ନୂଆଦିଲ୍ଲୀ: ଅନଲାଇନ୍ ବେଟିଂ ପ୍ଲାଟଫର୍ମଗୁଡ଼ିକର ବିଜ୍ଞାପନରୁ ବିରତ ରହିବାକୁ ଗଣମାଧ୍ୟମକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦେଶାବଳୀ ଜାରି କରାଯାଇଛି। ଦେଶର ବିଭିନ୍ନ ପ୍ରକାର ଗଣମାଧ୍ୟମ ଯଥା ସମ୍ବା‌ଦପତ୍ର, ଇଲେକ୍ଟ୍ରୋନିକ୍ ମାଧ୍ୟମ, ସୋସିଆଲ ଓ ଅନଲାଇନ୍ ମିଡିଆରେ ଅନଲାଇନ୍ ବେଟିଂର ସୁବିଧା ପ୍ରଦାନ କରୁଥିବା ୱେବସାଇଟ୍‌ ଓ ଆପ୍‌ଗୁଡ଼ିକର ବହୁ ବିଜ୍ଞାପନ ପ୍ରକାଶ ପାଉଥିବା ଜାଣିବା ପରେ ସରକାର ଏହି ନିର୍ଦେଶାବଳୀ ଜାରି କରିଛନ୍ତି। ବେଟିଂ ଓ ଜୁଆ ‌ଖେଳ ହେଉଛି ବେଆଇନ। ତାହାକୁ ଦେଶର ଅଧିକାଂଶ ଅଞ୍ଚଳରେ ନିଷିଦ୍ଧ ଘୋଷଣା କରାଯାଇଛି। ଯେହେତୁ ଏଥିରେ ଲୋକମାନେ ବିଶେଷ କରି ଯୁବପିଢ଼ି ଓ ପିଲାମାନେ ବିପୁଳ ଆର୍ଥିକ କ୍ଷତି ସହିବାର ଆଶଙ୍କା ରହିଛି‌ ସେଥିପାଇଁ ତାହା ଉପରେ କଟକଣା ଲଗାଯାଇଛି। ବିଜ୍ଞାପନ ଜରିଆରେ ଏକ ବେଆଇନ କାର୍ଯ୍ୟକଳାପର ପ୍ରଚାର କରାଯାଉଥିବା ସରକାର ଭାବୁଛନ୍ତି। ଭାରତରେ ଏଭଳି ବିଜ୍ଞାପନ ନଦେବାକୁ ଅନଲାଇନ୍ ଓ ସୋସିଆଲ ମିଡିଆ ସଂସ୍ଥାଗୁଡ଼ିକୁ କୁହାଯାଇଛି। ୨୦୨୦ ଡିସେମ୍ବର ୪ରେ ଅନଲାଇନ୍ ଗେମିଂ ବିଜ୍ଞାପନକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ନିର୍ଦେଶାବଳୀ ଜାରି କରି ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସ୍‌ସିଆଇ)ର ରହିଥିବା ଗାଇଡ୍‌ଲାଇନ୍‌କୁ ପାଳନ କରିବାକୁ ଘରୋଇ ସାଟେଲାଇଟ୍‌ ଟିଭି ଚ୍ୟାନେଲ୍‌ଗୁଡ଼ିକୁ କହିଥିଲେ।