ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଅତ୍ୟନ୍ତ ଘାତକ ହୋଇପାରେ। ସାରା ବିଶ୍ବବାସୀଙ୍କ ଜୀବନକୁ ତାହା ବିଭିନ୍ନ ଉପାୟରେ ପ୍ରଭାବିତ କରିବା ଶକ୍ତି ରଖିଛି। କର୍ଣ୍ଣେଲ ବିଶ୍ବବିଦ୍ୟାଳୟର ଡାଇସନ୍ ସ୍କୁଲ ଅଫ୍‌ ଆପ୍ଲାଏଡ୍‌ ଇକୋନିମକ୍‌ସ ଆଣ୍ଡ୍‌ ମ୍ୟାନେଜମେଣ୍ଟ୍‌ର ସହକାରୀ ପ୍ରଫେସର ଇଭାନ୍ ରୁଡିକ୍‌ଙ୍କ ମତରେ ଜଳବାୟୁ ପରିବର୍ତ୍ତନ ସାରା ଦୁନିଆର କଲ୍ୟାଣରେ ୨୦ ପ୍ରତିଶତ ହ୍ରାସ କରିବ। ଅର୍ଥାତ ଲୋକମାନଙ୍କ ଜୀବନ ଧାରଣ ମାନରେ ଅବନତି ଘଟିବ। ସେମାନେ ଅଧିକ ଦୁଃଖ ଓ ଦୁର୍ଦ୍ଦଶା ସାମ୍ନା କରିବେ। ଇକୋନମିକ୍ ଟାଇମ୍‌ସରେ ପ୍ରକାଶ ପାଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ତାପମାତ୍ରାରେ ହେଉଥିବା ବୃଦ୍ଧି ଯୋଗୁ ସାରା ଦୁନିଆରେ ବହୁ ପରିବର୍ତ୍ତନ ଘଟିବ। ଅର୍ଥନୀତିର ବିଭିନ୍ନ ଦିଗକୁ ତାହା ପ୍ରଭାବିତ କରିବ। ଗୋଟିଏ ସ୍ଥାନରେ ମରୁଡ଼ି ହେଲେ ତାହାର ପ୍ରଭାବ କେ‌ବଳ ସେହି ଅଞ୍ଚଳରେ ନୁହେଁ ବରଂ ତାହା ଉପରେ ନିର୍ଭରଶୀଳ ଥିବା ବିଶ୍ବର ସବୁ ଦେଶ ଉପରେ ପଡ଼ିବ। ପ୍ରଫେସର ଇଭାନ୍ କରିଥିବା ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଯୁକ୍ତରାଷ୍ଟ୍ର ଆମେରିକାର କଲ୍ୟାଣ ୪ ପ୍ରତିଶତ ଓ ସାରା ବିଶ୍ବର କଲ୍ୟାଣ ୨୦ ପ୍ରତିଶତ ହ୍ରାସ ପାଇବ। ତେବେ ଦେଶଗୁଡ଼ିକ ଚାହିଲେ ନିଜ ବାଣିଜ୍ୟ କାରବାରରେ ପରିବର୍ତ୍ତନ କରି ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କମାଇପାରିବେ। ଯେଉଁ ଅଞ୍ଚଳ ଅଧିକ ପ୍ରଭାବିତ ତାହା ଉପରେ ନିର୍ଭରଶୀଳ ନରହି କମ୍ ପ୍ରଭାବିତ ଅଞ୍ଚଳରୁ ଅଧିକ ସାମଗ୍ରୀ ମଗାଇଲେ ଏହି ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି ସେ କହିଛନ୍ତି।

Advertisment

publive-image USA Today

ପ୍ରଫେସର ଇଭାନ୍ ସ୍ବୀକାର କରିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ କୃଷି କ୍ଷେତ୍ରର ଦୃଶ୍ୟପଟ୍ଟ ବଦଳିଛି। ତାମପାତ୍ରା ବଢ଼ୁଥିବାରୁ କିଛି ଅଞ୍ଚଳର ଚାଷୀ ପୂର୍ବରୁ ଚାଷ କରୁଥିବା ଫସଲ ତୁଳନାରେ ଗରମ ସହ୍ୟ କରିପାରୁଥିବା ଧାନ ଓ ଗହମ ଆଦି ଚାଷ ଆରମ୍ଭ କରିଛନ୍ତି। ଆମେରିକାରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ପାରମ୍ପରିକ ଭାବେ ଥଣ୍ଡା ଅଞ୍ଚଳ ବିଚାର କରାଯାଉଥିବା କିଛି ସ୍ଥାନରେ ଧାନ ଓ ଗହମ ଚାଷ କରାଯାଉଛି। ‌
ତେବେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ଲାଗି ଯୋଗାଣ ଶୃଙ୍ଖଳରେ ବିବିଧତା ଆଣିବାକୁ ପ୍ରଫେସର ଇଭାନ୍ କହିଛନ୍ତି। ଯୋଗାଣ ଶୃଙ୍ଖଳ ବଦଳାଇଲେ ଆମେରିକା‌ରେ ସେହି ପ୍ରଭାବକୁ ୧୫-୨୦% ହ୍ରାସ କରାଯାଇପାରିବ ବୋଲି ସେ ନିଜ ଗବେଷଣାରୁ ଜାଣିବାକୁ ପାଇଛନ୍ତି। ସେହିଭଳି କୌଣସି କାମରେ କୁଶଳି ଥିବା ଶ୍ରମିକ ସେହି କାମ ହେଉଥିବା ବିଭିନ୍ନ ସ୍ଥାନକୁ ଯାଇପାରିଲେ ତାହାର ଅଧିକ ଲାଭ ମିଳିପାରିବ ବୋଲି ସେ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଦ୍ବାରା ଆଲାସ୍କା ଓ ଗ୍ରିନଲ୍ୟାଣ୍ଡ୍‌ ଭଳି ଅତ୍ୟଧିକ ଥଣ୍ଡା ଅଞ୍ଚଳ ଉପକୃତ ହେବେ ଓ ସେହି ଅଞ୍ଚଳଗୁଡ଼ିକରେ ଉତ୍ପାଦକତା ବଢ଼ିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ଜୈବବିବିଧତାର ସଂରକ୍ଷଣ ସମ୍ପର୍କରେ ସେ କହିଛନ୍ତି ଯେ ଏହା ଏଥିପାଇଁ ଜରୁରୀ କାରଣ ତାହା ପରୋକ୍ଷରେ ମଣିଷ ଜୀବନକୁ ପ୍ରଭାବିତ କରିଥାଏ। ଇୟାଲ୍‌ ଫ୍ରାଙ୍କ୍ ଓ ଅନନ୍ତ ସୁଦର୍ଶନଙ୍କ ଗବେଷଣାର ଉଦାହରଣ ଦେଇ ସେ କହିଛନ୍ତି ଯେ ଭାରତରେ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଶାଗୁଣା ବଂଶ ଲୋପ ପାଇବା ପରେ ସେହି ସ୍ଥାନରେ ଅଧିକ ମଣିଷଙ୍କ ମୃତ୍ୟୁ ହେଉଛି। ବିଭିନ୍ନ ପ୍ରକାର ରୋଗକୁ ରୋକିବା ଓ ଜଳକୁ ବିଶୁଦ୍ଧ କରିବାରେ ଶାଗୁଣାମାନଙ୍କ ଭୂମିକା ରହିଥିଲା ବୋଲି ସେ କହିଛନ୍ତି।