ଭାରତ ଉପରେ ଜଳବାୟୁ ପରିବର୍ତନର ବିପଦ ଅଧିକ

ଲଣ୍ଡନ: ଭାରତ ଉପରେ ଜଳବାୟୁ ପରିବର୍ତନର ବିପଦ ସର୍ବାଧିକ। ଏଚ୍‌ଏସ୍‌ବିସି ସଂସ୍ଥା ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏହା କୁହାଯାଇଛି। ଭାରତ ପଛକୁ ପଛ ଅନ୍ୟ ଯେଉଁ ଦେଶ ଗୁଡ଼ିକ ପ୍ରତି ଏଥିଜନିତ ବିପଦ ଅଧିକ ରହିଛି ସେଗୁଡ଼ିକ ହେଲେ ପାକିସ୍ତାନ, ଫିଲିପାଇନ୍ସ ଓ ବାଂଲାଦେଶ। ଚଳିତବର୍ଷର ରିପୋର୍ଟ ପ୍ରସ୍ତୁତ ପାଇଁ ଏଚ୍‌ଏସ୍‌ବିସି ୬୭ଟି ଦେଶକୁ ବିଚାରକୁ ନେଇଛି। ଏହି ଦେଶ ଗୁଡ଼ିକ ମଧ୍ୟରେ ବିକଶିତ, ବିକାଶଶୀଳ ଏବଂ ଉଦୀୟମାନ ଦେଶ ରହିଛନ୍ତି। ଏସବୁ ଦେଶ ଗୁଡ଼ିକ ଉପରେ ଜଳବାୟୁ ପରିବର୍ତନର ପ୍ରତିକୂଳ ପ୍ରଭାବ, ମାତ୍ରାଧିକ ଖରାପ ପାଣିପାଗଜନିତ ଅଘଟଣର ବିପଦ, ଅର୍ଥନୈତିକ ଉତ୍ପାଦନ ପ୍ରକ୍ରିୟାରେ କମ୍‌ କାର୍ବନ ନିର୍ଗତ ପ୍ରଯୁକ୍ତିକୁ ଆପଣାଇବା ସଂକ୍ରାନ୍ତ ବିପଦ ଏବଂ ଜଳବାୟୁ ପରିବର୍ତନକୁ ସାମ୍ନା କରିବା ଲାଗି ରହିଥିବା କ୍ଷମତାକୁ ବଚାରକୁ ନିଆଯାଇଛି। ଏହି ୬୭ଟି ଦେଶର ଆୟତନ ବିଶ୍ୱର ମୋଟ ଭୂଭାଗର ପ୍ରାୟ ଏକ ତୃତୀୟାଂଶ ହୋଇଥିବାବେଳେ ବିଶ୍ୱର ମୋଟ ଜନସଂଖ୍ୟାର ୮୦ ଭାଗ ଏହି ଅଞ୍ଚଳରେ ବାସ କରୁଛନ୍ତି।

ଏଥିସହିତ ବିଶ୍ୱର ମୋଟ ଘରୋଇ ଉତ୍ପାଦରେ ଏହି ଦେଶଗୁଡ଼ିକର ଯୋଗଦାନ ୯୪ ପ୍ରତିଶତ ରହିଛି। ଜଳବାୟୁ ପରିର୍ବତନ ଯୋଗୁଁ ଭାରତରେ କୃଷକଙ୍କ ଆୟ କମିବ। ବିଶେଷକରି ଅଣଜଳସେଚିତ ଅଞ୍ଚଳର କୃଷକମାନେ ତାପମାତ୍ରା ବୃଦ୍ଧି ଓ ବର୍ଷା ହ୍ରାସ ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହେବେ। ଜଳବାୟୁ ପରିର୍ବତନଜନିତ ଅଘଟଣ-ବନ୍ୟା ଏବଂ ବାତ୍ୟା ଯୋଗୁ ପାକିସ୍ତାନ, ବାଂଲାଦେଶ ଏବଂ ଫିଲିପାଇନ୍ସ ପ୍ରତି ବିପଦ ରହିଛି ବୋଲି କୁହାଯାଇଛି। ଜଳବାୟୁ ପରିର୍ବତନ ଜନିତ ବିପଦ ପ୍ରତି ପାକିସ୍ତାନର ପ୍ରସ୍ତୁତି ନଗଣ୍ୟସ୍ତରର ରହିଛି। ୧୦ଟି ସବୁଠୁ ଅଧିକ ବିପଦ ଥିବା ରାଷ୍ଟ୍ର ଗୁଡ଼ିକ ମଧ୍ୟରେ ଦକ୍ଷିଣ ଓ ଦକ୍ଷିଣପୂର୍ବ ଏସୀୟ ଅଞ୍ଚଳର ଅଧେ ରାଷ୍ଟ୍ର ରହିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ଓମାନ, ଶ୍ରୀଲଙ୍କା, କଲମ୍ବିଆ, ମେକ୍ସିକୋ, କେନିୟା ଏବଂ ଦକ୍ଷିଣ ଆଫ୍ରିକା ରହିଛନ୍ତି। ଅନ୍ୟପକ୍ଷରେ ଜଳବାୟୁ ପରିର୍ବତନର ସର୍ବନିମ୍ନ ବିପଦ ଯେଉଁ ଦେଶଗୁଡ଼ିକ ଉପରେ ରହିଛି ସେମାନେ ହେଲେ ଫିନଲାଣ୍ଡ, ସ୍ୱିଡେନ୍‌, ନରେଓ୍ଵ, ଇସ୍ତୋନିଆ ଏବଂ ନ୍ୟୁଜିଲାଣ୍ଡ।

ସମ୍ବନ୍ଧିତ ଖବର