ନୂଆଦିଲ୍ଲୀ: ଶୁକ୍ରବାର ମାଇକ୍ରୋସଫ୍ଟ ୱିଣ୍ଡୋଜ୍ କ୍ରାସ୍ ହେବା କାରଣରୁ ବିଶ୍ବରେ ଯେଉଁ ବିଭ୍ରାଟ ଦେଖାଦେଇଥିଲା ସେଥିପାଇଁ କ୍ରାଉଡଷ୍ଟ୍ରାଇକ୍ର ପ୍ରତିଷ୍ଠାତା ତଥା ସିଇଓ ଜର୍ଜ କୁର୍ଜଙ୍କୁ ଦାୟୀ କରାଯାଉଛି। ସାଇବର ସୁରକ୍ଷା ଦାୟିତ୍ବ ନେଇଥିବା ଏହି କମ୍ପାନି ଫାଲକନ ସେନସର ନାମକ ସଫ୍ଟୱେର ଅପଡେଟ୍ କରିବାରୁ ଏଭଳି ସମସ୍ୟା ଉପୁଜିଥିଲା। ତେବେ କୁର୍ଜଙ୍କର ଏହା ଦ୍ବିତୀୟ ବଡ଼ ତ୍ରୁଟି। ମ୍ୟାକାଫି ନାମକ ଏକ ଆଣ୍ଟିଭାଇରସ କମ୍ପାନିର ମୁଖ୍ୟ ପ୍ରଯୁକ୍ତି ଅଧିକାରୀ (ସିଟିଓ) ଭାବେ କାର୍ଯ୍ୟ କରିବା ସମୟରେ ୨୦୧୦ ମସିହାରେ ହଜାର ହଜାର କମ୍ପ୍ୟୁଟରରେ ଏକ ବଡ଼ ବିଭ୍ରାଟ ହୋଇଥିଲା। ଗତକାଲିର ସମସ୍ୟା ପରେ ଅନେକ ଲୋକଙ୍କର ୨୦୧୦ ମସିହାର ସେହି ସ୍ମୃତି ଉଜ୍ଜୀବିତ ହୋଇଛି।
ମ୍ୟାକାଫିର ଆଣ୍ଟିଭାଇରସ ପ୍ରୟୋଗ କାରଣରୁ ବିଶ୍ବରେ ୱିଣ୍ଡୋଜ ଏକ୍ସପି ପିସିଗୁଡ଼ିକ ବନ୍ଦ ହୋଇଯାଇଥିଲା। କୁର୍ଜ ଦୁଇଟି ବଡ଼ ପ୍ରଯୁକ୍ତି ବିଭ୍ରାଟରେ ସାମିଲ ଥିବା ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଛି। ଗତକାଲିର ସମସ୍ୟା ପରେ କୁର୍ଜଙ୍କ ବ୍ୟକ୍ତିଗତ ସଂପତ୍ତି ୩୦୦ ନିୟୁତ ଡଲାରରୁ ଅଧିକ ହ୍ରାସ ଘଟିଛି। ଫୋର୍ବସର ସୂଚନା ମୁତାବକ ଗୁରୁବାର ତାଙ୍କର ସଂପତ୍ତି ୩.୨ ବିଲିଅନ ଡଲାର ରହିଥିଲା। କିନ୍ତୁ ଶୁକ୍ରବାର ତାହା ୨.୯ ବିଲିଅନ ଡଲାରକୁ କମିଯାଇଛି। ଶୁକ୍ରବାର କ୍ରାଉଡଷ୍ଟ୍ରାଇକର ସେୟାର ମୂଲ୍ୟରେ ୧୧ ପ୍ରତିଶତ ହ୍ରାସ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/dgjgjdgjgj-2.jpg)