‘ଯାତ୍ରୀଙ୍କୁ ଅଭଦ୍ରୋଚିତ ବ୍ୟବହାର କରିବା ଇଣ୍ଡିଗୋର ଅଭ୍ୟାସରେ ପରିଣତ ହୋଇଗଲାଣି’

ନୂଆଦିଲ୍ଲୀ: ନିକଟରେ ଇଣ୍ଡିଗୋର ଜଣେ ଗ୍ରାଉଣ୍ଡ ଷ୍ଟାଫ୍‌ ଜଣେ ଯାତ୍ରୀଙ୍କୁ ମାରଧର କରିବା ଘଟଣାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ ବୁଧବାର ଉଭୟ ପକ୍ଷକୁ ସମନ ଜାରି କରିଛନ୍ତି। ବିଜେପି ମୁଖପାତ୍ର ଶାହାନଓ୍ଵାଜ ହୁସେନ କହିଛନ୍ତି ଯେ ଏପରି ଅଂହକାରୀ ବ୍ୟବହାର ଦେଖାଇବା ଇଣ୍ଡିଗୋ ପାଇଁ ଏକ ସାଧାରଣ କଥା ପାଲଟି ଗଲାଣି। ଲଗାତର ଭାବେ ଇଣ୍ଡିଗୋ କର୍ମଚାରୀ ଏପରି ବ୍ୟବହାର ପ୍ରଦର୍ଶିତ କରି ଆସୁଛନ୍ତି।

ଗତ ଅକ୍ଟୋବର ୧୫ ତାରିଖରେ ଘଟିଥିବା ଏହି ଘଟଣା ଗତକାଲି ଜଣେ ଇଣ୍ଡିଗୋ କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ଏକ ଭିଡିଓ ଭାଇରାଲ୍‌ ହେବା ପରେ ସାମ୍ନାକୁ ଆସିଛି। ଭିଡିଓଟିରେ ଜଣେ ଇଣ୍ଡିଗୋ କର୍ମଚାରୀ ଯାତ୍ରୀ ଜଣଙ୍କୁ ଦିଲ୍ଳୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତଳେ ପକାଇ, ତାଙ୍କ ତଣ୍ଟି ଚିପି ମାରୁଥିବାର ଦେଖିବାକୁ ମିଳିଛି।

ଯାତ୍ରୀମାନଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରିବାରେ ଇଣ୍ଡିଗୋର ପୁରୁଣା ରେକର୍ଡ ରହିଛି। ଗତବର୍ଷ ନଭେମ୍ବର ୪ ତାରିଖରେ ବ୍ୟାଡମିଣ୍ଟନ ଖେଳାଳି ପି ଭି ସିନ୍ଧୁ ସୋସିଆଲ୍‌ ମିଡିଆରେ ଉଲ୍ଳେଖ କରିଥିଲେ ଯେ ଏହି ଏୟାର୍‌ ଲାଇନର ଜଣେ କର୍ମଚାରୀ ତାଙ୍କ ସହ ଦୁର୍ବବ୍ୟବହାର ପ୍ରଦର୍ଶନ କରିଥିଲେ।

ଗତ ମାସ ମଧ୍ୟ ଏପରି କିଛି ଘଟଣା ଦେଖିବାକୁ ମିଳିଥିଲା। ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ ଏୟାରବସ-ଏ୩୨୦ରେ ଜଣେ ଯାତ୍ରୀଙ୍କୁ କିଛି ବିମାନ କର୍ମଚାରୀ ମିଶି ଦୁର୍ବବ୍ୟବହାର କରିଥିଲେ।

 

ସମ୍ବନ୍ଧିତ ଖବର