ନୂଆଦିଲ୍ଲୀ: ଦେଶର ତାପମାତ୍ରାରେ ହେଉଥିବା ଅହେତୁକ ବୃଦ୍ଧି ଓ ଚରମ ଜଳବାୟୁ ପରିବର୍ତ୍ତନ ଭଳି ଘଟଣା ପ୍ରଭାବରେ ଋଣ ଦେଉଥିବା ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ ଗୁରୁତର ପ୍ରଭାବିତ ହେବେ ବୋଲି ବିସିଜିର ଏକ ରିପୋର୍ଟରୁ ଜଣାପଡ଼ିଛି। ତାପମାତ୍ରା ବୃଦ୍ଧି ପ୍ରଭାବରେ ଆସନ୍ତା ପାଞ୍ଚ ବର୍ଷରେ ୩୦ ପ୍ରତିଶତ କୃଷି ଓ ଗୃହ ଋଣ ଖିଲାପ ହେବାର ଆଶଙ୍କା ଦେଖାଦେଇଛି। ରିପୋର୍ଟରେ କୁହାଯାଇଛି ଯେ ପ୍ରାକ୍-ଶିଳ୍ପାୟନ ଯୁଗ ତୁଳନାରେ ବିଶ୍ବ ତାପମାତ୍ରାରେ ହାରାହାରି ୧.୨ ଡିଗ୍ରି ବୃଦ୍ଧି ଘଟିଛି। ଏହାର ପ୍ରଭାବରେ ଉପକୂଳ ଅଞ୍ଚଳଗୁଡ଼ିକରେ ବନ୍ୟା ହେଉଛି ଓ କୃଷି ଉତ୍ପାଦନ କମ୍ ହୋଇଛି। ଏହି ଚରମ ଜଳବାୟୁ ଘଟଣାଗୁଡ଼ିକ ଯୋଗୁଁ ଲୋକମାନଙ୍କ ମୁଣ୍ଡପିଛା ଆୟ ମଧ୍ୟ କମ୍ ହୋଇଛି। ଦେଶର ସିଡ୍ୟୁଲ୍ଡ ବ୍ୟାଙ୍କଗୁଡ଼ିକ ଦେଉଥିବା ଋଣର ଅଧା ଭାଗ ପ୍ରକୃତି ଉପରେ ନିର୍ଭର କରୁଥିବା କ୍ଷେତ୍ରଗୁଡ଼ିକୁ ଦିଆଯାଇଛି। ତେଣୁ କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ, ସେହି ଋଣ ଫେରିବା ପ୍ରତି ବିପଦ ଦେଖାଦେଉଛି।
ଏକ ଆକଳନ ଅନୁସାରେ ୨୦୩୦ ସୁଦ୍ଧା ଭାରତର ୪୨ ପ୍ରତିଶତ ଜିଲ୍ଲାରେ ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ତେଣୁ ଆସନ୍ତା ୫ ବର୍ଷରେ ୩୨୧ଟି ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ରହିଛି। ଚରମ ଜଳବାୟୁ ପରିବର୍ତ୍ତନ ଘଟଣା ବ୍ୟାଙ୍କଗୁଡ଼ିକ ଲାଗି ବିପଦ ସହିତ ସୁଯୋଗ ମଧ୍ୟ ସୃଷ୍ଟି କରିଛି। ଭାରତ ସ୍ବଚ୍ଛ ଶକ୍ତି ଆଡ଼କୁ ମୁହାଁଉଥିବା ବେଳେ ସେଥିପାଇଁ ବ୍ୟାଙ୍କଗୁଡ଼ିକ ବାର୍ଷିକ ୧୫,୦୦୦ କୋଟି ଡଲାର ପାଣ୍ଠି ଯୋଗାଇ ପାରିବେ। ଆବଶ୍ୟକତା ଏହି ସ୍ତରରେ ଥିବା ବେଳେ ବ୍ୟାଙ୍କଗୁଡ଼ିକ ଏବେ ଏହି ଉଦ୍ଦେଶ୍ୟରେ ବର୍ଷକୁ ୪୦-୬୦ ବିଲିଅନ୍ ଡଲାର ପାଣ୍ଠି ଦେଉଛନ୍ତି। ଏବେବି ୧୫୦ ବିଲିଅନ୍ ଡଲାରର ଏକ ବ୍ୟବଧାନ ରହିଛି ବୋଲି ବିସିଜିର ଏମ୍ଡି ଅଭିନବ ବଂଶଲ କହିଛନ୍ତି।
ସ୍ବଚ୍ଛ ଶକ୍ତି ଆଡ଼କୁ ହେଉଥିବା ଯାତ୍ରାର ପ୍ରଭାବ ୨୦୩୦-୪୦ ଆଡ଼କୁ ଦେଖିବାକୁ ମିଳିବ। ବର୍ତ୍ତମାନ ଏହି ଯାତ୍ରା ଆରମ୍ଭ ପର୍ଯ୍ୟାୟରେ ରହିଛି। ଯେଉଁମାନେ ଏବେ ଆଗୁଆ ପଦକ୍ଷେପ ନେବେ ସେମାନେ ଭବିଷ୍ୟତେର ହେବାକୁ ଥିବା ଲାଭର ସିଂହ ଭାଗ ପାଇବେ। ଚରମ ଜଳବାୟୁ ପରିବର୍ତ୍ତନ ଘଟଣାଗୁଡ଼ିକ ବିଶ୍ବ ଅର୍ଥନୀତି ଓ ବ୍ୟବସାୟଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କଲାଣି। ବ୍ୟବସାୟ ପ୍ରତି ଅନେକ ବିପଦ ସୃଷ୍ଟି ହୋଇଛି। ଏହି ସଙ୍କଟରୁ ନିଜ ଋଣକୁ ରକ୍ଷା କରିବାକୁ ହେଲେ ନିଜ ଗ୍ରାହକମାନଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନର ବିପଦ ବିଷୟରେ ସେମାନଙ୍କୁ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି।