ଖର୍ଚ କମାଇନାହାନ୍ତି ସହରବାସୀ

ସୋ’ରୁମ୍‌ରେ ବ୍ରାଣ୍ଡେଡ୍‌ ପୋଷାକ ବିକ୍ରି ବଢ଼ିଛି ଅଧିକ ଲୋକ ଖାଇବାକୁ ରେସ୍ତୋରାଁରେ ଯାଉଛନ୍ତି

ନୂଆଦିଲ୍ଲୀ: କାର୍‌, ସାମ୍ପୁ, ଟୁଥ୍‌ପେଷ୍ଟ୍‌ ଆଦି ସାମଗ୍ରୀର ବିକ୍ରି କମିବା ପରେ ଦେଶ ମାନ୍ଦବାସ୍ଥା କବଳରେ ପଡ଼ିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଲୋକମାନେ ଜଗିରଖି ଖର୍ଚ କରୁଥିବା କୁହାଯାଇଥିଲା। ତେବେ ଏହା ସାରା ଦେଶର ଚିତ୍ର ନଥିଲା। ଏହି ଚିତ୍ର ଗ୍ରାମାଞ୍ଚଳରେ ସୀମିତ ରହିଛି। ସହରାଞ୍ଚଳରେ ବାସ କରୁଥିବା ଲୋକମାନେ ଖର୍ଚ କମାଇ ନାହାନ୍ତି। ସେମାନେ ଏବେବି ବାହାରେ ରେସ୍ତୋରାଁରେ ଖାଉଛନ୍ତି ଓ ନୂଆ ଡିଜାଇନର ପୋଷାକ କିଣୁଛନ୍ତି।
ସହରାଞ୍ଚଳରେ ଥିବା ପୋଷାକ ସୋ’ରୁମ୍ ଓ ରେସ୍ତୋରାଁଗୁଡ଼ିକର ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ହୋଇଛି। ସାମ୍ପୁ, ସାବୁନ, ଗାଡ଼ି ଏବଂ ବାଇକ୍ ଆଦିର ବିକ୍ରି ସାଧାରଣତଃ କୃଷି ଆୟ ଉପରେ ନିର୍ଭର କରିଥାଏ। ବିଗତ ଦୁଇ ବର୍ଷ ଭିତରେ କୃଷି ଆୟରେ ସେଭଳି କୌଣସି ଆଖିଦୃଶିଆ ବୃଦ୍ଧି ହୋଇନାହିଁ। ସେଥିପାଇଁ ଗାଁରେ ବାସ କରୁଥିବା ଲୋକମାନଙ୍କ ଆୟ କମିଯାଇଛି। ସେମାନେ କେବଳ ଆବଶ୍ୟକ ସାମଗ୍ରୀ କିଣୁଥିବା ବେଳେ ବିଳାସପୂର୍ଣ୍ଣ ସାମଗ୍ରୀ କିଣାକିଣି ଉପରେ ହେଉଥିବା ଖର୍ଚ କମାଇ ଦେଇଛନ୍ତି।
ସହରାଞ୍ଚଳରେ କିନ୍ତୁ ଭିନ୍ନ ସ୍ଥିତି ରହିଛି। ଏଠାରେ ବ୍ରାଣ୍ଡେଡ୍‌ ପୋଷାକ ପୂର୍ବାପେକ୍ଷା ଅଧିକ ବିକ୍ରି ହେଉଛି। ରେସ୍ତୋରାଁଗୁଡ଼ିକରେ ଅଧିକ ଲୋକ ଖାଉଛନ୍ତି। ଡନ୍‌କିନ୍ ‌ଡୁନଟସ୍‌ ଓ ଡୋମିନୋସ୍ ପିଜ୍ଜା ଭଳି ‌ଷ୍ଟୋର୍‌ରେ ବିକ୍ରି ବଢ଼ିଛି। ପିଜ୍ଜା ହଟ୍‌ର ବିକ୍ରି ୧୧% ବଢ଼ିଛି। ୟୁମ୍‌ ବ୍ରାଣ୍ଡ୍‌ର ଭାରତରେ ବିକ୍ରି ୨୬% ବଢ଼ିଛି। ପୋଷାକ ବିକ୍ରି କ୍ଷେତ୍ରରେ ଆଦିତ୍ୟ ବିର୍ଲା ଫେସନ୍‌ସ ଓ ‌ଟାଟା ଟ୍ରେଣ୍ଟ୍‌ ଯଥାକ୍ରମେ ୧୩.୬% ଓ ୨୬.୫%ର ବୃଦ୍ଧି ହାସଲ କରିଛନ୍ତି। କେଏଫ୍‌ସିର ବିକ୍ରି ମଧ୍ୟ ୨୬% ବଢ଼ିଛି। ସହର‌ରେ କାରବାର କରୁଥିବା ଏହି ସବୁ କଂପାନିଗୁଡ଼ିକର ବିକ୍ରିରେ ହୋଇଥିବା ବୃଦ୍ଧିକୁ ଯଦି ବିଚାରକୁ ନିଆଯିବ ତେବେ ସହରବାସୀ ଖର୍ଚ କମାଇ ଦେଇଥିବା କହିବା ଭୁଲ ହେବ।

ସମ୍ବନ୍ଧିତ ଖବର