ନୂଆଦିଲ୍ଲୀ: ଗ୍ରୀଷ୍ମପ୍ରବାହ ଓ ବନ୍ୟା ଭଳି ଚରମ ଜଳବାୟୁ ସମ୍ପର୍କିତ ଘଟଣା ନିୟମିତ ବ୍ୟବଧାନରେ ଘଟୁଛି। ସେଭଳି ଘଟଣାରେ ପ୍ରଭାବିତ ହେଉଥିବା ଲୋକମାନଙ୍କୁ ବୀମା ସୁରକ୍ଷା ପ୍ରଦାନ କରିବା ଉପରେ ସରକାର ବିଚାର କରୁଛନ୍ତି। ଏକ ଦେଶବ୍ୟାପୀ ଜଳବାୟୁ ଆଧାରିତ ବୀମା ଯୋଜନା ଆଣିବା ପାଇଁ କେନ୍ଦ୍ର ସରକାର ବୀମା କମ୍ପାନିଗୁଡ଼ିକ ସହ ଆଲୋଚନା କରୁଥିବା ଜଣାପଡ଼ିଛି। ମାନଦଣ୍ଡ ଆଧାରିତ ମଡେଲ୍‌ ଆଧାରରେ ଏହି ଯୋଜନା ପ୍ରସ୍ତୁତ କରାଯିବ। ଉଦାହରଣ ସ୍ବରୂପ ବୃଷ୍ଟିପାତ, ତାପମାତ୍ରା ଏବଂ ପବନର ବେଗ ଆଦିର ଏକ ନିର୍ଦ୍ଦିଷ୍ଟ ସ୍ତରକୁ ମାନଦଣ୍ଡ ଭାବେ ଗ୍ରହଣ କରାଯିବ। କୌଣସି ସ୍ଥାନରେ ଯଦି ଜଳବାୟୁ ସମ୍ପର୍କିତ ଘଟଣା ସେହି ମାନଦଣ୍ଡ ଅତିକ୍ରମ କରିବ ତେ‌ବେ ବୀମାଭୁକ୍ତ ଲୋକମାନଙ୍କୁ ବୀମା ରାଶି ମିଳିବ। ଯଦି ଏହି ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେବ ତେବେ ଏଭଳି ଯୋଜନା ଆଣିବାରେ ଭାରତ ବିଶ୍ବର ପ୍ରଥମ ଦେଶ ହେବ।

Advertisment

ପ୍ରତିବର୍ଷ ଜଳବାୟୁ ସମ୍ପର୍କିତ ଘଟଣାରେ ବ୍ୟାପକ କ୍ଷୟକ୍ଷତି ହେଉଥିବା ବେଳେ ରାଜ୍ୟଗୁଡ଼ିକ କେନ୍ଦ୍ରଠାରୁ କ୍ଷତିପୂରଣ ଓ ସହାୟତା ଲୋଡ଼ିଥାନ୍ତି। ଜଳବାୟୁ ଆଧାରିତ ବୀମା ଯୋଜନା କାର୍ଯ୍ୟକାରୀ କରି ସେହି ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇପାରିବ। ପାରମ୍ପରିକ ଢାଞ୍ଚାରେ ପ୍ରଥମେ କ୍ଷୟକ୍ଷତି ଆକଳନ କରିବା ପରେ ବୀମା ରାଶି ଜାରି କରାଯାଏ। କିନ୍ତୁ ମାନଦଣ୍ଡ ଆଧାରିତ ମଡେଲ୍‌ରେ ତା’ଠାରୁ ଆହୁରି ଶୀଘ୍ର ବୀମା ରାଶି ଦିଆଯାଇପାରିବ। ଯେଉଁଠାରେ ପାରମ୍ପରିକ ବୀମା ପହଞ୍ଚିପାରୁନାହିଁ, ସେଠାରେ ଏହା ଠିକ୍ ଭାବେ କାମ କରିପାରିବ। ଯଦିଓ ସରକାରୀ ଅଧିକାରୀମାନେ ଏହି ଚିନ୍ତାଧାରାକୁ ପସନ୍ଦ କରିଛନ୍ତି, କିନ୍ତୁ କୌଣସି ପ୍ରତ୍ୟକ୍ଷ ପ୍ରସ୍ତାବ ଦିଆଯାଇନଥିବା ଜଣାପଡ଼ିଛି।

ତେବେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍ଏ), ଅର୍ଥ ମନ୍ତ୍ରଣାଳୟ, ସରକାରୀ ରି-ଇନ୍‌ସ୍ୟୁରାନ୍ସ ସଂସ୍ଥା ‘ଜିଆଇସି ଆର୍‌ଓ’ ଓ କିଛି ବୀମା କମ୍ପାନିର ବରିଷ୍ଠ ଅଧିକାରୀମାନେ ମିଳିତ ଭାବେ ଏହି ଯୋଜନା କେଉଁମାନଙ୍କ ଲାଗି ପ୍ରସ୍ତୁତ କରାଯିବ ଏବଂ କିଭଳି ସେଥିପାଇଁ ପାଣ୍ଠି ବ୍ୟବସ୍ଥା କରାଯିବ, ତାହା ଉପରେ ବିଚାର କରୁଛନ୍ତି। ଜଳବାୟୁ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଭାରତ ଷଷ୍ଠ ସ୍ଥାନରେ ରହିଛି। ୧୯୯୩ରୁ ୨୦୨୨ ମଧ୍ୟରେ ଭାରତରେ ୪୦୦ରୁ ଅଧିକ ଚରମ ଜଳବାୟୁ ଘଟଣା ଘଟିଥିବା ବେ‌ଳେ ସେଥିରେ ୮୦ ହଜାର ଲୋକ ପ୍ରାଣ ହରାଇଛନ୍ତି ଏବଂ ଦେଶକୁ ୧୮,୦୦୦ କୋଟି ଡଲାରର ଅର୍ଥନୈତିକ କ୍ଷତି ସହିବାକୁ ପଡ଼ିଛି। ଓଡ଼ିଶା ନିୟମିତ ବ୍ୟବଧାନରେ ବାତ୍ୟା ସାମ୍ନା କରୁଛି। ପଞ୍ଜାବ ଓ ଆସାମରେ ବନ୍ୟା ଯୋଗୁଁ ଫସଲ ହାନି ହେଉଛି। ଉତ୍ତରାଖଣ୍ଡ ଏବଂ ଜମ୍ମୁ ଓ କାଶ୍ମୀରରେ ଭୂସ୍ଖଳନ ପାଇଁ ଘର, ରାସ୍ତା ଓ ପୋଲ ଆଦି ଭାସିଯାଉଛି।