ ଯୋଗାଣ କମ୍ ରହୁଥିବାରୁ ଚାହିଦାରେ ସାମାନ୍ୟ ପରିବର୍ତ୍ତନ ହେଲେ ତାହା ଦରକୁ ପ୍ରଭାବିତ କରିଥାଏ। ଲଗାତାର ପଞ୍ଚମ ବର୍ଷ ପାଇଁ ରୁପାର ଚାହିଦା ଯୋଗଣଠାରୁ ଅଧିକ ରହିବ ବୋଲି ଆକଳନ କରାଯାଇଛି। ସୁନା ସମ୍ପର୍କରେ ସିଟି ଗ୍ରୁପ୍ କହିଛି ଯେ ୨୦୨୫ରେ ଏହାର ଦାମ୍ ୨୭ ପ୍ରତିଶତ ବଢ଼ିଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକୁ ସୁନା କିଣୁଥିବାରୁ ଦାମ୍ ବଢ଼ୁଛି। କିନ୍ତୁ ଦରବୃଦ୍ଧିର ଏହି ଧାରା ଆଗାମୀ ଦିନରେ ବଦଳିବ। ଆସନ୍ତା କିଛି ଦିନ ଭିତରେ ସୁନାର ଆଉନ୍ସ ପିଛା ଦାମ୍ ୩୦୦୦ ଡଲାର ତଳକୁ ଖସିବ। ୨୦୨୬ ମଧ୍ୟଭାଗ ସୁଦ୍ଧା ଏହି ଦର ୨୫୦୦-୨୭୦୦ ଡଳାର ସ୍ତରକୁ ଖସିଆସିବ ବୋଲି ଆକଳନ କରାଯାଇଛି।